ସମ୍ପର୍କୀୟା ଭଉଣୀଙ୍କ ଚିତାଗ୍ନିକୁ ଡେଇଁ ଦେଇ ଜୀବନ ହାରିଲା ଭାଇ

ଭୋପାଳ: ସମ୍ପର୍କୀୟା ଭଉଣୀଙ୍କର ମୃତ୍ୟୁ ଯୋଗୁଁ ବିଚଳିତ ହୋଇପଡ଼ିଥିବା ଜଣେ ଭାଇ ତାଙ୍କ (ଭଉଣୀଙ୍କ) ଜ୍ବଳନ୍ତ ଚିତାରେ ଝାସ ଦେଇ ଜୀବନ ହରାଇଛନ୍ତି। ଘଟଣାଟି ଶୁକ୍ରବାର ଦିନ ମଧ୍ୟପ୍ରଦେଶର ସାଗର ଜିଲ୍ଲା ଅନ୍ତର୍ଗତ ମାଝଗାଓଁ ଗାଁରେ ଘଟିଛି।

ପ୍ରାପ୍ତ ସୂଚନା ଅନୁସାରେ, କୂଅ ଭିତରକୁ ଖସି ପଡ଼ିବାରୁ ମାଝଗାଓଁ ଗ୍ରାମର ଜ୍ୟୋତି ଡାଗା ନାମରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିଲା। ଶନିବାର ଦିନ ତାଙ୍କର ଶେଷକୃତ୍ୟ କରାଯାଇଥିଲା। ଜୁଇରେ ନିଆଁ ଲଗାଇ ଆତ୍ମୀୟସ୍ବଜନମାନେ ନିଜ ନିଜର ଘରକୁ ଫେରି ଯାଇଥିଲେ। କିଛି ସମୟ ପରେ ମୃତା ମହିଳାଙ୍କ ସମ୍ପର୍କୀୟ ଭାଇ ୨୧ ବର୍ଷିୟ କରଣ୍‌ ମଶାଣିରେ ପହଞ୍ଚିଥିଲେ।

Image Courtesy of India.com

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, କରଣ୍‌ ଆସି ଜୁଇ ନିକଟରେ ନଇଁଲେ ଓ ତା’ପରେ ହଠାତ୍‌ ତା’ ଭିତରକୁ ଡେଇଁ ପଡ଼ିଲେ। ଏ କଥା ଦେଖି ଗ୍ରାମବାସୀମାନେ ତୁରନ୍ତ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। କିନ୍ତୁ, ସେତେବେଳକୁ ଅନେକ ବିଳମ୍ବ ହୋଇଯାଇଥିଲା। କରଣଙ୍କ ଦେହର ବହୁଳାଂଶ ପୋଡ଼ି ଯାଇଥିଲା।

ହସ୍ପିଟାଲ୍‌ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଲା ବୋଲି ମାଝ୍‌ଗାଓଁ ଗାଁର ସରପଞ୍ଚ ଭରତ ସିଂହ ଘୋସି କହିଛନ୍ତି।

ରବିବାର ସକାଳେ, ଜ୍ୟୋତିଙ୍କ ଚିତା ନିକଟରେ କରଣ୍‌ଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।

ପୁଲିସ ତଦନ୍ତ ଶେଷ ହେବା ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ବାହେରିୟା ଥାନା ଭାରପ୍ରାପ୍ତ ଅଧିକାରୀ ଦିବ୍ୟପ୍ରକାଶ ତ୍ରିପାଠୀ କହିଛନ୍ତି।

ସମ୍ବନ୍ଧିତ ଖବର