ପାଇଲଟଙ୍କୁ ସାମୟିକ ଆଶ୍ୱସ୍ତି, ସଭ୍ୟପଦ ରଦ୍ଦ ବାବଦରେ ଜୁଲାଇ ୨୪ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନ ନେବାକୁ ବାଚସ୍ପତିଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଜୟପୁର : ରାଜସ୍ଥାନ ହାଇକୋର୍ଟ ମଙ୍ଗଳବାରଦିନ ରାଜସ୍ଥାନ କଂଗ୍ରେସର ବିଦ୍ରୋହୀ ନେତା ସଚିନ ପାଇଲଟ ଓ ଅନ୍ୟ ୧୮ ବିଧାୟକଙ୍କୁ ଆଂଶିକ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । ଏହି ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷିତ କରିବାକୁ ବିଧାନସଭା ବାଚସ୍ପତି ସିପି ଜୋଷୀଙ୍କ ପକ୍ଷରୁ ଜାରି ନୋଟିସ ମାମଲାର ବିଚାର କରି କୋର୍ଟ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ବାଚସ୍ପତି କୌଣସି ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି କହିଛନ୍ତି ।

ଜଷ୍ଟିସ ଇନ୍ଦ୍ରଜିତ ମହାନ୍ତି ଓ ପ୍ରକାଶ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ରାୟ ଆସନ୍ତା ଜୁଲାଇ ୨୪ ଶୁଣାଇବାକୁ ଧାର୍ଯ୍ୟ କରିଛନ୍ତି । ଏହି ସମୟ ମଧ୍ୟରେ ବିଦ୍ରୋହୀ ବିଧାୟକମାନଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗରେ କୌଣସି ନିଷ୍ପତ୍ତି ନ ନେବାକୁ କୋର୍ଟ ବାଚସ୍ପତିଙ୍କୁ କହିଛନ୍ତି ।
ପାଇଲଟ ଗୋଷ୍ଠୀଙ୍କ ପକ୍ଷରୁ ବରିଷ୍ଠ ଓକିଲ ମୁକୁଲ ରୋହତଗୀ ଓ ହରିଷ ସାଲଭେ ଯୁକ୍ତି ଉପସ୍ଥାପନ କରିଥିଲେ । ମୁକୁଲ ରୋହତଗୀ କହିଥିଲେ ଯେ ସରକାରର ନେତୃତ୍ୱ ପରିବର୍ତ୍ତନ କରିବା ସଚ୍ଚିନ ପାଇଲଟଙ୍କ ଉଦ୍ୟମ ଥିଲା, କିନ୍ତୁ ସରକାର ଭାଙ୍ଗିବା ପାଇଁ ସେ କୌଣସି ଉଦ୍ୟମ କରିନଥିଲେ । ଏଣୁ ଏଥିପାଇଁ ତାଙ୍କ ବିରୁଦ୍ଧରେ ଦଳ ବଦଳ ଆଇନ ଲାଗୁ ହେବ ନାହିଁ ।

ସେହିପରି ବାଚସ୍ପତିଙ୍କ ପକ୍ଷରୁ ବରିଷ୍ଠ କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭି ଯୁକ୍ତି ଉପସ୍ଥାପନ କରିଥିଲେ ଯେ ବାଚସ୍ପତି କେବଳ ବିଦ୍ରୋହୀ ବିଧ୍ୟାୟକମାନଙ୍କୁ ନୋଟିସ ପଠାଇଛନ୍ତି, ଅଯୋଗ୍ୟତା ସଂପର୍କରେ କୌଣସି ନିଷ୍ପତ୍ତି ନେଇ ନାହାନ୍ତି ।
ସଚିନ ପାଇଲଟଙ୍କୁ ଗତ ସପ୍ତାହରେ କଂଗ୍ରେସ ହାଇକମାଣ୍ଡ ଉପମୁଖ୍ୟମନ୍ତ୍ରୀ ଓ ପିସିସି ସଭାପତି ପଦରୁ ହଟାଇଦେଇଥିଲେ ।

ସମ୍ବନ୍ଧିତ ଖବର