ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କ ନାଗରିକତ୍ୱ ତଦନ୍ତ କରିବାକୁ ଦାବି କରାଯାଇଥିବା ଏକ ପିଟିସନ୍କୁ ସୁପ୍ରିମ୍ କୋର୍ଟ ଖାରଜ କରିଛନ୍ତି। ୪୮ ବର୍ଷିୟ ରାହୁଳଙ୍କୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନ କରାଇ ଦେବାକୁ ଦାବି କରିବା ସହ ଏହି ପିଟିସନ୍ରେ କୁହାଯାଇଛି ଯେ ଗୋଟାଏ କମ୍ପାନି ରିପୋର୍ଟ ଅନୁସାରେ, ସେ ବ୍ରିଟିସ୍ ନାଗରିକ ତାଲିକାଭୁକ୍ତ।
ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ କହିଛନ୍ତି: କେତେକ କମ୍ପାନି କେତେକ ଫର୍ମରେ ରାହୁଳ ଗାନ୍ଧୀଙ୍କୁ ବ୍ରିଟିସ୍ ନାଗରିକ ଭାବେ ଉଲ୍ଲେଖ କଲେ ବୋଲି କ’ଣ ସେ ବ୍ରିଟିସ୍ ନାଗରିକ ହୋଇଗଲେ? ପିଟିସନ ଖାରଜ ହେଲା।
ନାଗରିକତ୍ୱ ସଂକ୍ରାନ୍ତରେ ଆସୁଥିବା ଅଭିଯୋଗ ସଂକ୍ରାନ୍ତରେ ସ୍ପଷ୍ଟ କରିବାକୁ କଂଗ୍ରେସ ଅଧ୍ୟକ୍ଷଙ୍କୁ ଗୃହ ମନ୍ତ୍ରାଳୟ ପୂର୍ବରୁ ନୋଟିସ୍ ଦେଇଥିଲା। ସେତେବେଳେ ରାହୁଳ ଗାନ୍ଧୀ ବ୍ରିଟିସ୍ ନାଗରିକ ବୋଲି ବିଜେପି ସାଂସଦ ସୁବ୍ରମଣିଆନ ସ୍ୱାମୀ ଅଭିଯୋଗ କରିଥିଲେ।
ଲଣ୍ଡନ୍ରେ ଟ୍ୟାକ୍ସ ରିଟର୍ଣ୍ଣ କରିଥିବାରୁ ଏବଂ ସେଥିରେ ସେ ବ୍ରିଟିସ୍ ନାଗରିକ ବୋଲି ଉଲ୍ଲେଖ କରାଯାଇଥିବାରୁ ତାଙ୍କ ଲୋକସଭା ସଦସ୍ୟତା ବାତିଲ କରାଯାଉ ବୋଲି ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନେୀ ବେଞ୍ଚ୍ରେ ମଧ୍ୟ ଏକ ପିଟିସନ ଦାଏର୍ ହୋଇଥିଲା।