ୱାସିଂଟନ୍: ପୂର୍ବ ଲଦାଖ୍ର ଗଲ୍ୱାନ୍ ଘାଟିରେ ଚୀନ୍ର ଅତିକ୍ରମଣ ପ୍ରସଙ୍ଗକୁ ଆମେରିକା ତୀବ୍ର ବିରୋଧ କରିଛି ଏବଂ ଚୀନ୍ର ଏଭଳି ବେପରୁଆ କାର୍ଯ୍ୟ ପାଇଁ ଆମେରିକା ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ ତଥା ପ୍ରତିନିଧି ସଭାରେ ସର୍ବସମ୍ମତି କ୍ରମେ ଚୀନ୍ ବିରୋଧରେ ଏକ ପ୍ରସ୍ତାବ ଗୃହୀତ ହୋଇଛି। ଆମେରିକା ପ୍ରତିନିଧି ସଭାରେ ଆଜି ଏନ୍ଡିଏଏ (ଜାତୀୟ ପ୍ରତିରକ୍ଷା ପ୍ରାଧିକରଣ ଅଧିନିୟମ)ରେ ସଂଶୋଧନ ପ୍ରସ୍ତାବ ଗୃହୀତ ହୋଇଛି। କଂଗ୍ରେସ ସଦସ୍ୟ ଷ୍ଟିଭ୍ ଚାବଟ୍ ଏବଂ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ସାଂସଦ ଆମି ବେରାଙ୍କ ଦ୍ବାରା ଅଣାଯାଇଥିବା ଏନ୍ଡିଏଏ ସଂଶୋଧନ ପ୍ରସ୍ତାବ ଆଜି ଗୃହୀତ ହୋଇଯାଇଛି।
ଏଥିରେ କୁହାଯାଇଛି ଯେ , ଭାରତ ଏବଂ ଚୀନ୍ ଏଲ୍ଏସି ନିକଟରେ ଇତ୍ତେଜନା ହ୍ରାସ ପାଇଁ କାମ କରିବା ଉଚିତ୍। ଚୀନ୍ ଲଗାତାର ଏହାର ବେପରୁଆ କାର୍ଯ୍ୟକ୍ରମ ଦ୍ବାରା ବିବାଦୀୟ ଅଞ୍ଚଳରେ ସୀମା ଅତିକ୍ରମଣ ନୀତି ଜାରି ରଖିଛି। ପିଏଲ୍ଏ ଭାରତୀୟ ଅଂଚଳରେ ଅତିକ୍ରମଣ କରି ଅଯଥା ଉତ୍ତେଜନା ବଢ଼ାଉଛି । ଦକ୍ଷିଣ ଚୀନ୍ ସାଗର ଏବଂ ଶେନ୍କାକୁ ଉପଦ୍ବୀପରେ ମଧ୍ୟ ଚୀନ୍ ଏହି କାର୍ଯ୍ୟ ବଜାୟ ରଖିଛି। ଚୀନ୍ର ଏଭଳି କାର୍ଯ୍ୟ ଅତ୍ୟନ୍ତ ଚିନ୍ତାଜନକ। ସଂଶୋଧନ ପ୍ରସ୍ତାବରେ ଏହା କୁହାଯାଇଛି ଯେ, ଗଲ୍ୱାନ୍ ଘାଟିରେ ଚୀନ୍ ଭାରତ ବିରୋଧରେ ଯେଭଳି ଆଧିପତ୍ୟ ବିସ୍ତାର କରିବାକୁ ଚେଷ୍ଟା କରିଥିଲା ତାହାର ଭାରତ କଡ଼ା ଜବାବ ଦେଇଛି ।