ବେଙ୍ଗାଲୁରୁ: ଆଜି ନିର୍ବାଚନ କମିଶନ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା କରିଛନ୍ତି | ଆସନ୍ତା ମେ ୧୦ରେ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ମେ ୧୩ରେ ଫଳାଫଳ ଆସିବ | ତେବେ ଏହା ପରେ ଆଜି କର୍ଣ୍ଣାଟକ କଂଗ୍ରେସ ସଭାପତି ଡି.କେ ଶିବକୁମାର ଏକ ବଡ ବୟାନ ଦେଇଛନ୍ତି | ସେ କହିଛନ୍ତି ଯେ ନିର୍ବାଚନରେ ଜନତା ଦଳ-ସେକ୍ୟୁଲାର ବା ଜେଡିଏସ ସହ କୌଣସି ପ୍ରକାରର ମେଣ୍ଟ ହେବ ନାହିଁ | ସେ ସଫା ସଫା କହିଛନ୍ତି ଯେ କେବଳ ନିର୍ବାଚନ ନୁହେଁ ବରଂ ନିର୍ବାଚନ ଫଳାଫଳ ଆସିବା ପରେ ମଧ୍ୟ ଜେଡିଏସ ସହ ମେଣ୍ଟ ହେବ ନାହିଁ | ଶିବକୁମାର ଦାବି କରିଛନ୍ତି ଯେ ତାଙ୍କ ଦଳ ୨୨୪ ଆସନରୁ ଦୁଇ ତୃତୀୟାଂଶ ଆସନ ଜିତିବା ସହ ବହୁମତ ହାସଲ କରିବ। ସେ କହିଛନ୍ତି, "ଆମେ କୌଣସି ରାଜନୈତିକ ଦଳ ସହ କୌଣସି ମେଣ୍ଟ ଚାହୁଁ ନାହୁଁ। ମୁଁ ନିଶ୍ଚିତ ଯେ ଆମର ଦଳ ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ହାସଲ କରିବ।
ବିଜେପି ତୁଳନାରେ ଆମର ଆସନ ସଂଖ୍ୟା ଦ୍ୱିଗୁଣିତ ହେବ।" ଶିବକୁମାର କହିଛନ୍ତି ଯେ କର୍ଣ୍ଣାଟକରେ କଂଗ୍ରେସର ଏକ ଦୃଢ ଆଧାର ରହିଛି ଏବଂ କର୍ଣ୍ଣାଟକର ଲୋକମାନେ ମୁଖ୍ୟମନ୍ତ୍ରୀ ବସଭରାଜ ବୋମ୍ମାଇଙ୍କ ବିଜେପି ସରକାରକୁ ନେଇ ଅସନ୍ତୁଷ୍ଟ ଅଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ବୋମ୍ମାଇ ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଛନ୍ତି ଏବଂ ଦୁର୍ନୀତିରେ ଜଡିତ ଅଛନ୍ତି। ସେ କହିଛନ୍ତି, "ଲୋକମାନେ ଏକ ନୂତନ ସରକାର ଚାହୁଁଛନ୍ତି, ସେମାନେ ପରିବର୍ତ୍ତନ ଚାହୁଁଛନ୍ତି, ସେମାନେ ଦୁର୍ନୀତିକୁ ମୂଳୋତ୍ପାଟନ କରିବାକୁ ଚାହୁଁଛନ୍ତି | କର୍ଣ୍ଣାଟକରେ ଚାରି ବର୍ଷର ଡବଲ ଇଞ୍ଜିନ ସରକାର ବିଫଳ ହୋଇଛନ୍ତି। ନୂତନ ଇଞ୍ଜିନ ସମୃଦ୍ଧ କର୍ଣ୍ଣାଟକ ପାଇଁ କାର୍ଯ୍ୟ କରିବ'।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/D_K_Shivakumar.jpg)