ରାହୁଲଙ୍କ ସବରକର ଟିପ୍ପଣୀ: ଅ‌ସନ୍ତୋଷ ତେଜିଲା

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧି ସ୍ବାଧୀନତା ସଂଗ୍ରାମୀ ବୀର ସବରକରଙ୍କ ବିରୋଧରେ ଦେଇଥିବା ଟିପ୍ପଣୀ ପାଇଁ ବିବାଦ ଏବଂ ବିରୋଧ ତେଜୁଥିବାରୁ ପୁଲିସ ଶୁକ୍ରବାର ଦିନ ଭାରତ ଯୋଡ଼ୋ ଯାତ୍ରା ପାଇଁ ସୁରକ୍ଷା କଡ଼ାକଡ଼ି କରିଛି। ମହାରାଷ୍ଟ୍ରର ବୁଲଧନା ଜିଲ୍ଲାର ଶେଗାଓଁରେ ରାହୁଲଙ୍କ ରାଲି ପାଇଁ ପୁଲିସ ଶୁକ୍ରବାର ଦିନ ସୁରକ୍ଷା କଡ଼ାକଡ଼ି କରିଛି। ରାହୁଲ ଶୁକ୍ରବାର ସନ୍ଧ୍ୟାରେ ଶେଗାଓଁରେ ରାଲି କରିଛନ୍ତି। ଜଣେ ଅଧିକାରୀ କହିଛନ୍ତି, ରାହୁଲ ସବରକରଙ୍କ ବିରୋଧରେ ଦେଇଥିବା ଟିପ୍ପଣୀ ପାଇଁ ଏମଏନଏସ (ମହାରାଷ୍ଟ୍ର ନବନିର୍ମାଣ ସେନା) କର୍ମୀମାନେ ଆନ୍ଦୋଳନ ଯୋଜନା କରିଛନ୍ତି। ଏଥିପାଇଁ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଏସଆରପିଏଫ୍‌ (ଷ୍ଟେଟ ରିଜର୍ଭ ପୁଲିସ ଫୋର୍ସ) ଏବଂ କ୍ୟୁଆର୍‌ଟି ( କ୍ବିକ୍‌ ରେସପନ୍ସ ଟିମ୍‌)ର ପ୍ରାୟ ୧୭୦୦ ପୁଲିସ ଶେଗାଓଁରେ ମୁତୟନ ହୋଇଛନ୍ତି। ସାଧା ପୋଷାକରେ ୭୦୦ ପୁଲିସ ମୁତୟନ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ, ଗୁରୁବାର ଦିନ ଏମ୍‌ଏନଏସ ପକ୍ଷରୁ ଧମକ ଦିଆଯାଇ କୁହାଯାଇଥିଲା ଯେ ଶେଗାଓଁରେ ରାହୁଲଙ୍କୁ କଳା ପତାକା ପ୍ରଦର୍ଶନ କରାଯିବ।

ରାହୁଲଙ୍କ ସବରକର ଟିପ୍ପଣୀକୁ ବିରୋଧ କରି ଅନେକ ସଂଖ୍ୟାରେ ବିଜେପି କର୍ମୀ ଆଜି ପୁନେ ସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ପଶି ଭଙ୍ଗାରୁଜା କରିଛନ୍ତି ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଫଟୋ ବିକୃତ କରିବାପାଇଁ ଚେଷ୍ଟା କରିଛନ୍ତି। ଆନ୍ଦୋଳନକାରୀମାନେ ରାହୁଲ ଗାନ୍ଧିଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ ଏବଂ କଂଗ୍ରେସ ଭବନର କାନ୍ଥରେ ‘ମାଫିବୀର ଜବାହରଲାଲ ନେହରୁ’ ପୋଷ୍ଟର ଲଗାଇଥିଲେ। ଏହି ମାମଲାରେ ପୁଲିସ ୧୦-୧୫ ଜଣ ବିଜେପି କର୍ମୀଙ୍କୁ ଅଟକ ରଖିଛି। ଅନ୍ୟପକ୍ଷେ ସ୍ବାଧୀନତା ସଂଗ୍ରାମୀ ସବରକରଙ୍କ ବିରୋଧରେ ରାହୁଲ ଦେଇଥିବା ଅପମାନଜନକ ଟିପ୍ପଣୀ ପାଇଁ ଥାନେ ପୁଲିସରେ ତାଙ୍କ ବିରୋଧରେ ମାନହାନି ମାମଲା ରୁଜୁ ହୋଇଛି। ଗୁରୁବାର ଦିନ ରାହୁଲଙ୍କ ବିରୋଧ‌ରେ ଏତଲା ମଧ୍ୟ ରୁଜୁ ହୋଇଥିଲା। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ଶିବସେନାର ଜଣେ କାର୍ଯ୍ୟକର୍ତ୍ତା ବନ୍ଦନା ଡୋଙ୍ଗ୍ରେଙ୍କ ଦ୍ବାରା ରାହୁଲଙ୍କ ବିରୋଧରେ ମାନହାନି ମାମଲା ଦାଏର ହୋଇଛି। ଡୋ‌ଙ୍ଗ୍ରେ କହିଛନ୍ତି, ରାହୁଲ ସବରକରଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ ଦେଇ ନାଗରିକଙ୍କ ଭାବନାକୁ ଆଘାତ ଦେଇଛନ୍ତି।

ସମ୍ବନ୍ଧିତ ଖବର