୩ ସେନାମୁଖ୍ୟଙ୍କ ସହ ଆ‌ଲୋଚନା: ନିରାପତ୍ତା ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ଆକ୍ରମଣର ଜବାବରେ ପାକିସ୍ତାନ ଆଜି ଭାରତର ବାୟୁସୀମା ଉଲ୍ଲଂଘନ କରି ସାମରିକ ଘାଟିଗୁଡ଼ିକୁ ଟାର୍ଗେଟ୍‌ କରିବାକୁ ଉଦ୍ୟମ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଉଚ୍ଚସ୍ତରୀୟ ବୈଠକରେ ନିରାପତ୍ତା ସ୍ଥିତି ସମୀକ୍ଷା କରିଛନ୍ତି। ଏହା ସହିତ ଭାରତୀୟ ବାୟୁସେନାର ଜଣେ ୱିଙ୍ଗ୍‌ କମାଣ୍ଡରଙ୍କୁ ପାକିସ୍ତାନ ଅପହରଣ କରିନେଇଥିବାରୁ ତାଙ୍କୁ ସୁରକ୍ଷିତ ଫେରାଇ ଆଣିବା ଦିଗରେ ରଣନୀତି ସଂପର୍କରେ ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି। ସୁରକ୍ଷା ଏବଂ ଗୁଇନ୍ଦା ଅଧିକାରୀଙ୍କ ସହ ଏହି ଗୁରୁତ୍ବପୂର୍ଣ୍ଣ ‌ବୈଠକରେ ପ୍ରଧାନମନ୍ତ୍ରୀ ଏଲ୍‌ଓସି ସ୍ଥିତି ସଂପର୍କରେ ମଧ୍ୟ ଅବଗତ ହୋଇଥିଲେ। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍‌, ଭାରତୀୟ ବାୟୁସେନା, ସ୍ଥଳ ସେନା‌ ଏବଂ ନୌସେନା ମୁଖ୍ୟ ଏହି ‌ବୈଠକରେ ଉପସ୍ଥିତ ଥିଲେ। ଭାରତୀୟ ବାୟୁସୀମା ଉଲ୍ଲଂଘନ ପାଇଁ ପାକିସ୍ତାନର ପ୍ରୟାସକୁ ଆଜି ଭାରତ ପଣ୍ଡ କରିଦେଇଥିବା ବେଳେ ପାକିସ୍ତାନର ଗୋଟିଏ ଏଫ୍‌-୧୬ ଯୁଦ୍ଧ ବିମାନକୁ ଖସାଇଥିଲା। ପାକିସ୍ତାନ ବାୟୁସେନା ଯଦି ଭାରତରେ ପଶିବାକୁ ପ୍ରୟାସ କରିବ ତା’ହେଲେ ଏହାର ଜବାବ ଦେବାକୁ ସେନାକୁ ସଂପୂର୍ଣ୍ଣ ଅଧିକାର ସରକାର ଦେଇଛନ୍ତି। ଗୃହମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଆଜି ଏକ ଉଚ୍ଚ ସ୍ତରୀୟ ସୁରକ୍ଷା ବୈଠକରେ ସ୍ଥିତି ସମୀକ୍ଷା କରିଛନ୍ତି। କଶ୍ମୀରରେ ଏବେ ପାକ୍‌ ସେନାର ଅସ୍ତ୍ରବିରତି ଉଲ୍ଲଂଘନ ଜାରି ରହିଥିବାରୁ ଏହାର ଜବାବ ଦେବାପାଇଁ ଭାରତ ଏବେ ଅନ୍ୟ ବିକଳ୍ପ ସଂପର୍କରେ ମଧ୍ୟ ଚିନ୍ତା କରୁଛି। ସ୍ଥଳସେନା ମୁଖ୍ୟ ବିପିନ ରାୱତ ଆଜି ପ୍ରଧାନମନ୍ତ୍ରୀଙ୍କୁ ନିୟନ୍ତ୍ରଣ ରେଖା ଅଂଚଳରେ ଉପୁଜିଥିବା ସ୍ଥିତି ନେଇ ଅବଗତ କରାଇଛନ୍ତି।

ସମ୍ବନ୍ଧିତ ଖବର