ପରୀକ୍ଷା ପେ ଚର୍ଚ୍ଚା: ସଫଳତାର ମନ୍ତ୍ର ଦେଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଛାତ୍ରଛାତ୍ରୀଙ୍କ ପରୀକ୍ଷା ଭୟ ଦୂର କରିବା ପାଇଁ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମର ଦ୍ବିତୀୟ ସଂସ୍କରଣରେ ଅନେକ ଗୁରୁତ୍ବପୂର୍ଣ୍ଣ ଟିପ୍ସ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ନବମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଏବଂ ୨୫ ବର୍ଷରୁ କମ୍‌ ବୟସର ସ୍ନାତକ ଏବଂ ସ୍ନାତକତ୍ତୋର ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଅଧ୍ୟାପକମାନେ ଅଂଶ ଗ୍ରହଣ କରିଥିଲେ। ଦିଲ୍ଲୀର ତାଲକୋଟରା ଷ୍ଟାଡିୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମଗ୍ର ଦେଶରୁ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି ପ୍ରଧାନମନ୍ତ୍ରୀଙ୍କ ସହିତ ମତ ବିନିମୟ କରିବାକୁ ସୁଯୋଗ ପାଇଥିଲେ।

ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚାପ ଓ ଉତ୍ତେଜନା ଦୂର ପାଇଁ ଆମ ସାମାଜିକ ବ୍ୟବସ୍ଥାରେ ରହିଥିବା ସହଜ ପଦ୍ଧତି ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ। ପିତା-ମାତା ସେମାନଙ୍କ ପିଲାଙ୍କ ରୁଚି ଅନୁସାରେ ଖୋଲାମନରେ କଥାବାର୍ତ୍ତା କରିବାକୁ ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ। ଶିକ୍ଷାବ୍ୟବସ୍ଥା ଉପରେ ପ୍ରଧାନମନ୍ତ୍ରୀର ମୋଦୀ କହିଥିଲେ ଯେ ଶିକ୍ଷା ବ୍ୟବସ୍ଥା ଗୋଟିଏ ଦିନରେ ତିଆରି ହୋଇନଥାଏ। ହଜାରେ ବର୍ଷର ଯାତ୍ରା ପରେ ଆଜି ଆମେ ଏଭଳି ଶିକ୍ଷା ସ୍ଥିତିରେ ପହଞ୍ଚିଛୁ। ଅନୁଶାସନ ଆମର ପାଠ୍ୟକ୍ରମରେ ନଥାଏ, କିନ୍ତୁ ଆମେ ତାହାକୁ ପାଳନ କରିଥାଉ। ପରୀକ୍ଷାର ଚାପ ନିଜ ଉପରେ ବୋଝ ହେବାକୁ ନଦେବା ପାଇଁ ପ୍ରଧାନମନ୍ତ୍ରୀ କେତେକ ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ ଭଗବାନ ପ୍ରତ୍ୟେକ ମଣିଷକୁ ସ୍ବତନ୍ତ୍ର ଶକ୍ତି ଦେଇଛନ୍ତି। ନିଜ ସାମର୍ଥ୍ୟର ପ୍ରକାଶ ପାଇଁ ପିଲାଙ୍କ ନିମନ୍ତେ ଉପଯୁକ୍ତ ସୁଯୋଗ ସୃଷ୍ଟି କରିବାକୁ ହେବ ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ମୋ ପାଇଁ ସମସ୍ତ ଭାରତବାସୀ ମୋର ପରିବାର। ତେଣୁ ମୁଁ କେବେ କ୍ଲାନ୍ତି ଅନୁଭବ କରିନଥାଏ। ପ୍ରତ୍ୟେକ ରାତିରେ ମୁଁ ଶୋଇବାକୁ ଗଲାବେଳେ ସକାଳର କାମ ପାଇଁ ଚିନ୍ତା କରି ଶୋଇଥାଏ। ବିତି ଯାଇଥିବା ଦିବସ ଏବଂ ପୂର୍ବର କାମ କଥା ଚିନ୍ତା ନକରି ଆଗକୁ ଥିବା କାମ ପାଇଁ ଯୋଜନା କରିବାକୁ ହୋଇଥାଏ। ନିଜକୁ ପ୍ରତିଦିନ ପରୀକ୍ଷାର ସମ୍ମୁଖୀନ କରାଇ ସକରାତ୍ମକ ଓ ଯୋଜନାବଦ୍ଧ ଭାବେ କାର୍ଯ୍ୟ କରିବା ହିଁ ଆଗକୁ ବଢ଼ିବାର ଉପାୟ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ପିଲାଙ୍କୁ ଅନ୍‌ଲାଇନରୁ ଦୂରେଇ ରଖିବା ବାହାନାରେ ଜ୍ଞାନ ବିଜ୍ଞାନର ସୁବିଧାରୁ ବଞ୍ଚିତ କରିବା ଉଚିତ ନୁହେଁ ବୋଲି ସେ କହିଥିଲେ। ଏ ଦିଗରେ ସତର୍କତାର ସହ କାମ କରିବାକୁ ସେ ଅଭିଭାବକଙ୍କୁ ପରାମର୍ଶ ଦେଇଥିଲେ। ଛାତ୍ରଛାତ୍ରୀ ଅନ୍ୟମାନଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା ଉପରେ ଗୁରୁତ୍ୱ ଦେବା ପରିବର୍ତ୍ତେ ନିଜର ସଠିକ୍‌ ଯୋଜନା ଅନୁଯାୟୀ ନିଷ୍ଠାପର ଭାବେ ଆଗକୁ ବଢ଼ିଲେ ଇପ୍‌ସିତ ସଫଳତା ହାସଲ କରିହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ସମ୍ବନ୍ଧିତ ଖବର