ବିଜେପିରେ ବିଦ୍ରୋହ! ଦଳ ଛାଡ଼ି ପାରନ୍ତି ପଙ୍କଜା ମୁଣ୍ଡେ

୮-୧୦ ଦିନ ଭିତରେ ନିଷ୍ପତ୍ତି ଘୋଷଣା

ମୁମ୍ବାଇ: ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡନାଭିସଙ୍କ ହାତରୁ କ୍ଷମତା ଯିବା ପରେ ବିଜେପିରେ ଏବେ ବିଦ୍ରୋହର ସ୍ବର ଉଠିଲାଣି। ବିଜେପିର ଟାଣୁଆ ନେତ୍ରୀ ତଥା ପୂର୍ବ କେନ୍ଦ୍ରମନ୍ତ୍ରୀ ଗୋପୀନାଥ ମୁଣ୍ଡେଙ୍କ ଝିଅ ଦଳ ଛାଡ଼ିପାରନ୍ତି ବୋଲି ଏବେ ‌ଚର୍ଚ୍ଚା ଜୋର୍‌ ଧରିଛି। ଆଜି ପଙ୍କଜା କହିଛନ୍ତି ଯେ ଆଗାମୀ ୮-୧୦ ଦିନ ଭିତରେ ସେ ତାଙ୍କ ରାଜନୈତିକ ଭବିଷ୍ୟତ ନେଇ ଏକ ବଡ଼ ନିଷ୍ପତ୍ତି ନେବେ। ‘ଆଗକୁ ମତେ କେଉଁ ରାସ୍ତାରେ ଯିବାକୁ ହେବ ସେ ସଂପର୍କରେ ମୁଁ ଚିନ୍ତା କରୁଛି, ୮-୧୦ ଦିନ ଭିତରେ ଏ ବାବଦରେ ଚୂଡ଼ାନ୍ତ ନିଷ୍ପତ୍ତି ନେବି’ ବୋଲି ପଙ୍କଜା କହିଛନ୍ତି।

ଗୋପୀନାଥ ମୁଣ୍ଡେଙ୍କ ଜନ୍ମ ଦିନ ଅବସରରେ ଏକ ବଡ଼ ରୢାଲି ପାଇଁ ପଙ୍କଜା ଯୋଜନା କରିଛନ୍ତି ଏବଂ ଏହି ରୢାଲିରେ ସେ ବିଜେପି ଛାଡ଼ିବା ଘୋଷଣା କରିପାରନ୍ତି ବୋଲି କୁହାଯାଉଛି। ଏଥିପାଇଁ ପଙ୍କଜା ଏବେ ତାଙ୍କ ସମର୍ଥକମାନଙ୍କୁ ଏକଜୁଟ୍‌ କରିବାରେ ଲାଗି ପଡ଼ିଛନ୍ତି। ସୂଚନାଯୋଗ୍ୟ, ପଙ୍କଜା ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ତାଙ୍କର ଦାଦାପୁଅ ଭାଇ ଧନଞ୍ଜୟ ମୁଣ୍ଡେଙ୍କ ଦ୍ବାରା ପରାଜିତ ହୋଇଥିଲେ। ଧନଞ୍ଜୟ ଏନ୍‌ସିପି ଟିକଟରେ ନିର୍ବାଚନ ଲଢ଼ି ୩୦ ହଜାରରୁ ଅଧିକ ଭୋଟ୍‌ରେ ବିଜୟୀ ହୋଇଥିଲେ। ପଙ୍କଜାଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ଅଧ୍ୟକ୍ଷ ଅମିତ ଶାହ ମଧ୍ୟ ପ୍ରଚାର କରିଥିଲେ।

ସମ୍ବନ୍ଧିତ ଖବର