ଦିବ୍ୟା ସ୍ପନ୍ଦନା ଟ୍ୱିଟର୍‌ ଆକାଉଣ୍ଟ୍‌ ହଟାଇଲେ

ନୂଆଦିଲ୍ଲୀ: କଂଗ୍ରେସ ସୋସିଆଲ ମିଡିଆ ମୁଖ୍ୟ ଦିବ୍ୟା ସ୍ପନ୍ଦନା ନିଜ ଟ୍ୱିଟର୍‌ ଆକାଉଣ୍ଟ୍‌ ହଟାଇ ନେଇଛନ୍ତି। ବିଜେପି ନେତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ର ଅର୍ଥ ମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଦିବ୍ୟା ତାଙ୍କୁ ଶୁଭେଚ୍ଛା ଜଣାଇ ଟ୍ୱିଟ୍‌ କରିଥିଲେ। ୧୯୭୦ରେ ଇନ୍ଦିରା ଗାନ୍ଧୀଙ୍କ ପରେ ସେ ଦେଶର ମହିଳା ଅର୍ଥମନ୍ତ୍ରୀ ହୋଇଥିବାରୁ ନିର୍ମଳାଙ୍କୁ ଶୁଭେଚ୍ଛା ଜଣାଇ ଦିବ୍ୟା କହିଥିଲେ, ମହିଳାମାନଙ୍କୁ ଆପଣ ଗର୍ବିତ କରିଛନ୍ତି। ଆପଣ ଅର୍ଥନୀତିରେ ସୁଧାର ଆଣିବାକୁ ସକ୍ଷମ ହେବେ ବୋଲି ନିର୍ମଳାଙ୍କ ଉଦ୍ଦେଶ୍ୟରେ ଦିବ୍ୟା ବାର୍ତ୍ତା ଦେଇଥିଲେ। ଏହାର ଗୋଟିଏ ଦିନ ପରେ ଦିବ୍ୟା ନିଜ ଟ୍ୱିଟର୍‌ ଆକାଉଣ୍ଟ୍‌ ହଟାଇ ଦେଇଛନ୍ତି। କଂଗ୍ରେସ ପ୍ରବକ୍ତାଙ୍କୁ କୌଣସି ଗଣମାଧ୍ୟମର କାର୍ଯ୍ୟକ୍ରମରେ ଯୋଗ ନଦେବା ପାଇଁ ଦଳ ପକ୍ଷରୁ କଟକଣା ଲଗାଯାଇଥିବା ବେଳେ ଦିବ୍ୟାଙ୍କ ଏଭଳି ପଦକ୍ଷେପ ‌ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର