ବିଧାନସଭା ଭଙ୍ଗ ପ୍ରସଙ୍ଗ:କେନ୍ଦ୍ରକୁ ଅଡ଼ୁଆରେ ପକାଇଲେ ରାଜ୍ୟପାଳ

O ସଜାଦ୍‌ଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଥିଲା କେନ୍ଦ୍ର O ଏହା ରାଜ୍ୟବାସୀଙ୍କୁ ଧୋକା ହୋଇଥାନ୍ତା

ଶ୍ରୀନଗର: ‘ମୁଁ ଯଦି କେନ୍ଦ୍ର ସରକାରଙ୍କର ପରାମର୍ଶ ନେଇଥାନ୍ତି, ତାହା‌େହଲେ ମୋତେ ସଜାଦ ଲୋନଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ପଡ଼ିଥାନ୍ତା। ଏହା ହୋଇଥିଲେ ଇତିହାସରେ ମୋତେ ବିବେକହୀନ, ଧୋକାବାଜ ଏବଂ ବିଶ୍ବାସଘାତକ ବୋଲି ବର୍ଣ୍ଣନା କରାଯାଇଥାନ୍ତା। ଏଭଳି ନିନ୍ଦା ପୂର୍ବରୁ ମୁଁ ଏକାଥରକେ ସବୁ ସାରିଦେଲି। (ବିଧାନସଭ‌‌ା ଭାଙ୍ଗିଦେଲି।) ଯେଉଁମାନେ ମୋତେ ଗାଳି ଦେବାକୁ ଚାହାନ୍ତି, ସେମାନେ ଏହା କରିପାରିବେ। କିନ୍ତୁ ମୁଁ ଜାଣିଛି ଯେ ମୁଁ ଯାହା କରିଛି ଠିକ୍ କରିଛି।’ ଏହା ହେଉଛି ଜମ୍ମୁ-କଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ବୟାନ। ତାଙ୍କର ଏହି ବୟାନ କେବଳ ଯେ ଜାତୀୟ ରାଜନୀତିରେ ଝଡ଼ ସୃଷ୍ଟି କରିଛି ତାହା ନୁ‌େହଁ, ଏହା କେନ୍ଦ୍ର ସରକାରଙ୍କୁ ଅଡ଼ୁଆରେ ମଧ୍ୟ ପକାଇଦେଇଛି।
ରାଜ୍ୟରେ ବିରୋଧୀ ଦଳ ମେଣ୍ଟ କରି ସରକାର ଗଠନ କରିବାକୁ ଉଦ୍ୟମ ଚଳାଇଥିବା ବେଳେ ରାଜ୍ୟପାଳ ଗତ ସପ୍ତାହ ରାଜ୍ୟ ବିଧାନସଭାକୁ ଭାଙ୍ଗିଦେଇଥିଲେ। ଏହାକୁ ନେଇ ଚାରି ଆଡ଼ୁ ତାଙ୍କୁ ସମାଲୋଚନା କରାଯାଉଛି। ତେବେ ନିଜ ପଦକ୍ଷେପ ସପକ୍ଷରେ ଦୃଢ଼ ଯୁକ୍ତି ଦର୍ଶାଇ ସେ କହିଛନ୍ତି, ଏଭଳି ପଦକ୍ଷେପ ନେବା ପରେ ମୁଁ ରାଜ୍ୟପାଳ ରହିବି କି ନାହିଁ, ତାହା ଜାଣିନାହିଁ। କିନ୍ତୁ ସଜାଦ୍‌ (ଜମ୍ମୁ କଶ୍ମୀର ପିପୁଲ୍ସ କନ୍‌ଫରେନ୍ସ ମୁଖ୍ୟ)ଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲେ, ମୁଁ ନିଶ୍ଚିତ ବେଇମାନ ବିବେଚିତ ହୋଇଥାନ୍ତି। ଆଜି ଏଥିପାଇଁ ଲୋ‌େକ ମୋତେ ଗାଳିଦେଲେ ମଧ୍ୟ ମୋର ଦୁଃଖ ନାହିଁ। କିନ୍ତୁ ବେଇମାନ ହିସାବରେ ବଞ୍ଚିବା ମୋ ପାଇଁ ଆପେକ୍ଷିକ ଭାବେ ଅଧିକ କଷ୍ଟକର ହୋଇପଡ଼ିଥାନ୍ତା।
ଗତକାଲି ମଧ୍ୟ ପ୍ରଦେଶର ଗ୍ବାଲିଅରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟପାଳ ମଲିକ ଏହି ରାଜନୈତିକ ଝଡ଼ ସୃଷ୍ଟି କରିଛନ୍ତି। ସରକାର ଗଠନ ପାଇଁ ଉଦ୍ୟମ କରିଥିବା ମେହବୁବା ମୁଫତି ଏବଂ ଓମାର ଅବଦୁଲ୍ଲାଙ୍କ ସଂପର୍କରେ ସେ କହି‌େଲ ଯେ ସେମାନେ ଚାହିଁଥିଲେ ତାଙ୍କୁ ଭେଟି ଅାଲୋଚନା କରିପାରି ଥାନ୍ତେ। ଫାକ୍ସ ମେସିନ ଓ ହ୍ବାଟ୍ସ ଆପ ବାର୍ତାରେ ସରକାର ହୁଏନାହିଁ ବୋଲି ସେ କହିଛନ୍ତି। ପାକିସ୍ତାନ ଇସାରାରେ ମେହବୁବା ଏବଂ ଓମାର ସରକାର ଗଠନ ପାଇଁ ହାତ ମିଳାଇଥିଲେ ବୋଲି ବିଜେପିର ଅଭିଯୋଗ ସଂପର୍କରେ ସେ କହିଲେ ଯେ ଏହି ଦୁଇ ନେତାଙ୍କ ଜାତୀୟତାବାଦ ଏବଂ ଦେଶଭକ୍ତି ନେଇ ପ୍ରଶ୍ନ କରାଯିବା ଠିକ୍ ନୁହେଁ। ସେ କହିଲେ ଯେ ଶେଖ୍ ଅବଦୁଲ୍ଲା ଏବଂ ମୁଫତି ପରିବାରର ଦେଶଭକ୍ତି ଦୃଷ୍ଟାନ୍ତ ଅତୁଳନୀୟ।
ଉଲ୍ଲେଖଯୋଗ୍ୟ, ନିକଟରେ କଂଗ୍ରେସ, ନ୍ୟାସ୍‌ନାଲ୍‌ କନ୍‌ଫରେନ୍ସ (ଏନ୍‌ସି) ଏବଂ ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି) ଏକାଠି ହୋଇ ଜମ୍ମୁ-କଶ୍ମୀରରେ ସରକାର ଗଢ଼ିବେ ବୋଲି ଦାବି କରିଥିଲେ। ମିଳିତ ଭାବେ ସେମାନଙ୍କ ନିକଟରେ ବହୁମତ ଥିବାରୁ ସେମାନଙ୍କୁ ଏଥିପାଇଁ ଅନୁମତି ଦେବାକୁ ସେମାନେ ରାଜ୍ୟପାଳ ମଲିକ୍‌ଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ। ସଜାଦ ଲୋନ୍ ମଧ୍ୟ ବିଜେପି ସହାୟତାରେ ସରକ‌ାର ଗଠନ କରିବାକୁ ଉଦ୍ୟମ କରିଥିଲେ। ଲୋନଙ୍କୁ ମୁଖ୍ୟମନ୍ତ୍ରୀ କରିବା ଲାଗି କେନ୍ଦ୍ର ଚାପ ପକାଇଥିଲା ବୋଲି କୁହାଯାଉଥିଲା। କିନ୍ତୁ ଏହା ପରେ ପରେ ରାଜ୍ୟପାଳ ବିଧାନସଭାକୁ ଭାଙ୍ଗିଦେଇଥିଲେ। ଏଭଳି ପଦକ୍ଷେପ ପାଇଁ ତାଙ୍କୁ ଏହି ୩ଟି ଦଳର ପ୍ରମୁଖ ନେତାମାନେ ତୀବ୍ର ସମାଲୋଚନା କରିଥିଲେ। କେନ୍ଦ୍ର ନିର୍ଦ୍ଦେଶରେ ମଲିକ୍‌ ଏଭଳି ପଦକ୍ଷେପ ନେଇଥିବା ସେମାନେ ଅଭିଯୋଗ କରିଥିଲେ। ଏ ବାବଦରେ ମଲିକ୍‌ କୌଣସି ଜବାବ ଦେଇନଥିଲେ। କିନ୍ତୁ ଆଜିର ବୟାନ ଦ୍ବାରା ସେ ସମସ୍ତ ଦଳର ମୁହଁ ବନ୍ଦ କରିଦେଇଛନ୍ତି।
ରାଜ୍ୟରେ ସରକାର ଗଢ଼ିବା ପାଇଁ ୩ଟି ଦଳ ଏକାଠି ହୋଇ ଆଗେଇ ଆସିବା ପରେ ରାଜନୀତି ସରଗରମ ହୋଇଥିଲା। ବିଜେପି ନେତମାନେ ସେମାନଙ୍କୁ କଡ଼ା ଭର୍ତ୍ସନା କରିଥିଲେ। ଏମିତି କି ପାକିସ୍ତାନ ପଟୁ ନିର୍ଦ୍ଦେଶ ଆସିବା ପରେ ପିଡିପି ଓ ଏନ୍‌ସି ହାତ ମିଳାଇ ସରକାର ଗଢ଼ିବାକୁ ତତ୍ପରତା ଦେଖାଇଥିବା ବିଜେପି ନେତା ରାମ ମାଧବ କହିଥିଲେ। ଏହାକୁ ନେଇ ବିବାଦ ସୃଷ୍ଟି ହେବାରୁ ରାମ ମାଧବ ନିଜ ବୟାନ ପ୍ରତ୍ୟାହାର କରିନେଇଥିଲେ।
ରାଜ୍ୟପାଳଙ୍କ ଗତକାଲିର ବୟାନକୁ ନେଇ ଓମାର ଏବଂ ମେହବୁବା ପ୍ରଶଂସା କରିଥିବା ବେଳେ ଲୋନ୍ ସମାଲୋଚନା କରିଛନ୍ତି। ତେବେ ବିଜେପି ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ।

ସମ୍ବନ୍ଧିତ ଖବର