ବିମାନ ଯାତ୍ରୀଙ୍କୁ ବଡ ଆଶ୍ବସ୍ତି, କ୍ୟାବିନ ବ୍ୟାଗ ନେଇ ଯାତ୍ରା କଲେ ମିଳିବ ରିହାତି

ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ବିମାନରେ ଯାତ୍ରା କରୁଥିବା ଲୋକଙ୍କୁ ବଡ ଆଶ୍ବସ୍ତି ଦେଇଛି। ଡିଜିସିଏ ସର୍କୁଲାର ଜାରି କରିଛି, ଆଉ ଏଥିରେ ଉଲ୍ଲେଖ ରହିଛି ଯେ କେବଳ କ୍ୟାବିନ ବ୍ୟାଗେଜ ସହିତ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଟିକେଟ୍ ମୂଲ୍ୟରେ ରିହାତି ଦିଆଯାଇପାରିବ | ମିଳିଥିବା ସୂଚନା ମୁତାବକ କରୋନା ଭାଇରସ ମହାମାରୀ ଯୋଗୁଁ ବିମାନ ଶିଳ୍ପରେ ହୋଇଥିବା କ୍ଷତିପୂରଣ ପାଇଁ ବିମାନ ସେବା ଯୋଗାଉଥିବା କମ୍ପାନୀମାନେ ସେମାନଙ୍କ ଭଡା ବୃଦ୍ଧି କରିଛନ୍ତି | ଆଉ ଏଥିପାଇଁ ଘରୋଇ ବିମାନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ଅଧିକ ଟଙ୍କା ଦେବାକୁ ପଡୁଛି |

ତେବେ, ବର୍ତ୍ତମାନ ଡିଜିସିଏର ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ଚେକ୍ ଇନ୍ ବ୍ୟାଗ୍ ବିନା ଦେଶ ମଧ୍ୟରେ କେହି ଯାତ୍ରା କରୁଥିଲେ, ତାଙ୍କୁ କମ ବିମାନ ଭଡା ଦେବାକୁ ପଡିବ | ଅର୍ଥାତ ଯେଉଁ ଯାତ୍ରୀମାନେ କେବଳ କ୍ୟାବିନ ବ୍ୟାଗ (ସର୍ବାଧିକ ସାତ କିଲୋଗ୍ରାମ) ସହିତ ଯାତ୍ରା କରିବେ, ସେମାନଙ୍କୁ ବିମାନ ଭଡାରେ ରିହାତି ଦିଆଯିବ |

ବର୍ତ୍ତମାନ ଯାତ୍ରୀଙ୍କୁ କ୍ୟାବିନ ବ୍ୟାଗେଜ ସହିତ ୧୫ କିଲୋଗ୍ରାମ ଚେକ୍ ଇନ୍ ବ୍ୟାଗେଜ୍ ମାଗଣାରେ ନେଇପାରିବେ ବୋଲି ନିୟମ ରହିଛି | ଯାତ୍ରୀ ପିଛା ୧୫ କିଲୋଗ୍ରାମରୁ ଅଧିକ ଓଜନର ଜିନିଷ ନେଉଥିଲେ ଅତିରିକ୍ତ ଦେୟ ଦେବାକୁ ପଡେ | ସେହିପରି ଡିଜିସିଏ ଦ୍ୱାରା ଜାରି କରାଯାଇଥିବା ସର୍କୁଲାରରେ ଦର୍ଶାଯାଇଛି ଯେ ଯାତ୍ରା ସମୟରେ ବିମାନ କମ୍ପାନୀ ପକ୍ଷରୁ ଏମିତି କିଛି ସେବା ଦିଆଯାଉଛି, ଯାହାକୁ ପ୍ରାୟ ଯାତ୍ରୀ ବ୍ୟବହାର କରନ୍ତି ନାହିଁ | କିନ୍ତୁ ଏଥିପାଇଁ ଯାତ୍ରୀମାନଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡେ | ଏଭଳି ପରିସ୍ଥିତିରେ ଯାତ୍ରୀଙ୍କ ଆବଶ୍ୟକତା ଅନୁଯାୟୀ ଏହି ସେବାଗୁଡିକ ଅଲଗା କରାଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। ଯାତ୍ରୀମାନେ ସେହି ସୁବିଧା ପାଇବାକୁ ଚାହୁଁଛନ୍ତି କି ନାହିଁ ଟିକେଟ୍ ବୁକିଂ କରିବା ସମୟରେ ସେମାନଙ୍କୁ ବିକଳ୍ପ ଦିଆଯିବ |

ସମ୍ବନ୍ଧିତ ଖବର