୨୮ରେ ଇମ୍ରାନଙ୍କ ବିରୋଧରେ ଅନାସ୍ଥା ବିତର୍କ

ଇସଲାମାବାଦ୍‌ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍‌ଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆସନ୍ତା ୨୮ ତାରିଖ ଦିନ ପାକ୍‌ ସଂସଦରେ ବିତର୍କ ହେବ। ଇମ୍ରାନଙ୍କ ବିରୋଧରେ ଶୁକ୍ରବାର ଦିନ ଅନାସ୍ଥା ଆଲୋଚନା ଆରମ୍ଭ ହୋଇଥାନ୍ତୁ। କିନ୍ତୁ ପାକିସ୍ତାନର ନ୍ୟାସନାଲ୍‌ ଆସେମ୍ଲିକୁ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ବିରୋଧୀ ଦଳମାନେ ଇମ୍ରାନ୍‌ ଖାନ୍‌ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଦାବି କରିବା ପରେ ଶୁକ୍ରବାର ଦିନ ପ୍ରଥମ ଥର ପାଇଁ ସଂସଦ ଅଧିବେଶନ ଥିଲା। କିନ୍ତୁ ବାଚସ୍ପତି ଅସାଦ କ୍ୟୁରେସି ସଂସଦୀୟ ପରମ୍ପରା ଦର୍ଶାଇ ଗୃହକୁ ୨୮ ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି। ୨୮ରେ ଇମ୍ରାନ୍‌ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପରେ ବିତର୍କ ହେବ।

ଇମ୍ରାନ୍‌ ଖାନ୍‌ଙ୍କ ଦଳ ପିଟିଆଇର ନେତାମାନେ ବି ଇମ୍ରାନଙ୍କ ବିରୋଧରେ ଅନାସ୍ଥାକୁ ସମର୍ଥନ କରିବେ ବୋଲି ଖୋଲାଖୋଲି କହିଛନ୍ତି। ପିଟିଆଇର ପ୍ରାୟ ୨୪ ସାଂସଦ ଇମ୍ରାନଙ୍କ ବିରୋଧରେ ଅନାସ୍ଥାକୁ ସମର୍ଥନ କରିବେ ବୋଲି କହିଛନ୍ତି। ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରିଛନ୍ତି ଯେ ପିଟିଆଇ ସରକାର ଦେଶର ସାମ୍ପ୍ରତିକ ଆର୍ଥିକ ଦୁରବସ୍ଥା ଓ ଆକାଶଛୁଆଁ ଦରଦାମ୍ ବୃଦ୍ଧି ପାଇଁ ଦାୟୀ। ଜିଓ ନ୍ୟୁଜ୍‌ର ରିପୋର୍ଟ ଅନୁସ‌ାରେ ମୁତାହିଦା କ୍ବାମି ମୁଭ୍‌ମେଣ୍ଟ-ପାକିସ୍ତାନ (ଏମ୍‌କ୍ୟୁଏମ୍-ପି), ପାକିସ୍ତାନ ମୁସ୍‌ଲିମ୍‌ସ ଲିଗ୍-କ୍ୟୁ ଏବଂ ବେଲୁଚିସ୍ତାନ ଆୱାମି ପାର୍ଟି (ବିଏପି) ସେମାନଙ୍କ ୧୭ ସଦସ୍ୟଙ୍କ ସହ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରିବେ। ପାକିସ୍ତାନ ଡେମୋକ୍ରାଟିକ୍ ମୁଭ୍‌ମେଣ୍ଟ (ପିଡିଏମ୍‌)ର ମୁଖ୍ୟ ମୌଲାନା ଫଜଲୁର ରେହମାନ କହିଛନ୍ତି ଯେ ଅନ୍ୟ ବିରୋଧୀ ନେତାମାନଙ୍କ ସହ କଥାବାର୍ତ୍ତା କରିବା ପରେ ସେ ନିଶ୍ଚିତ ଅଛନ୍ତି ଯେ ଏ ଅନାସ୍ଥା ପ୍ରସ୍ତାବ ସଫଳ ହେବ। ୩୪୨ ସଦସ୍ୟ ବିଶିଷ୍ଟ ପାକିସ୍ତାନ ସଂସଦରେ ପିଟିଆଇର ସଦସ୍ୟ ସଂଖ୍ୟା ୧୫୫। ଅନ୍ୟ ଦଳଗୁଡ଼ିକର ୨୩ ଜଣ ସଦସ୍ୟଙ୍କ ସମର୍ଥନ ପାଇ ଇମ୍ରାନ୍ ଖାନ୍‌ଙ୍କ ଦଳ ଶାସନ କରୁଛି। ଖାନ୍‌ଙ୍କୁ ହଟାଇବା ପାଇଁ ବିରୋଧୀ ଦଳକୁ ୧୭୨ଟି ଭୋଟ୍‌ର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର