ଆସିପାରୁନି ଅନାସ୍ଥା

କେନ୍ଦ୍ର ସହ ମ୍ୟାଚ୍‌ ଫିକ୍ସିଂ କରିଛି ଏଆଇଏଡିଏମ୍‌କେ: କଂଗ୍ରେସ

ନୂଆଦିଲ୍ଲୀ: ବଜେଟ୍‌ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବା ଦିନଠାରୁ ଉଭୟ ଲୋକସଭା ଓ ରାଜ୍ୟସଭାରେ ଗୃହକାର୍ଯ୍ୟ ଠିକ୍‌ରେ ଚାଲିପାରୁନାହିଁ। ଏଆଇଏଡିଏମ୍‌କେ ଓ ଟିଆର୍‌ଏସ୍‌ ସାଂସଦମାନେ ଗୃହରେ ପ୍ରବଳ ହଟ୍ଟଗୋଳ କରିବାରୁ ଆଜି ଲଗାତାର ୧୬ ଦିନ ପାଇଁ ଗୃହକାର୍ଯ୍ୟ ଧୋଇ ହୋଇଯାଇଛି। ଆସନ୍ତା ୬ ତାରିଖରେ ସରିବାକୁ ଥିବା ଏହି ଅଧିବେଶନର ଆଉ ମାତ୍ର ୬ଟି କାର୍ଯ୍ୟଦିବସ ବାକି ରହିଛି। ଅପରପକ୍ଷେ, ଟିଡିପି, ଓ୍ଵାଇଆର୍‌ଏସ୍‌ସି ଓ କଂଗ୍ରେସ ପରେ ଏବେ ସିପିଆଇଏମ୍‌, ଆର୍‌ଏସ୍‌ପି, ମୁସ୍‌ଲିମ୍‌ ଲିଗ୍‌ ଦଳ ମଧ୍ୟ ଲୋକସଭାରେ ଅନାସ୍ଥା ପ୍ରସ୍ତାବ ନୋଟିସ୍‌ ଆଣିଛନ୍ତି। କଂଗ୍ରେସ ସମେତ ପ୍ରାୟ ସମସ୍ତ ବିରୋଧୀ ଦଳ ଆଜି ଅଭିନବ ଉପାୟରେ ଲୋକସଭାରେ ୮୦ଜଣ ସାଂସଦଙ୍କ ସମର୍ଥନ ପ୍ରଦର୍ଶନ କରି ମଧ୍ୟ ଅନାସ୍ଥା ଆଣିବାରେ ବିଫଳ ହୋଇଛନ୍ତି। ଶାସକ ଏନ୍‌ଡିଏର ପ୍ରରୋଚନାରେ ଏଆଇଏଡିଏମ୍‌କେ ଗୃହରେ ଏଭଳି ଅଚଳାବସ୍ଥା ସୃଷ୍ଟି କରୁଥିବା ବିରୋଧୀ ଅଭିଯୋଗ କରିଛନ୍ତି। ଏନ୍‌ଡିଏ ସରକାରଙ୍କ ସହ ଏଆଇଏଡିଏମ୍‌କେ ମିଶି ମ୍ୟାଚ୍‌ ଫିକ୍ସିଂ କରିବା ଭଳି ଜାଣିଶୁଣି ଗୃହକାର୍ଯ୍ୟ ବାଧାପ୍ରାପ୍ତ କରୁଥିବା କଂଗ୍ରେସ ସାଂସଦ କେ.ସି.ବେଣୁଗୋପାଳ ଅଭିଯୋଗ କରିଥିଲେ।
ଆଜି ଲୋକସଭାରେ ଗୃହକାର୍ଯ୍ୟ ଆରମ୍ଭ ହେବା କ୍ଷଣି କଂଗ୍ରେସ, ଟିଡିପି, ଓ୍ଵାଏସ୍‌ଆର୍‌ସି ଅନାସ୍ଥା ପ୍ରସ୍ତାବରେ ଆଲୋଚନା କରିବାକୁ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମାତ୍ର ଆନ୍ନାଡିଏମ୍‌କେ ସାଂସଦମାନେ ଗୃହର ମଧ୍ୟଭାଗକୁ ଆସି କାବେରୀ ପରିଚାଳନା ବୋର୍ଡ ଗଠନ ଦାବିରେ ହଟ୍ଟଗୋଳ ଆରମ୍ଭ କରିବାରୁ ବାଚସ୍ପତି ସୁମିତ୍ରା ମହାଜନ ଦିନ ୧୨ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ପୁନଶ୍ଚ ଗୃହକାର୍ଯ୍ୟ ଆରମ୍ଭ ହେବା ପରେ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ଅନାସ୍ଥା ପାଇଁ ବହୁମତ ଥିବା ଜଣାଇବାକୁ ଚେଷ୍ଟା କରିଥିଲେ। ଅଭିନବ ଉପାୟରେ ନୀଳ ରଙ୍ଗର ପ୍ଲାକାର୍ଡରେ ୧ରୁ ୮୦ ଯାଏଁ ସଂଖ୍ୟା ଲେଖି ବାଚସ୍ପତିଙ୍କୁ ଆଲୋଚନା ପାଇଁ ଅନୁମତି ମାଗିଥିଲେ। ୫୦ଜଣ ସାଂସଦଙ୍କ ସମର୍ଥନରେ ବିରୋଧୀଙ୍କୁ ଆଲୋଚନା ପାଇଁ ସୁଯୋଗ ମିଳିବା କଥା। ମାତ୍ର ଗୃହର ଅଚଳାବସ୍ଥା ପାଇଁ ତାହା ସମ୍ଭବ ହୋଇପାରୁ ନଥିବା ଦର୍ଶାଇ ବାଚସ୍ପତି ବୁଧବାର ଯାଏ ଲୋକସଭାକୁ ମୁଲତବୀ ଘୋଷଣା କରିଥିଲେ।
ରାଜ୍ୟସଭାରେ ମଧ୍ୟ ଅନୁରୂପ ସ୍ଥିତି ଦେଖିବାକୁ ମିଳିଥିଲା। ଏଆଇଏଡିଏମ୍‌କେର ହଟ୍ଟଗୋଳ ଯୋଗୁଁ ରାଜ୍ୟସଭାକୁ ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ ପ୍ରଥମେ ୧୫ ମିନିଟ ପାଇଁ ଏବଂ ପରେ ସାରା ଦିନ ପାଇଁ ମୁଲତବୀ ଘୋଷଣା କରିଥିଲେ। ଫଳରେ ଅବସର ନେଉଥିବା ୪୦ଜଣ ସାଂସଦଙ୍କ ବିଦାୟ ଆଲୋଚନା ମଧ୍ୟ ସମ୍ଭବ ହୋଇପାରିନଥିଲା। ବୁଧବାର ଯାଏ ମୁଲତବୀ ଘୋଷଣା କରିବା ପରେ ମଧ୍ୟ ବିରୋଧୀ ସାଂସଦମାନେ ୩୦ ମିନିଟ କାଳ ଗୃହରେ ବସି ରହିଥିଲେ।

୬ଟି ଦଳ ଆଣିଲେଣି ଅନାସ୍ଥା ନୋଟିସ୍‌

ନୂଆଦିଲ୍ଲୀ: କେନ୍ଦ୍ରର ଏନ୍‌ଡିଏ ସରକାର ବିରୋଧରେ ଟିଡିପି ଏବଂ ଓ୍ଵାଇଏସ୍‌ଆର୍‌ସି ପ୍ରଥମେ ଅନାସ୍ଥା ପ୍ରସ୍ତାବ ପାଇଁ ନୋଟିସ୍‌ ଦେଇଥିଲେ। ତେବେ ପରେ କଂଗ୍ରେସ, ସିପିଆଇଏମ୍‌, ରିଭୋଲ୍ୟୁସ୍‌ନାରୀ ସୋସିଆଲିଷ୍ଟ ପାର୍ଟି(ଆର୍‌ଏସ୍‌ପି) ଏବଂ ଇଣ୍ଡିଆନ୍‌ ୟୁନିୟନ୍‌ ମୁସ୍‌ଲିମ୍‌ ଲିଗ୍‌ ମଧ୍ୟ ଅନୁରୂପ ଅନାସ୍ଥା ନୋଟିସ୍‌ ଦେଇଛନ୍ତି। ଆଜି ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ସିପିଆଇଏମ୍‌ ସାଂସଦ ପି.କରୁଣାକରନ୍‌ ଓ ଆରଏସ୍‌ପିର ଏକମାତ୍ର ସାଂସଦ ଏନ୍‌.କେ.ପ୍ରେମଚନ୍ଦ୍ରନଙ୍କ ସମେତ ମୁସ୍‌ଲିମ୍‌ ଲିଗ୍‌ ସାଂସଦ ଏ ସମ୍ପର୍କରେ ବାଚସ୍ପତିଙ୍କୁ ଅବଗତ କରାଇବା ସହ ଆଲୋଚନା ପାଇଁ ଅନୁମତି ମାଗିଥିଲେ। ସେପଟେ ତୃଣମୂଳ କଂଗ୍ରେସ, ଏନ୍‌ସିପି, ସମାଜବାଦୀ ପାର୍ଟି ଏବଂ ଆର୍‌ଜେଡି ଆଦି ଅନ୍ୟ ବିରୋଧୀ ଦଳ ମଧ୍ୟ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର