ଟୁଲକିଟ ହଟାଇଦିଅ, ୟୁଏପିଏ ଲାଗିପାରେ; ଗ୍ରେଟାଙ୍କୁ ଏଭଳି ମେସେଜ କରିଥିଲେ ଦିଶା

ନୂଆଦିଲ୍ଲୀ: ନୂତନ କୃଷି ଆଇନକୁ ବିରୋଧ କରି ଭାରତରେ ଜାରି ରହିଥିବା ଚାଷୀ ଆନ୍ଦୋଳନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ପରିବେଶ କର୍ମୀ ଗ୍ରେଟା ଥନବର୍ଗ ଟୁଇଟ କରିଥିବା ଟୁଲକିଟର ସମ୍ପାଦନା କରିଥିବାରୁ ବେଙ୍ଗାଲୁରୁର ଯୁବ ଜଳବାୟୁ କର୍ମୀ ଦିଶା ରବି(୨୧)ଙ୍କୁ ଦିଲ୍ଲୀ ପୁଲିସ ଶନିବାର ଗିରଫ କରିଥିଲା। ଗତକାଲି ଦିଶାଙ୍କ ସହ ନିକିତା ଜାକୋବ ଏବଂ ଶାନ୍ତନୁ ମୁଲୁକ ସାମିଲ ଥିଲେ ବୋଲି ଜଣାପଡ଼ିଥିଲା। ଏ ମଧ୍ୟରେ ଏକ ହ୍ବାଟସଆପ ଚାଟ୍ ସାମ୍ନାକୁ ଆସିଛି, ଯେଉଁଥିରେ ଫେବ୍ରୁଆରି ୩ ରାତିରେ ସ୍ୱିଡେନର ଜଳବାୟୁ କର୍ମୀ ଗ୍ରେଟା ଥନବର୍ଗ ଏବଂ ଦିଶା ରବି ପରସ୍ପର ସହ କଥା ହୋଇଥିଲେ। ଚାଟରୁ ଜଣାପଡ଼ିଛି ଯେ, ଯେତେବେଳେ ଗ୍ରେଟା ହଠାତ୍ ଟୁଲକିଟ ଟ୍ୱିଟ୍ କରିଥିଲେ, ଏହା ଦେଖି ଡ଼ରି ଯାଇଥିଲେ ଦିଶା। ୟୁଏପିଏ ଲାଗିବାର ଡ଼ର ତାଙ୍କ ମନକୁ ଆସିବା ପରେ ସେ ‌ତୁରନ୍ତ ଟୁଲକିଟ ହଟାଇଦେବାକୁ ଗ୍ରେଟାଙ୍କୁ କହିଥିଲେ।

ସୂଚନା ମୁତାବକ, ଗ୍ରେଟା ଥନବର୍ଗ ଫେବ୍ରୁଆରି ୩ରେ କୃଷକ ଆନ୍ଦୋଳନକୁ ନେଇ ଏକ ଟୁଲକିଟ ଟୁଇଟ କରିଥିଲେ, ଯାହା ପରେ ଏହାକୁ ସେ ହଟାଇଦେଇଥିବା ଦେଖାଯାଇଥିଲା। ସେହିଦିନ ରାତିରେ ଦିଶା ଏବଂ ଗ୍ରେଟା ହ୍ବାଟ୍ସଆପରେ ଚାଟ କରିଥିଲେ। ରାତି ୯ଟା ୨୩ମିନିଟରେ ଦିଶା ମେସେଜ୍ କରି ଗ୍ରେଟାଙ୍କୁ ନିଜ ଭୁଲ୍ ବିଷୟ‌ରେ କହିଥିଲେ। ଏହାର ଦୁଇ ମିନିଟ୍ ପରେ ଅର୍ଥାତ ରାତି ୯ଟା ୨୫ମିନିଟରେ ଗ୍ରେଟା ଦିଶାଙ୍କୁ ମେସେଜ କରିଥିଲେ।

Image result for disha-ravi
Zee News

ଦିଶା ଗ୍ରେଟାଙ୍କୁ ମେସେଜ କରି କହିଥିଲେ ଯେ, ଆପଣ ଟୁଲକିଟକୁ ସଂପୂର୍ଣ୍ଣ ଟ୍ୱିଟ୍ ନକରିବା ସମ୍ଭବ କି? ଆମେ କିଛି ସମୟ ଅପେକ୍ଷା କରିପାରିବା କି… ମୁଁ ଓକିଲମାନଙ୍କ ସହ କଥାବାର୍ତ୍ତା କରିବାକୁ ଯାଉଛି… ମୁଁ ଦୁଃଖିତ, କିନ୍ତୁ ଏଥିରେ ଆମର ନାମ ଅଛି। ଏହା ଦ୍ବାରା ୟୁଏପିଏ ଅଧୀନରେ ଆମ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ଏହାର ଜବାବ ଗ୍ରେଟା ନଦେବା ପରେ ଦିଶା ସେ ଠିକ ଅଛନ୍ତି କି ନାହିଁ ପଚାରିଥିଲେ।

ଜବାବରେ ଗ୍ରେଟା କହିଥିଲେ, ମୋତେ କିଛି ଲେଖିବାର ଆବଶ୍ୟକତା ଅଛି। ଏହା ପରେ ଦିଶା ଲେଖିଛନ୍ତି, ମୋତେ ୫ମିନିଟ ଦେଇପାରିବେ କି? ମୁଁ ଓକିଲମାନଙ୍କ ସହ କଥା ହେବି। ଏହା ପରେ ଦିଶା ବାରମ୍ବାର ଗ୍ରେଟାଙ୍କୁ ଭୁଲ ମାଗିବା ସହ ପରିସ୍ଥିତି ଧୀରେ ଧୀରେ ଖରାପ ହେଉଥିବା ଦେଖି ସେ ଗ୍ରେଟାଙ୍କୁ ସବୁ କିଛି ନିଷ୍କ୍ରିୟ କରିବାକୁ ହେବ ବୋଲି କହିଥିଲେ। ଦିଶାଙ୍କ ଗିରଫ ପରେ ଏବେ ତାଙ୍କର ଏହି ହ୍ବାଟସଆପ ଚାଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ସମ୍ବନ୍ଧିତ ଖବର