ନୂଆଦିଲ୍ଲୀ: ରାଜସ୍ଥାନ ବିଧାନସଭା ନିର୍ବାଚନକୁ ମାତ୍ର ଏକ ବର୍ଷ ବାକି ଥିବାବେଳେ ଏହାପୂର୍ବରୁ ବିଜେପିରେ ମତଭେଦ ଦେଖାଦେଇଛି। ଦଳରେ ଥିବା ମତଭେଦକୁ ଦୂର କରିବା ପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଜି ତାଙ୍କ ବାସଭବନରେ ରାଜସ୍ଥାନର ବିଜେପି ନେତାଙ୍କ ସହ ଏକ ବୈଠକ କରିଛନ୍ତି | ତେବେ ବଡ କଥା ଯେ ଏହି ବୈଠକରେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଯୋଗ ଦେଇନାହାନ୍ତି | ଆଜିର ବୈଠକରେ କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାବତ, ଅର୍ଜୁନ ମେଘୱାଲ, ବିଜେପି ରାଜ୍ୟ ସଭାପତି ସତୀଶ ପୁନିଆ, ବିରୋଧୀ ଦଳର ନେତା ଗୁଲାବ ଚନ୍ଦ କଟାରିଆ, ରାଜ୍ୟ ସଂଗଠନର ସାଧାରଣ ସମ୍ପାଦକ ଚନ୍ଦ୍ରଶେଖର ପ୍ରମୁଖ ଯୋଗ ଦେଇଛନ୍ତି |

Advertisment

ସୂଚନା ମୁତାବକ ୨୦୨୩ ଶେଷ ଆଡକୁ ରାଜସ୍ଥାନରେ ନିର୍ବାଚନ ଅନୁଷ୍ଠିତ ହେବ | ଏହାକୁ ନେଇ ବିଜେପି ପ୍ରସ୍ତୁତି ଆରମ୍ଭ କରିଛି। କିନ୍ତୁ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଅସନ୍ତୋଷ ଜାରି ରହିଛି | ବସୁନ୍ଧରାଙ୍କ ସମର୍ଥକମାନେ ତାଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ବୋଲି ଘୋଷଣା କରିବାକୁ ନିରନ୍ତର ଦାବି କରୁଛନ୍ତି।

ତେବେ ଦଳର ନେତାମାନେ କହିଛନ୍ତି ଯେ ବିଜେପିର ସଂସଦୀୟ ବୋର୍ଡ ମୁଖ୍ୟମନ୍ତ୍ରୀ ଚେହେରା ସ୍ଥିର କରିବ। ଅନ୍ୟପଟେ ବସୁନ୍ଧରାଙ୍କ ସମର୍ଥକ ଏବଂ ପୁନିଆଙ୍କ ସମର୍ଥକଙ୍କ ମଧ୍ୟରେ ଚାଲିଥିବା ବୟାନବାଜିକୁ ନେଇ ନଡ୍ଡା ଖପ୍ପା ଅଛନ୍ତି | ସୂଚନାଯୋଗ୍ୟ ଯେ ରାଜସ୍ଥାନ ବିଜେପିରେ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଶେଖାବତ-ପୁନିଆ ଓ ବସୁନ୍ଧରା ରାଜେ ପରସ୍ପରକୁ ଟାର୍ଗେଟ କରୁଛନ୍ତି।