ନୂଆଦିଲ୍ଲୀ: ପଶ୍ଚିମବଙ୍ଗର କୁଳପତିମାନଙ୍କ ପାଇଁ ଅପମାନଜନକ ଭାଷା ପ୍ରୟୋଗ କରିଥିବାରୁ ପଶ୍ଚିମବଙ୍ଗ ଶିକ୍ଷାମନ୍ତ୍ରୀ ବ୍ରାତ୍ୟ ବସୁଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମାଲୋଚନା କରିବା ସହ ଏହାକୁ ଏକ ରାଜ୍ୟ, ଏହାର ସଂସ୍କୃତି ଓ ସଭ୍ୟତାର ଅପମାନ ବୋଲି କହିଛନ୍ତି। ଗତରାତିରେ ପ୍ରଧାନ କୋଲକାତାରେ ରାଜ୍ୟ ବିଶ୍ୱବିଦ୍ୟାଳୟର ୫ ଜଣ କୁଳପତିଙ୍କ ସହ ବୈଠକ ଡାକିବା ପରେ ବିବାଦ ଉପୁଜିଥିଲା। ଅନ୍ତରୀଣ କୁଳପତି ନିଯୁକ୍ତିକୁ ନେଇ ରାଜଭବନ ଏବଂ ରାଜ୍ୟର ତୃଣମୂଳ କଂଗ୍ରେସ ସରକାର ମଧ୍ୟରେ ବିବାଦ ଚାଲିଥିବା ବେଳେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ବସୁ ଏକ୍ସ (ଟ୍ବିଟର)ରେ ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କ ଦ୍ୱାରା ନିଯୁକ୍ତ ପାଞ୍ଚ ଜଣ କୁଳପତିଙ୍କ ଉପରେ ମନ୍ତବ୍ୟ ଦେଇ କହିଥିଲେ, ‘‘ମିଷ୍ଟର ବଣ୍ଡ (ରାଜ୍ୟପାଳ ସିଭି ଆନନ୍ଦ ବୋଷ)ଙ୍କ ଦ୍ୱାରା ‘ସ୍ୱୀକୃତିପ୍ରାପ୍ତ’ ରାଜ୍ୟ ଅନୁଦାନପ୍ରାପ୍ତ ବିଶ୍ୱବିଦ୍ୟାଳୟର ୫ ଜଣ ଗୋଲାମ କୁଳପତି ଆଜି ଜଣେ କେନ୍ଦ୍ରୀୟ ବିଜେପି ମନ୍ତ୍ରୀଙ୍କୁ ଭେଟିଛନ୍ତି! ଆଶା କରୁଛୁ ମାନ୍ୟବର ଅଦାଲତଙ୍କ ନଜର ପଡ଼ୁଥିବ! #ଅତ୍ୟାଚାର# ପଶ୍ଚିମବଙ୍ଗର ଉଚ୍ଚଶିକ୍ଷା ବ୍ୟବସ୍ଥା ନଷ୍ଟ ହୋଇଗଲା!’’
ଏହି ପୋଷ୍ଟର ଜବାବ ଦେଇ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଏଭଳି ଭାଷା ପଶ୍ଚିମବଙ୍ଗ ଶିକ୍ଷାମନ୍ତ୍ରୀଙ୍କ ମୁହଁରେ ଶୋଭା ପାଉନାହିଁ। ସେ ଯଥେଷ୍ଟ ଶିକ୍ଷିତ। କିଛି ସମ୍ମାନିତ କୁଳପତି ଓ ଶିକ୍ଷାବିତ୍ ମୋତେ ଭେଟିଥିଲେ ଏବଂ ଆମେ ଏନ୍ଇପି ଏବଂ ରାଜ୍ୟର ଶିକ୍ଷା ପରିସ୍ଥିତି ବିଷୟରେ ଆଲୋଚନା କରିଥିଲୁ। ଏହା ଏକଚ୍ଛତ୍ରବାଦ ନୁହେଁ। ଗଣତନ୍ତ୍ରରେ ଯେ କୌଣସି ବ୍ୟକ୍ତିଙ୍କୁ ଭେଟିହେବ। ଏଭଳି ମନ୍ତବ୍ୟ ଦେଇ ବସୁ ନିଜର ରାଜ୍ୟ, ସଂସ୍କୃତି ଓ ସଭ୍ୟତାକୁ ଅପମାନିତ କରିଛନ୍ତି ବୋଲି ପ୍ରଧାନ କହିଛନ୍ତି। ତୃଣମୂଳ ସାଂସଦ ଶାନ୍ତନୁ ସେନ କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଜାଣିଛନ୍ତି କି ସେମାନଙ୍କ ମନୋନୀତ ରାଜ୍ୟପାଳ ନିଜ ଇଚ୍ଛାରେ କୁଳପତି ନିଯୁକ୍ତି ଦେଉଛନ୍ତି, କୁଳାଧିପତି ଭାବେ ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି ଦାୟିତ୍ୱ ନେଉଛନ୍ତି ଏବଂ ଜଣେ ଅଣ ଶିକ୍ଷାବିତ୍ଙ୍କୁ କୁଳପତି ଭାବେ ନିଯୁକ୍ତି ଦେଇଛନ୍ତି?