ଲଦାଖରେ ସୈନ୍ୟ ପ୍ରତ୍ୟାହାର ପାଇଁ ଆଉ କିଛିଦିନ ଲାଗିବ : ରିପୋର୍ଟ

ନୂଆଦିଲ୍ଲୀ : ସୋମବାରଦିନ ଲଦାଖସ୍ଥିତ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି)ରେ ଆରମ୍ଭ ହୋଇଥିବା ଭାରତ ଓ ଚୀନର ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ସଂପୂର୍ଣ୍ଣ ହେବାକୁ ଆଉ କିଛି ଦିନ ସମୟ ଲାଗିବ ।
ଗଣମାଧ୍ୟମ ରିପୋର୍ଟ ଅନୁସାରେ ହଟ ସ୍ପ୍ରିଙ୍ଗସ ଅଞ୍ଚଳରେ ଆଜି ଅର୍ଥାତ ମଙ୍ଗଳବାର ସଂଧ୍ୟାସୁଦ୍ଧା ସଂପୂର୍ଣ୍ଣ ହେବ । ସେହିପରି ଗୋଗ୍ରା ଅଞ୍ଚଳରେ ଏହା ସଂପୂର୍ଣ୍ଣ ହେବାକୁ ଆଉ କିଛିଦିନ ସମୟ ଲାଗିଯିବ । ଏହି ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ସଂପୂର୍ଣ୍ଣ ହେବା ପରେ ଦୁଇପକ୍ଷ ମଧ୍ୟରେ ଆଉ କିଛି ଆଲୋଚନା ହେବାର ସମ୍ଭାବନା ରହିଛି ।
ଦୁଇପକ୍ଷ ମଧ୍ୟରେ ହୋଇଥିବା ବୁଝାମଣା ଅନୁସାରେ ଦୁଇପକ୍ଷର ସୈନ୍ୟମାନେ ୧ରୁ ୧.୫ କିଲୋମିଟର ପଛକୁ ଘୁଞ୍ଚିବେ । ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ ଚୀନ ସେନା ଏପର୍ଯ୍ୟନ୍ତ ପୋଙ୍ଗୟାଂ ସୋ ହ୍ରଦ ଅଞ୍ଚଳରୁ ପଛକୁ ହଟି ନାହିଁ ।
ଗତକାଲି ଚୀନ ମଧ୍ୟ ସୈନ୍ୟ ପ୍ରତ୍ୟାହାର ବିଷୟ ସ୍ୱୀକାର କରିଥିଲା । ଜୁନ ୩୦ରେ ହୋଇଥିବା ୩ୟ କମାଣ୍ଡର ସ୍ତରୀୟ ଆଲୋଚନାରେ ସୀମାରେ ଉତ୍ତେଜନା ହ୍ରାସ କରି ଶାନ୍ତି ପ୍ରତିଷ୍ଠା ପାଇଁ ସୈନ୍ୟପ୍ରତ୍ୟାହାର ଉପରେ ସହମତି ହୋଇଥିଲା ବୋଲି ଚାନର ଗ୍ଲୋବାଲ ଟାଇମ୍ସ ଲିଜାନଙ୍କ ବକ୍ତବ୍ୟକୁ ଉଦ୍ଧାର କରି ରିପୋର୍ଟ ପ୍ରକାଶ କରିଥିଲା ।
ଗତ ରବିବାରଦିନ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ଚୀନର ବୈଦେଶିକ ମନ୍ତ୍ରୀ ଓ୍ଵାଙ୍ଗ ଇଙ୍କ ସହ ଆଲୋଚନା କରି ସୀମାରେ ଶାନ୍ତି ପ୍ରତିଷ୍ଠା ଉପରେ ଗୁରୁତ୍ୱ ଦେଇଥିଲେ । ସୀମାରେ ଉତ୍ତେଜନା ହ୍ରାସ କରି ଯଥାସ୍ଥିତି ବଜାୟ ରଖିବାକୁ ଉଭୟ ପକ୍ଷ ରାଜି ହୋଇଥିଲେ ।

ସମ୍ବନ୍ଧିତ ଖବର