ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ଏଲନ୍ ମସ୍କଙ୍କ ମଧ୍ୟରେ ବଢ଼ୁଛି ବିବାଦ । ଏପରିକି ଦୁହେଁ ଖୋଲାଖୋଲି ପରସ୍ପର ବିରୋଧରେ ବୟାନବାଜି କରିବା ଆରମ୍ଭ କରିଦେଇଛନ୍ତି । ସେ ନଥିଲେ ଟ୍ରମ୍ପ୍ ନିର୍ବାଚନ ହାରିଯାଇଥାନ୍ତେ ବୋଲି ଖୋଲାଖୋଲି ଭାବେ କହିଛନ୍ତି ଟେସ୍‌ଲା ମାଲିକ ଏଲନ୍ ମସ୍କ । 

Advertisment

ଇଡି ଗାଡି କ୍ଷେତ୍ରରେ ଆମେରିକା ସରକାର ଦେଉଥିବା ସବ୍‌ସିଡି ହ୍ରାସ କରିବାକୁ ନେଇ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଏଲନ ମସ୍କ ମୁହାଁମୁହିଁ ହୋଇଛନ୍ତି । ଏହାରି ଭିତରେ ଟେସଲା ସେୟାରରେ ୧୭ ପ୍ରତିଶତ ହ୍ରାସ ଘଟିଛି । ଏଲନ ମସ୍କଙ୍କୁ ୧୦୦ ବିଲିୟଲ ଡଲାର ଅର୍ଥାତ୍ ପ୍ରାୟ ୮୬ ଲକ୍ଷ କୋଟି ଟଙ୍କା ହରାଇବାକୁ ପଡ଼ିଛି । ନିକଟରେ ମସ୍କ ଟ୍ରମ୍ପଙ୍କ ଟିକସ ଏବଂ ଖର୍ଚ୍ଚ ସମ୍ବନ୍ଧିତ ବିଲକୁ ସମାଲୋଚନା କରିଥିଲେ । ଯାହାକୁ ନେଇ ଟ୍ରମ୍ପ କ‌ହିଛନ୍ତି, ‘ମସ୍କଙ୍କୁ ପୂର୍ବରୁ ଟିକସ ଏବଂ ଖର୍ଚ୍ଚ ବିଲ୍ ବାବଦରେ ସବୁକିଛି ଜଣାଥିଲା । କିନ୍ତୁ ସେତେବେଳେ ତାଙ୍କୁ କିଛି ଅସୁବିଧା ହୋଇନଥିଲା  I ଇଲେକ୍ଟ୍ରିକ୍ ଯାନ (ଇଭି) କ୍ରୟ ମାଣ୍ଡେଟ୍ ହ୍ରାସ କରିବାକୁ ପଡ଼ିବ ବ ବୋଲି ଜାଣିବା ପରେ ଅଚାନକ ମସ୍କଙ୍କୁ ଏହି ବିଲ୍‌କୁ ନେଇ ଅସୁବିଧା ହୋଇଥିଲା । ସବୁକିଛି ଜାଣି ଏବେ ବିଲ୍‌କୁ ବିରୋଧ କରି ମସ୍କ ବେଶ୍ ନିରାଶ କରିଛନ୍ତି । ମୁଁ ମସ୍କଙ୍କୁ ବହୁତ ସାହାଯ୍ୟ କରିଛି । ମୁଁ ସବୁବେଳେ ମସ୍କଙ୍କୁ ପସନ୍ଦ କରୁଥୁଲି । ସେ ପୂର୍ବରୁ ମୋ ବିଷୟରେ ବହୁତ ଭଲ କଥା କହିଛନ୍ତି । କିନ୍ତୁ ଏବେ ମସ୍କଙ୍କ ସହ ମୋର ସମ୍ପର୍କ ପୂର୍ବ ଭଳି ରହିବ କି ତାହା ଜଣାନାହିଁ । ମସ୍କ ଚାହୁଁଛନ୍ତି ସବ୍‌ସିଡି ମାଧ୍ୟମରେ ଆମେ କୋଟି କୋଟି ଡଲାର୍ ଦେଉ’ । 

ଟ୍ରମ୍ପଙ୍କ ଏଭଳି ଅଭିଯୋଗ ଉପରେ କଡ଼ା ପ୍ରତିକ୍ରିୟା ରଖୁଛନ୍ତି ଏଲନ ମସ୍କ । ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ସେ ନ ଥିଲେ ଟ୍ରମ୍ପ ନିର୍ବାଚନରେ ହାରିଥାନ୍ତେ । ଡେମୋକ୍ରାଟ୍‌ସ ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭସକୁ କବ୍‌ଜା କରିନେଇଥାନ୍ତେ ଏବଂ ସିନେଟରେ ରିପବ୍ଲିକାନ୍‌ ୫୧-୪୯ ବ୍ୟବଧାନରେ ଜିତିଥାନ୍ତେ । ଏଥିପ୍ରତି ଟ୍ରମ୍ପ କୃତଜ୍ଞ ରହିବା କଥା । ସରକାର ଇଭି ଏବଂ ସୌରଶକ୍ତିରେ ସବ୍‌ସିଡି ତ କମ୍ କରିଦେଲେ କିନ୍ତୁ ତେଲ, ଗ୍ୟାସ୍‌ କମ୍ପାନି ଗୁଡ଼ିକୁ ମିଳୁଥିବା ଛାଡ଼ ପୂର୍ବଭଳି ରଖିଲେ । ଏହା ଆଦୌ ଉଚିତ ନୁହେଁ। ବିଲ୍‌ରେ ବହୁତ ଅଯଥା ଖର୍ଚ୍ଚ ଯୋଡ଼ାଗଲା ଯାହାକୁ ହଟାଯିବା କଥା ।