ବିଚ୍ଛିନତାବାଦୀ ନେତା ଅମୃତପାଲ ସିଂହ ଗିରଫ: ପଞ୍ଜାବରେ ସୁରକ୍ଷା କଡ଼ାକଡ଼ି,ଇଣ୍ଟରନେଟ୍‌ ସେବା ବନ୍ଦ

ଆଗୁଆ ଯୋଜନା ହୋଇଥିଲା, ଶାହ-ମାନ୍‌ଙ୍କ ବୈଠକରେ ନିଷ୍ପତ୍ତି ହୋଇଥିଲା

ଜଳନ୍ଧର: ବିଚ୍ଛିନତାବାଦୀ ନେତା ତଥା ‘ୱାରିସ ପଞ୍ଜାବ ଦେ’ ମୁଖ୍ୟ ଅମୃତପାଲ ସିଂହଙ୍କୁ ଆଜି ପଞ୍ଜାବ ପୁଲିସ ଜଳନ୍ଧର ଜିଲ୍ଲାର ମେହତପୁର ଅଞ୍ଚଳରୁ ଗିରଫ କରିଛି। ଅମୃତପାଲର କିଛି ସହଯୋଗୀଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ରାଜ୍ୟର ୭ ଜିଲ୍ଲାର ପୁଲିସଙ୍କୁ ନେଇ ଗଠନ ହୋଇଥିବା ଏକ ସ୍ବତନ୍ତ୍ର ଟିମ୍‌ ବିଚ୍ଛିନତାବାଦୀ ନେତା ଅମୃତପାଲଙ୍କୁ ଧରିବାପାଇଁ ଅତ୍ୟନ୍ତ ନାଟକୀୟ ଢଙ୍ଗରେ ଆଜି ତାଙ୍କ କନ୍‌ଭୟକୁ ପିଛା କରିଥିଲେ। ଅମୃତପାଲ ଜଳନ୍ଧରରୁ ଶାହକୋଟ ତହସିଲକୁ ଯାଉଥିବାବେଳେ ବାଟରେ ତାଙ୍କୁ ପୁଲିସ ପିଛା କରି ଗିରଫ କରିବାରେ ସଫଳ ହୋଇଛି। ତେବେ ଅମୃତପାଲ୍‌ର ସହଯୋଗୀମାନେ ଶାହକୋଟ ନିକଟରେ ସମର୍ଥକମାନଙ୍କୁ ଏକଜୁଟ ହେବାପାଇଁ ଏକ ଭିଡିଓ ପଠାଇବାରୁ ପୁଲିସ ଇଣ୍ଟ‌ରନେଟ୍‌ ସେବା ବନ୍ଦ କରିଦେଇଛି। ରବିବାର ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ସେବା ବନ୍ଦ ରହିଛି। ହିଂସା ହେବ ବୋଲି ଆଗୁଆ ଆକଳନ କରି ପୁଲିସ ଅମୃତସର ଜିଲ୍ଲା ଅଧୀନ ଅମୃତପାଲ୍‌ର ପୈତୃକ ଗ୍ରାମ ଜଲ୍ଲୁପୁର ଖଇରାରେ ସୁରକ୍ଷା କଡ଼ାକଡ଼ି କରିଛି। ଗ୍ରାମରେ ଅର୍ଦ୍ଧସାମରିକ ବଳ ମୁତୟନ ହୋଇଛନ୍ତି। ମେହତପୁରରେ ଅମୃତପାଲର ଅନେକ ସହଯୋଗୀ ଅଟକ ରହିଛନ୍ତି। ସୋସିଆଲ ମିଡିଆ ଦ୍ବାରା ହିଂସା ପାଇଁ ପ୍ରବର୍ତ୍ତାଉଥିବା କିଛି ବ୍ୟକ୍ତିଙ୍କୁ ମଧ୍ୟ ପୁଲିସ ଅଟକ ରଖିଛି। ଇତି ମଧ୍ୟରେ ପଞ୍ଜାବ ପୁଲିସ ଲୋକମାନଙ୍କୁ ଶାନ୍ତି ଏବଂ ସଦ୍‌ଭାବନା ବଜାୟ ରଖିବାକୁ କହିଛି।

ଗତ ଫେବ୍ରୁଆରି ୨୩ରେ ପଞ୍ଜାବରେ ହୋଇଥିବା ଏକ ବିଶାଳ ଆନ୍ଦୋଳନର ନେତୃତ୍ବ ନେଇଥିଲେ ଅମୃତପାଲ। ସହଯୋଗୀ ଲଭପ୍ରିତ ସିଂହଙ୍କ ଗିରଫକୁ ବିରୋଧ କରି ସେ ଏବଂ ତାଙ୍କ ସମର୍ଥକମାନେ ଖଣ୍ଡା ଏବଂ ବନ୍ଧୁକ ଧରି ଅଜନଲା ଥାନା ଘେରାଉ କରିଥିଲେ। ବ୍ୟାରିକେଡ୍‌ ଭାଙ୍ଗି ସେମାନେ ଅସ୍ତ୍ର ସହ ଥାନାରେ ପଶିଥିଲେ ଏବଂ ପୁଲିସ ସହ ସଂଘର୍ଷ କରିଥିଲେ। ସଂଘର୍ଷ ଯୋଗୁଁ କିଛି ପୁଲିସ ଆହତ ହୋଇଥିଲେ। ତେବେ ଲଭପ୍ରିତକୁ ଛଡ଼ାଯିବ ବୋଲି ପୁଲିସଠାରୁ ପ୍ରତିଶ୍ରୁତି ପାଇବାପରେ ସେମାନେ ଆନ୍ଦୋଳନ ଭାଙ୍ଗିଥିଲେ। ଅମୃତପାଲ ଏହି ହିଂସା ପାଇଁ ପରେ ପଞ୍ଜାବ ପୁଲିସକୁ ଦାୟୀ କରିଥିଲେ। ରବିବାର ଅମୃତପାଲ ସିଂହ ମୁକତସରରୁ ଖଲ୍‌ସା ୱାହିରର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ କରିବା ପୂର୍ବରୁ ଆଜି ତାଙ୍କୁ ଗିରଫ କରାଯାଇଛି।

ଆଇଏସ୍‌ଆଇ ସହ ଅମୃତପାଲଙ୍କ ସମ୍ପୃକ୍ତି

ନୂଆଦିଲ୍ଲୀ: ଖଲିସ୍ତାନୀ ନେତା ଅମୃତପାଲ ସିଂହ ଏବଂ ତାଙ୍କ ସହଯୋଗୀଙ୍କୁ ଗିରଫ ପାଇଁ ପଞ୍ଜାବ ପୁଲିସ ଆରମ୍ଭ କରିଥିବା ଅପରେସନ୍‌ ଉପରେ ଗୁଇନ୍ଦା ସଂସ୍ଥା କଡ଼ା ନଜର ରଖିଛନ୍ତି। ଆଇବି (ଇଣ୍ଟେଲିଜେନ୍ସ ବ୍ୟୁରୋ), ର (ରିସର୍ଚ୍ଚ ଆଣ୍ଡ ଆନାଲିସିସ୍‌ ୱିଙ୍ଗ୍‌) ଏବଂ ଅନ୍ୟ ଗୁଇନ୍ଦା ସଂସ୍ଥା ପଞ୍ଜାବ ସ୍ଥିତି ଉପରେ ନଜର ରଖିଛନ୍ତି। ଗୁଇନ୍ଦା ସଂସ୍ଥାକୁ ରିପୋର୍ଟ ମିଳିଛି ଯେ ଅମୃତପାଲ ସିଂହଙ୍କ ପା‌କିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ସହ ସମ୍ପୃକ୍ତି ରହିଛି। ପାକିସ୍ତାନର ଆଇଏସ୍‌ୱାଇଏଫ୍‌ (ଇଣ୍ଟରନେସନାଲ୍‌ ଶିଖ ୟୁଥ୍‌ ଫେଡେରେସନ୍‌) ମୁଖ୍ୟ ତଥା ଆତଙ୍କବାଦୀ ଲଖବୀର ସିଂହ ରୋଡ଼େର ଭାଇ ଯଶୱନ୍ତ ସିଂହ ସହ ଅମୃତପାଲଙ୍କର ଘନିଷ୍ଠ ସମ୍ପର୍କ ରହିଛି। ଅମୃତପାଲ ସିଂହଙ୍କ‌ କୋଷାଧ୍ୟକ୍ଷ ବସନ୍ତ ସିଂହ ପାକିସ୍ତାନରୁ ପାଣ୍ଠି ପାଉଛନ୍ତି। ଗତବର୍ଷ ଅମୃତପାଲ୍‌ ପଞ୍ଜାବ ଆସିବା ପରଠାରୁ ସୁରକ୍ଷାକର୍ମୀ ତାଙ୍କ ଉପରେ ନଜର ରଖିଥିଲେ। ପଞ୍ଜାବ ପୁଲିସ ମଧ୍ୟ ସତର୍କତା ଅବଲମ୍ବନ କରିଥିଲା।

ଆଗୁଆ ଯୋଜନା ହୋଇଥିଲା

ପଞ୍ଜାବକୁ ଅତିରିକ୍ତ ବାହିନୀ ପଠାଇଥିଲା କେନ୍ଦ୍ର
ଶାହ-ମାନ୍‌ଙ୍କ ବୈଠକରେ ନିଷ୍ପତ୍ତି ହୋଇଥିଲା

ଚଣ୍ଡିଗଡ଼: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ ଗତ ୨ ତାରିଖରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ। ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ପ୍ରସଙ୍ଗରେ ଶାହ ଏବଂ ମାନ୍‌ଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ବୈଠକରେ ହିଁ ଅମୃତପାଲଙ୍କୁ ଗିରଫ ପାଇଁ ‌ଯୋଜନା ପ୍ରସ୍ତୁତ ହୋଇଥିବା କୁହାଯାଉଛି। ମିଳିଥିବା ସୂଚନାନୁଯାୟୀ ଅମୃତପାଲ ସିଂହ ଫେରାର ଥିଲେ ଏବଂ ପୁଲିସ ତାଙ୍କ ପରିବାର ସଦସ୍ୟଙ୍କ ସହ ଯୋଗାଯୋଗରେ ଥିଲା। କୌଣସି ପ୍ରକାର ଆଇନ ଶୃଙ୍ଖଳା ସ୍ଥିତି ସୃଷ୍ଟି ନହେବାପାଇଁ ଅମୃତପାଲଙ୍କୁ ପୁଲିସ ନିକଟରେ ଆତ୍ମସମର୍ପଣ କରିବାପାଇଁ କୁହାଯାଇଥିଲା। ଅମୃତପାଲଙ୍କୁ ଗିରଫ କରିବାପାଇଁ କେନ୍ଦ୍ର ସରକାର ପଞ୍ଜାବକୁ ଅତିରିକ୍ତ ବାହିନୀ ପଠାଇଛନ୍ତି। ରାଜ୍ୟରେ ଜି-୨୦ ବୈଠକ ଶେଷ ହେବାପରେ ଅମୃତପାଲଙ୍କୁ ଗିରଫ ପାଇଁ ଯୋଜନା ହୋଇଥିଲା। ଉଲ୍ଲେଖଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଗତ ୨ ତାରିଖରେ ଏକ ଟ୍ବିଟ୍‌ କରି କହିଥି‌ଲେ ଯେ ସେ ଗୃହ ମନ୍ତ୍ରୀଙ୍କୁ ଭେଟିଛନ୍ତି ଏବଂ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ଦିଗରେ ଏକାଠି କାର୍ଯ୍ୟ କରିବାପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ରାଜି ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର