ଭୋପାଳ: ପ୍ରତ୍ୟେକ ଦୀପାବଳିରେ ନୂଆ ନୂଆ ବାଣ ବଜାରରେ ବିକ୍ରି ହୋଇଥାଏ। କିନ୍ତୁ ଚଳିତ ବର୍ଷର ‘କାର୍ବାଇଡ୍ ଗନ୍’ ବା ‘ଦେଶୀ ଫାୟାରକ୍ରାକର ଗନ୍’ ପିତାମାତା ଓ ଡାକ୍ତରମାନଙ୍କ ପାଇଁ ଏକ ଦୁଃସ୍ୱପ୍ନ ପାଲଟିଛି। ଏହାକୁ ବ୍ୟବହାର କରି ମାତ୍ର ତିନି ଦିନ ମଧ୍ୟରେ ମଧ୍ୟପ୍ରଦେଶରେ ୧୨୨ରୁ ଅଧିକ ଶିଶୁ ଗୁରୁତର ଆଘାତ ପାଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ୧୪ ଜଣ ଦୃଷ୍ଟିଶକ୍ତି ହରାଇଛନ୍ତି। ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ଜିଲ୍ଲା ହେଉଛି ବିଦିଶା, ଯେଉଁଠାରେ ଅକ୍ଟୋବର ୧୮ରେ ସରକାରୀ ନିଷେଧାଦେଶ ସତ୍ତ୍ବେ ସ୍ଥାନୀୟ ବଜାରରେ ଏହି ‘କାର୍ବାଇଡ୍ ଗନ୍’ ଖୋଲାଖୋଲି ଭାବରେ ବିକ୍ରି କରାଯାଇଥିଲା। ୧୫୦ରୁ ୨୦୦ ଟଙ୍କା ମଧ୍ୟରେ ମିଳୁଥିବା ଏହି ଖେଳନା ବନ୍ଧୁକ ବୋମା ପରି ବିସ୍ଫୋରଣ ହେଉଛି।
ବର୍ତ୍ତମାନ ହମିଦିଆ ହସ୍ପିଟାଲରେ ସୁସ୍ଥ ହେଉଥିବା ସତର ବର୍ଷୀୟା ନେହା କାନ୍ଦି କାନ୍ଦି କହିଛି, ଆମେ ଏକ କାର୍ବାଇଡ୍ ବନ୍ଧୁକ କିଣିଥିଲୁ। ଏହା ଯେତେବେଳେ ବିସ୍ଫୋରିତ ହେଲା ମୋର ଗୋଟିଏ ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲା। ମୁଁ ଏବେ କିଛି ଦେଖିପାରୁ ନାହିଁ। ଅନ୍ୟ ଜଣେ ପୀଡିତ ରାଜ ବିଶ୍ୱକର୍ମା ସ୍ୱୀକାର କରିଛନ୍ତି, ମୁଁ ସୋସିଆଲ ମିଡିଆରେ ଭିଡିଓ ଦେଖି ଘରେ ବାଣ ବନ୍ଧୁକ ତିଆରି କରିବାକୁ ଚେଷ୍ଟା କରିଥିଲି। ଏହା ମୋ ମୁହଁରେ ବିସ୍ଫୋରିତ ହୋଇଥିଲା ଓ ମୁଁ ମୋର ଆଖି ହରାଇଲି। ଏହା ପରେ ବିଦିଶା ପୁଲିସ ବେଆଇନ ଭାବେ ଉପକରଣ ବିକ୍ରୟ କରିଥିବା ଅଭିଯୋଗରେ ଛଅ ଜଣଙ୍କୁ ଗିରଫ କରିଛି। ଇନ୍ସପେକ୍ଟର ଆର୍କେ ମିଶ୍ର କହିଛନ୍ତି, ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି କାର୍ବାଇଡ୍ ବନ୍ଧୁକ ବିକ୍ରୟ କିମ୍ବା ପ୍ରଚାର ପାଇଁ ଦାୟୀ ବ୍ୟକ୍ତିମାନେ ଆଇନଗତ ପରିଣାମର ସମ୍ମୁଖୀନ ହେବେ। ଭୋପାଳ, ଇନ୍ଦୋର, ଜବଲପୁର ଓ ଗ୍ୱାଲିଅରର ଡାକ୍ତରଖାନାଗୁଡ଼ିକରେ ଏହି ବନ୍ଧୁକ ଦ୍ୱାରା ଆହତ ହୋଇଥିବା ପିଲାଙ୍କ ଦ୍ୱାରା ଚକ୍ଷୁ ୱାର୍ଡ ଭର୍ତ୍ତି ହୋଇଯାଇଛି। କେବଳ ଭୋପାଳର ହମିଦିଆ ହସ୍ପିଟାଲରେ ୭୨ ଘଣ୍ଟା ମଧ୍ୟରେ ୨୬ ଜଣ ଶିଶୁ ଭର୍ତ୍ତି ହୋଇଥିଲେ।
ଡାକ୍ତରମାନେ କହିଛନ୍ତି: ଏହା ଏକ ଖେଳନା ନୁହେଁ, ବରଂ ଏକ ଇମ୍ପ୍ରୋଭାଇଜଡ୍ ବିସ୍ଫୋରକ। ହମିଦିଆ ହସ୍ପିଟାଲର ସିଏମ୍ଏଚ୍ଓ ଡାକ୍ତର ମନିଷ ଶର୍ମା କହିଛନ୍ତି, ଏହି ଉପକରଣ ସିଧାସଳଖ ଆଖିକୁ କ୍ଷତି ପହଞ୍ଚାଇଥାଏ। ଏହି ବିସ୍ଫୋରଣ ଧାତୁ ଖଣ୍ଡ ଓ କାର୍ବାଇଡ୍ ବାଷ୍ପ ମୁକ୍ତ କରେ ଯାହା ରେଟିନାକୁ ଜାଳିଦିଏ। ଆମେ ଅନେକ ମାମଲାର ଚିକିତ୍ସା କରୁଛୁ ଯେଉଁଠାରେ ପିଲାମାନଙ୍କର ଆଖି ପିତୁଳା ନଷ୍ଟ ହୋଇଯାଇଛି, ଯାହା ସ୍ଥାୟୀ ଅନ୍ଧତ୍ୱର କାରଣ ହୋଇଥାଏ। କିଛି ରୋଗୀ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି, ଏବଂ ଅନେକେ କେବେ ବି ପୂର୍ଣ୍ଣ ଦୃଷ୍ଟିଶକ୍ତି ଫେରିପାଇବେ ନାହିଁ। ପୁଲିସ କହିଛି, ବନ୍ଧୁକଗୁଡିକ ସ୍ଥାନୀୟ ମେଳା ଓ ରାସ୍ତା କଡ଼ ଷ୍ଟଲ୍ରେ ‘ମିନି ତୋପ’ ଭାବରେ ବିକ୍ରି କରାଯାଉଛି, ଯେଉଁଥିରେ କୌଣସି ସୁରକ୍ଷା ନିୟମ ନାହିଁ। ଏହି ବିପଜ୍ଜନକ ଧାରା ପଛରେ ଅଛି ଇନଷ୍ଟାଗ୍ରାମ୍ ରିଲ୍ ଓ ୟୁଟ୍ୟୁବ୍ ସର୍ଟସ୍।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/24/fshffshsfh-2025-10-24-04-36-32.jpg)