ନୂଆଦିଲ୍ଲୀ: ଏକ ନୂତନ ଭୂତାଣୁ ଜନିତ ରୋଗ ‘ଏକ୍ସ’ ଆଗାମୀ ଦିନରେ ଆଉ ଏକ ଘାତକ ମହାମାରୀ ଆଣିପାରେ ବୋଲି ବ୍ରିଟେନର ଜଣେ ଖ୍ୟାତନାମା ସ୍ୱାସ୍ଥ୍ୟ ବିଶେଷଜ୍ଞ କେଟ୍‌ ବିଙ୍ଗହାମ କହିଛନ୍ତି! ଏହା ଦ୍ୱାରା ୫୦ ନିୟୁତ ଲୋକଙ୍କ ଜୀବନ ଯାଇପାରେ! ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍‌ଲ୍ୟୁଏଚଓ) ଦ୍ୱାରା ଏହି ନୂତନ ଭୂତାଣୁ ଜନିତ ରୋଗର ନାମ ‘ଏକ୍ସ’ ଦିଆଯାଇଥିବା ଓ ଏହା କୋଭିଡ୍‌-୧୯ ଅପେକ୍ଷା ଅଧିକ ମାରାତ୍ମକ ହୋଇପାରେ ବୋଲି ‘ଡେଲି ମେଲ’କୁ ଦେଇଥିବା ଏକ ସାକ୍ଷାତକାରରେ ସ୍ୱାସ୍ଥ୍ୟ ବିଶେଷଜ୍ଞ କେଟ୍‌ ବିଙ୍ଗହାମ୍ କହିଛନ୍ତି।

Advertisment

ମେ’ ରୁ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ବ୍ରିଟେନର ଭାକ୍ଯିନ୍ ଟାସ୍କଫୋର୍ସର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିବା କେଟ୍‌ ବିଙ୍ଗହାମ କହିଛନ୍ତି ଯେ ଏକ ନୂତନ ଭୂତାଣୁ ୧୯୧୯-୧୯୨୦ର ବିନାଶକାରୀ ସ୍ପେନିଶ ଫ୍ଲୁ ପରି ସମାନ ପ୍ରଭାବ ପକାଇପାରେ। ଅନ୍ୟପକ୍ଷରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍‌ଲ୍ୟୁଏଚଓ) ଅନୁଯାୟୀ, ନୂତନ ସମ୍ଭାବ୍ୟ ରୋଗ ‘ଏକ୍ସ’ ଏକ ନୂତନ ଭୂତାଣୁ, ଜୀବାଣୁ କିମ୍ବା ଫଙ୍ଗସ ଜନିତ ହୋଇପାରେ।

ଏନେଇ ବିଙ୍ଗହାମ୍‌ ନିଜର ଉଦ୍‌ବେଗ ପ୍ରକାଶ କରି କହିଛନ୍ତି ଯେ ୧୯୧୮-୧୯୧୯ ଫ୍ଲୁ ମହାମାରୀରେ ସମଗ୍ର ବିଶ୍ୱରେ ଅତି କମରେ ୫୦ ନିୟୁତ ଲୋକ ପ୍ରାଣ ହରାଇଥିଲେ, ଯାହା କି ପ୍ରଥମ ବିଶ୍ୱଯୁଦ୍ଧରେ ହୋଇଥିବା ମୃତ୍ୟୁ ତୁଳନାରେ ଦୁଇଗୁଣ ଅଧିକ ଥିଲା। ତେବେ, ପୂର୍ବରୁ ଥିବା ଅନେକ ଭୂତାଣୁ ମଧ୍ୟରୁ ଗୋଟିଏରୁ ଆଜି ସମାନ ମୃତ୍ୟୁ ସଂଖ୍ୟା ଆଶା କରାଯାଇପାରେ!

ସେ କହିଛନ୍ତି ଯେ ଯଦି ବିଶ୍ୱକୁ ‘ଏକ୍ସ’ ରୋଗ ବିପଦର ମୁକାବିଲା କରିବାକୁ ହେବ, ତେବେ ବିଶ୍ୱକୁ ଗଣ ଟିକାକରଣ ଅଭିଯାନ ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ ଏବଂ ରେକର୍ଡ ସମୟ ମଧ୍ୟରେ ଡୋଜ୍‌ ଲୋକଙ୍କ ପାଖରେ ପହଞ୍ଚାଇବାକୁ ପଡ଼ିବ। ବିଶେଷଜ୍ଞ ଆହୁରି ମଧ୍ୟ କହିଛନ୍ତି ଯେ ବିଶେଷଜ୍ଞମାନେ ଏଯାବତ୍‌ ୨୫ଟି ଭୂତାଣୁ ପରିବାର ଚିହ୍ନଟ କରିଛନ୍ତି। କିନ୍ତୁ, ଏଗୁଡ଼ିକର ୧୦ ଲକ୍ଷରୁ ଅଧିକ ଆବିଷ୍କୃତ ପ୍ରଜାତି ଥାଇପାରେ, ଯାହା ଏକ ପ୍ରଜାତିରୁ ଅନ୍ୟ ପ୍ରଜାତିକୁ ଡେଇଁବାରେ ସକ୍ଷମ ହୋଇପାରେ!

ଉଲ୍ଲେଖଯୋଗ୍ୟ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍‌ଲ୍ୟୁଏଚଓ) ପ୍ରଥମେ ମେ’ ମାସରେ ଏହାର ୱେବସାଇଟରେ ରୋଗ ‘ଏକ୍ସ’ ବିଷୟରେ ଉଲ୍ଲେଖ କରିଥିଲା।