କମଳାଙ୍କ ପ୍ରାର୍ଥିତ୍ବକୁ ନେଇ ଚର୍ଚ୍ଚା, ପ୍ରଭାବିତ ହେବ ଭାରତ-ଆମେରିକା ସମ୍ପର୍କ

ମୋଦୀ ବିରୋଧୀ ଭାବେ ଚର୍ଚ୍ଚିତ, ଧାରା ୩୭୦ ଉଚ୍ଛେଦ, ସିଏଏ, ଏନ୍‌ଆରସିକୁ ବିରୋଧ କରିଥିଲେ

ନୂଆଦିଲ୍ଲୀ : ୨୦୨୦ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଭାରତୀୟ- ଆମେରିକୀୟ ଭୋଟର୍‌ଙ୍କ ଭିତରେ ଦ୍ବନ୍ଦ୍ବ ବଢ଼ାଇ ଦେଇଛି। ଭାରତୀୟ ବଂଶୋଦ୍ଭବ କମଳା ହେରିସ୍‌ଙ୍କୁ ଡେମୋକ୍ରାଟିକ୍‌ ଦଳ ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିବା ପରେ ଏହାକୁ ନେଇ ଗୋଟିଏ ପଟେ ଭାରତୀୟ ଭୋଟର ଉତ୍ସାହିତ ଥିବାବେଳେ ଅନ୍ୟପକ୍ଷେ କମଳାଙ୍କ କେତେକ ଭାରତ ବିରୋଧୀ ପଦକ୍ଷେପ ମଧ୍ୟ ଚିନ୍ତାର କାରଣ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ବିଭିନ୍ନ ନୀତିକୁ କମଳା ପୂର୍ବରୁ ବହୁବାର ସମାଲୋଚନା କରିଛନ୍ତି। କାଶ୍ମୀର ମାମଲାରେ ମଧ୍ୟ କମଳାଙ୍କ ଆଭିମୁଖ୍ୟ ସର୍ବଦା ପାକିସ୍ତାନ ସମର୍ଥନରେ ରହିଛି। ଧାରା ୩୭୦ ଉଚ୍ଛେଦ , ସିଏଏ, ଏନ୍‌ଆରସିକୁ ଖୋଲାଖୋଲି ବିରୋଧ କରିଥିବା ଏହି ମହିଳା ସିନେଟର ହାଓଡି ମୋଦୀ କାର୍ଯ୍ୟକ୍ରମକୁ ବି ବର୍ଜନ କରିଥିଲେ। ଜଣେ ଭାରତୀୟ ଆମେରିକୀୟ ଅପେକ୍ଷା ଆଫ୍ରିକୀୟ ଆମେରିକୀୟ ଭାବେ ଅଧିକ ପରିଚିତ କମଳା ହେରିସ୍‌ ଯଦି ଉପରାଷ୍ଟ୍ରପତି ନିର୍ବାଚିତ ହୁଅନ୍ତି ତେବେ ଭାରତକୁ ନେଇ ତାଙ୍କର ଆଭିମୁଖ୍ୟ କିଭଳି ରହିବ ତାହା ହିଁ ଏବେ ଭାରତୀୟ ଭୋଟରଙ୍କ ପାଇଁ ମୁଖ୍ୟ ପ୍ରଶ୍ନ ହୋଇଛି। ଭାରତୀୟମାନେ ସାଧାରଣତଃ ଡେମୋକ୍ରାଟିକ୍‌ ପାର୍ଟିକୁ ଅଧିକ ସଂଖ୍ୟା‌‌ରେ ସମର୍ଥନ କରିଥାନ୍ତି।

ଏହାକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭାରତୀୟଙ୍କୁ ସୁହାଇବା ଭଳି ଅନେକ ପଦକ୍ଷେପ ନେଇଛନ୍ତି। ଚୀନ୍‌, ପାକିସ୍ତାନକୁ ନେଇ ଟ୍ରମ୍ପ୍‌ଙ୍କ ଆଭିମୁଖ୍ୟ ସର୍ବଦା କଠୋର ରହିଛି ଏବଂ ସେ ପ୍ରତିଟି ବିବାଦୀୟ ପ୍ରସଙ୍ଗରେ ଭାରତକୁ ଦୃଢ଼ ସମର୍ଥନ କରି ଆସିଛନ୍ତି। କାଶ୍ମୀର ପ୍ରସଙ୍ଗରେ ମଧ୍ୟ ଆମେରିକା ଯେବେ ବି କୌଣସି ପ୍ରଶ୍ନ ଉଠାଇଛି ତାହା ଭାରତ ପାଇଁ ଚାପର କାରଣ ହୋଇନାହିଁ। ଗଲୱାନ୍‌ ସଂଘର୍ଷ ପରେ ରାଷ୍ଟ୍ରପତି ଟ୍ରମ୍ପ୍‌ ଭାରତ ସମର୍ଥନରେ ଦୃଢ଼ ଭାବେ ରହିଥିଲେ ଏବଂ ଚୀନ୍‌କୁ କଡ଼ା ସମାଲୋଚନା କରିଥିଲେ। ଆମେରିକାର ପୂର୍ବ ରାଷ୍ଟ୍ରପତିମାନେ ଭାରତ ସହ ସାମରିକ ସମ୍ପର୍କ ଏକ ନିର୍ଦ୍ଦିଷ୍ଟ ସୀମା ଭିତରେ ରଖିବାକୁ ଚାହିଁଥିବା‌ବେଳେ ଟ୍ରମ୍ପ୍‌ଙ୍କ ନୀତି କିନ୍ତୁ ସମ୍ପୂର୍ଣ୍ଣ ଅଲଗା ରହିଛି। ଭାରତକୁ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଯୋଗାଇବାଠାରୁ ଆରମ୍ଭ କରି ଜଣେ ଘନିଷ୍ଠ ସାମରିକ ସହଯୋଗୀରେ ପରିଣତ କରିବା ପର୍ଯ୍ୟନ୍ତ ଟ୍ରମ୍ପ୍‌ଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଟ୍ରମ୍ପ୍‌ଙ୍କ ମଧ୍ୟରେ ଘନିଷ୍ଠ ବ୍ୟକ୍ତିଗତ ବନ୍ଧୁତା ପ୍ରମୁଖ ଭୂମିକା ନିର୍ବାହ କରୁଛି। ଯଦି ହେରିସ୍‌ ଉପରାଷ୍ଟ୍ରପତି ନିର୍ବାଚିତ ହୁଅନ୍ତି ତା’ହେଲେ ପରବର୍ତ୍ତୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ସେ ପ୍ରାର୍ଥୀ ହୋଇପାରନ୍ତି ଏବଂ ଏହା ନୂଆ ଇତିହାସ ସୃଷ୍ଟି କରିବ। ହେରିସ୍‌ଙ୍କ ଭାରତ ବିରୋଧୀ ଆଭିମୁଖ୍ୟ ନବଦଳି‌ଲେ ଏହା ଭାରତ-ଆମେରିକା ସୁସମ୍ପର୍କକୁ ଗଭୀର ପ୍ରଭାବିତ କରିବା ଆଶଙ୍କାକୁ ଏଡ଼ାଇ ହେବ ନାହିଁ। ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ୍‌ଙ୍କୁ ଏବେ ୭୮ ବର୍ଷ ହୋଇଥିବାରୁ ସେ ଆଉ ଦ୍ବିତୀୟ ବାର ରାଷ୍ଟ୍ରପତି ହେବାକୁ ଚାହୁନାହାନ୍ତି ବୋଲି କହି ସାରିଲେଣି। ତେଣୁ ଆଫ୍ରିକୀୟ ଭୋଟର୍‌ଙ୍କ ଅଧିକ ସମର୍ଥନ ହାସଲ କରିବା ଏବଂ ଟ୍ରମ୍ପ୍‌ ସମର୍ଥକ ଭାରତୀୟ ଭୋଟରଙ୍କୁ ନିଜ ପଟକୁ ଆଣିବା ଡେମୋକ୍ରାଟିକ୍‌ ଦଳର ମୁଖ୍ୟ ଲକ୍ଷ୍ୟ ରହିଛି। ୨୦୪୫ ସୁଦ୍ଧା ଆମେରିକାରେ ଗୋରା ଲୋକଙ୍କ ସଂଖ୍ୟା ୫୦%ରୁ କମ୍‌କୁ ଖସି ଆସିବ ବୋଲି ବିଭିନ୍ନ ସର୍ଭେରୁ ଜଣାପଡ଼ିଥିବାରୁ ଆଗକୁ କୃଷ୍ଣକାୟଙ୍କ ଭୋଟ୍‌ ହିଁ ଆମେରିକା ରାଜନୀତିରେ ନିର୍ଣ୍ଣାୟକ ହେବ।

ସମ୍ବନ୍ଧିତ ଖବର