ଦୀପିକାଙ୍କୁ ନେଇ ବିବାଦ ତେଜିଲା
ନୂଆଦିଲ୍ଲୀ : ଜେଏନ୍ୟୁ ଛାତ୍ରଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ବଲିଉଡ୍ ନିନ୍ଦା କରିବାର ଦିନକ ପରେ ଅଭିନେତ୍ରୀ ଦୀପିକା ପାଦୁକୋନ୍ ଗତକାଲି ହଠାତ୍ ଜେଏନ୍ୟୁ କ୍ୟାମ୍ପସ ଯାଇଥିଲେ। ଜେଏନ୍ୟୁ ଘଟଣା ତାଙ୍କ ମନରେ କ୍ରୋଧ ସୃଷ୍ଟି କରିଛି ବୋଲି ଦୀପିକା ଗଣମାଧ୍ୟମକୁ କହିଥିଲେ। ଏବେ ଦୀପିକାଙ୍କ ଏହି ଗସ୍ତକୁ ନେଇ ବିବାଦ ତେଜିବାରେ ଲାଗିଛି। ଜେଏନ୍ୟୁ କ୍ୟାମ୍ପସକୁ ଯାଇ ଦେଶବିରୋଧୀଙ୍କୁ ସମର୍ଥନ କରିବା ଠିକ୍ ହୋଇନାହିଁ ବୋଲି ବିଜେପି କହିଥିବା ବେଳେ ତାଙ୍କ ଫିଲ୍ମ ବର୍ଜନ କରିବା ପାଇଁ ମଧ୍ୟ କେତେକ ନେତା ଆହ୍ବାନ ଦେଇଛନ୍ତି। ମଧ୍ୟପ୍ରଦେଶ ବିଜେପି ବିଧାୟକ ରାମେଶ୍ବର ଶର୍ମା କହିଛନ୍ତି ଯେ ଦୀପିକା ଦେଶଦ୍ରୋହୀଙ୍କ ପକ୍ଷ ନେଇଛନ୍ତି। ସେ କହିଛନ୍ତି, ଦୀପିକା ଅମିତାଭ ବଚ୍ଚନଙ୍କଠାରୁ ଶିକ୍ଷାଲାଭ କରିବା ଉଚିତ୍। ଅମିତାଭ କେବେ ଦେଶଦ୍ରୋହୀଙ୍କ ସପକ୍ଷରେ କହିନାହାନ୍ତି ବୋଲି ଶର୍ମା କହିଛନ୍ତି। ଅନ୍ୟପକ୍ଷରେ ଦୀପିକାଙ୍କୁ ବଲିଉଡରୁ ସମର୍ଥନର ସୁଅ ଛୁଟିଛି।