କ୍ଷମତାକୁ ଫେରୁ ଫେରୁ ଡ୍ରଗ୍ସ ଚୋରା ଚାଲାଣ ଆରମ୍ଭ କରିଦେଲାଣି ତାଲିବାନ, ଗୁଜୁରାଟରେ ୨୧ ହଜାର କୋଟିର ହେରୋଇନ ଜବତ

ନୂଆଦିଲ୍ଲୀ : ଆଫଗାନିସ୍ତାନରେ କ୍ଷମତାକୁ ଫେରୁ ଫେରୁ ତାଲିବାନ ନିଜର ପୁରୁଣା ବ୍ୟବସାୟ ଆରମ୍ଭ କରିଦେଲାଣି । ଗତ ସପ୍ତାହରେ ଗୁଜୁରାଟର ମୁନ୍ଦ୍ରା ବନ୍ଦରରୁ ୨୧ ହଜାର କୋଟି ଟଙ୍କା ମୂଲ୍ୟର ପ୍ରାୟ ୩ ହଜାର କିଲୋଗ୍ରାମ ହେରୋଇନ ଧରାପଡ଼ିବା ପରେ ଏହି ସଂଦେହ ଦୃଢ ହେବାରେ ଲାଗିଛି ।

ପୂର୍ବର ଅସରଫ ଗନି ସରକାରରେ ଡ୍ରଗ୍ସ ଚୋରାଚାଲାଣ ଉପରେ ନିଷେଧାଜ୍ଞା ଲଗାଯାଇଥିଲା । କିନ୍ତୁ ଡ୍ରଗ୍ସ ଚୋରା କାରବାର ତାଲିବାନର ମୁଖ୍ୟ ଆୟସ୍ରୋତ ହୋଇଥିବାରୁ ତାଲିବାନ ଏହାକୁ ପୁଣି ଆରମ୍ଭ କରିଦେଇଛି ।

ଗତ ସପ୍ତାହରେ ଭାରତର ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ ପକ୍ଷରୁ ମୁନ୍ଦ୍ରା ବନ୍ଦରରୁ ଦୁଇଟି କଣ୍ଟେନରରେ ଏସବୁ ହେରୋଇନକୁ ଚିହ୍ନଟ କରାଯାଇଥିଲା । ଏସବୁ ନିଶାଦ୍ରବ୍ୟ ଆଫଗାନିସ୍ତାନର କାନ୍ଦାହାରରୁ ପାକିସ୍ତାନ ଦେଇ ଆସିଥିବା ଜଣାପଡ଼ିଛି । ଭାରତର କେନ୍ଦ୍ରୀୟ ପରୀକ୍ଷାଗାରରେ କରାଯାଇଥିବା ନମୁନା ପରୀକ୍ଷଣରୁ ଜଣାପଡ଼ିଛି ଯେ ଏସବୁ ହେରୋଇନ ଅତି ଉଚ୍ଚ ମାନର । କାନ୍ଦାହାର ତାଲିବାନର ଗଡ଼ ହୋଇଥିବାରୁ ଏତେ ବଡ଼ ପରିମାଣର ହେରୋଇନ ତାଲିବାନ ହିଁ ପଠାଇଥାଇପାରେ ବୋଲି ସଂଦେହ କରାଯାଉଛି । ଏଥିରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ମଧ୍ୟ ସଂପୃକ୍ତ ଥିବା କୁହାଯାଉଛି । ଏହି ମାମଲାରେ ଦିଲ୍ଲୀରେ ଥିବା କିଛି ଆଫଗାନ ନାଗରିକଙ୍କୁ ଅଟକ ରଖି ପଚରା ଉଚୁରା କରାଯାଉଛି ।

ସମ୍ବନ୍ଧିତ ଖବର