ବିବିଧତା ଓ ସହିଷ୍ଣତା ଭାରତର ଆତ୍ମା : ପ୍ରଣବ ମୁଖାର୍ଜୀ

ନାଗପୁର : ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ)ର ମୁଖ୍ୟାଳୟରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଆଜି ସମଗ୍ର ଦେଶକୁ ସହିଷ୍ଣତାର ବାର୍ତ୍ତା ଦେଇଛନ୍ତି । ଭାରତ ହେଉଛି ବହୁ ଭାଷା, ଜାତି, ସଂପ୍ରଦାୟ ର ଏକ ମିଳନସ୍ଥଳୀ । ଏଣୁ ବିବିଧତା ହିଁ ଆମର ଶକ୍ତି,ଆମର ଏକତା ବୋଲି ସେ କହିଛନ୍ତି । ୟୁରୋପରେ ଏକ ଜାତି ଭିତ୍ତିକ ଦେଶ ବ୍ୟବସ୍ଥାର ଆରମ୍ଭର ହଜାର ହଜାର ବର୍ଷ ପୂର୍ବରୁ ହିଁ ଭାରତ ବସୁଧୈବ କୁଟୁମ୍ବକମର ବାର୍ତ୍ତା ଦେଇଥିଲା । ସହିଷ୍ଣତା ଓ ଅହିଂସା ଦ୍ୱାରା ଏକ ରାଷ୍ଟ୍ରକୁ ଆଗେଇ ନେବ । ଏଣୁ ଆମ ଦେଶରେ ଆମେ ହିଂସା ପରିହାର କରିବା ସହ ସହିଷ୍ଣତାକୁ ଅଗ୍ରାଧିକାର ଦେବା ଆବଶ୍ୟକ ବୋଲି ସେ କହିଛନ୍ତି । ଆରଏସଏସ କାର୍ଯ୍ୟକ୍ରମକୁ ଆସିବା ନିଷ୍ପତ୍ତିକୁ ଠିକ ବୋଲି କହି ସେ କହିଛନ୍ତି ଯେ ସେ ମତ ବିନିମୟରେ ବିଶ୍ୱାସ କରନ୍ତି । ନିଜର ଏହି ଭାଷଣରେ ସେ ଚାଣକ୍ୟ, ରବିନ୍ଦ୍ରନାଥ ଠାକୁର, ମହାତ୍ମା ଗାନ୍ଧି ଓ ନେହେରୁଙ୍କ ଉକ୍ତିକୁ ଉଦ୍ଧାର କରିଥିଲେ । ଆଜିର ଏହି ପ୍ରଗତିଶୀଳ ଭାରତ ଗଠନରେ ସମସ୍ତଙ୍କ ଯୋଗଦାନ ରହିଛି ବୋଲି ସେ କହିଥିଲେ । ଏହା ପୂର୍ବରୁ ନିଜର ଅଭିଭାଷଣ ରଖି ଆରଏସଏସ ମୁଖ୍ୟ ସରସଂଘ ଚାଳକ ମୋହନ ଭାଗବତ କହିଥିଲେ ଯେ କେବଳ ହିନ୍ଦୁ ମାନଙ୍କୁ ନୁହେଁ ସମଗ୍ର ଭାରତୀୟ ସମାଜକୁ ସଂଗଠିତ କରିବା ସଂଘର ଲକ୍ଷ୍ୟ । ପ୍ରଣବ ମୁଖାର୍ଜୀଙ୍କୁ ନିମନ୍ତ୍ରଣ କରିବା ନେଇ ବିବାଦ ସୃଷ୍ଟି ହେବା ଉଚିତ ନୁହେଁ ବୋଲି ସେ କହିଛନ୍ତି । ସଂଘ ଓ ପ୍ରଣବଙ୍କ ବିଚାରଧାରା ଅଲଗା ଅଲଗା, କିନ୍ତୁ ମତବିନିମୟ ହିଁ ସଂଘର ପରମ୍ପରା ରହିଆସିଛି ବୋଲି ସେ କହିଛନ୍ତି । ସଂଘ କାର୍ଯ୍ୟକ୍ରମରେ ପ୍ରଣବଦାଙ୍କ ଯୋଗଦାନକୁ କଂଗ୍ରେସ ତୀବ୍ର ବିରୋଧ କରିଥିଲା । ଏହା ସତ୍ତ୍ୱେ ସେ ଯୋଗଦେଇଥିବାରୁ ତାଙ୍କ ଭାଷଣ ଉପରେ ସମସ୍ତଙ୍କ ନଜର ରହିଥିଲା ।

ସମ୍ବନ୍ଧିତ ଖବର