ବୋମାଇଙ୍କ ପାଇଁ ଅଡ଼ୁଆ, ବିଭାଗ ବଣ୍ଟନ ପରେ ଅସନ୍ତୋଷ ବଢ଼ୁଛି

ବେଙ୍ଗାଲୁରୁ : କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ଚୌକିରେ ବସିବାର ମାତ୍ର ଅଳ୍ପଦିନ ମଧ୍ୟରେ ତାଙ୍କ ମୁଣ୍ଡରେ ଚାଳ ବାଜିବା ଭଳି ପରିସ୍ଥିତି ସୃଷ୍ଟି ହେଲାଣି। ପ୍ରଥମେ ମୁଖ୍ୟମନ୍ତ୍ରୀ ହେବାର କିଛିଦିନ ପରେ ସେ ଅନ୍ୟମାନଙ୍କୁ ତାଙ୍କ ମନ୍ତ୍ରିମଣ୍ଡଳରେ ସାମିଲ କରିଥିଲେ। ଏହାପରେ ନିକଟରେ ସେ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରିଥିଲେ। ତେବେ ବିଭାଗ ବଣ୍ଟନ ପରେ ମନ୍ତ୍ରୀ ଏବଂ ବିଜେପି ନେତାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

୨୦୧୯ରେ କର୍ଣ୍ଣାଟକରେ କଂଗ୍ରେସ ଜେଡିଏସ ମେଣ୍ଟ ସରକାର ଭାଙ୍ଗିବା ସମୟରେ କିଛି କଂଗ୍ରେସ ବିଧାୟକ ଦଳ ଛାଡ଼ି ବିଜେପିକୁ ଆସିଥିଲେ। ସେମାନଙ୍କ ମଧ୍ୟରେ ବେଶି ଅସନ୍ତୋଷ ବଢ଼ିଥିବା ଜଣାପଡ଼ିଛି। ୨୦୧୯ରେ ମେଣ୍ଟ ସରକାର ଭାଙ୍ଗିବା ସମୟରେ ଆନନ୍ଦ ସିଂହ ଚର୍ଚ୍ଚାରେ ଥିଲେ। କିନ୍ତୁ କଂଗ୍ରେସ ଛାଡ଼ି ବିଜେପିକୁ ଆସିଥିବା ଆାନନ୍ଦ ସିଂହ ତାଙ୍କୁ ମିଳିଥିବା ବିଭାଗକୁ ନେଇ ଆଦୌ ଖୁସି ନ‌ାହାନ୍ତି। ସେ କହିଛନ୍ତି, ମୁଁ ଯେଉଁ ଅନୁରୋଧ କରିଥିଲି ତାହା ପୂରଣ ହୋଇନାହିଁ। ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପୁଣିଥରେ ତାଙ୍କ ଦାବି ରଖିବେ ବୋଲି କହିଛନ୍ତି। ଆନନ୍ଦ ସିଂହ କର୍ଣ୍ଣାଟକ ସରକାରରେ ପର୍ଯ୍ୟଟନ ଏବଂ ପରିବେଶ ମନ୍ତ୍ରୀ ହୋଇଛନ୍ତି।

ସେହିପରି ଅନ୍ୟ ଜଣେ ନେତା ଏମ୍‌ଟିବି ନାଗରାଜ ମଧ୍ୟ ତାଙ୍କୁ ମିଳିଥିବା ଦାୟିତ୍ବକୁ ନେଇ ସନ୍ତୁଷ୍ଟ ନାହାନ୍ତି। ସେ ବି ୨୦୧୯ରେ କଂଗ୍ରେସ ଛାଡ଼ି ବିଜେପିକୁ ଆସିଥିଲେ। ତେବେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣର ଦିନକ ପରେ ସେ କହିଥିଲେ ଯେ, ପ୍ରତ୍ୟେକ ବ୍ୟକ୍ତି ନିଜ ଇଚ୍ଛା ମୁ୍ତାବକ ବିଭାଗ ପାଇପାରିବ‌େନି। ମୁଖ୍ୟମନ୍ତ୍ରୀ ବୋମାଇ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପା ତାଙ୍କୁ ଦେଇଥିବା କଥା ରଖିନାହାନ୍ତି ବୋଲି ସେ କହିଛନ୍ତି। ତେବେ ବୋମାଇ ଉକ୍ତ ପ୍ରସଙ୍ଗରେ ମନ୍ତବ୍ୟ ରଖି କହିଛନ୍ତି, କ୍ୟାବିନେଟ୍‌ ସମ୍ପ୍ରସାରଣ ପରେ ସାମାନ୍ୟ ଅସନ୍ତୋଷ ଦେଖାଦିଏ ଏବଂ ଏହାକୁ ସମାଧାନ କରିବାର କ୍ଷମତା ଆମର ଅଛି । ଆନନ୍ଦ ସିଂହ ଏବଂ ଏମ୍‌ଟିବି ନାଗରାଜଙ୍କ ସହ ସେ କଥା ହେବେ ବୋଲି କହିଛନ୍ତି।‌ ତେବେ ନେତାଙ୍କ ମଧ୍ୟରେ ଦେଖାଦେଇଥିବା ଅସନ୍ତୋଷ ସଂକ୍ରାନ୍ତରେ ଆଲୋଚନା ପାଇଁ ବୋମାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ବି ଏସ୍‌ ୟେଦୁରପ୍ପାଙ୍କୁ ଭେଟିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର