ବାହାଘର ଅନୁମତି ପତ୍ର ଚିରି ପଣ୍ଡିତଙ୍କୁ ଚାପୁଡା ମାରିଲେ ଜିଲ୍ଲାପାଳ

ଅଗରତାଲା: ରାତ୍ରିକାଳୀନ କର୍ଫ୍ୟୁ ବେଳେ ଚାଲିଥିଲା ବିବାହ | ନା କଟକଣାକୁ ଭୟ ଥିଲା, ନା କରୋନା ସଂକ୍ରମଣର ଚିନ୍ତା ଥିଲା | ଆଉ ବିଳମ୍ବିତ ରାତି ଯାଏଁ ବିବାହ ଚାଲିଥିବାର ଖବର ପାଇ ବିବାହ ମଣ୍ଡପରେ ପହଁଚିଲେ ଜିଲ୍ଲାପାଳ | ସେଠାରେ ବହୁ ସଂଖ୍ୟାରେ ଲୋକଙ୍କ ସମାଗମ ଦେଖି ଜିଲ୍ଲାପାଳ ତାଗିଦ କରିଥିଲେ | ଆଉ ଜିଲ୍ଲାପାଳଙ୍କ ତାଗିଦକୁ ନେଇ ପଣ୍ଡିତ ଆପତ୍ତି କରିବାରୁ ପଣ୍ଡିତଙ୍କୁ ଚାପୁଡ଼ା ମାରିଛନ୍ତି ଜିଲ୍ଲାପାଳ | ତ୍ରିପୁରାର ଅଗରତାଲାରେ କିଛି ଏଭଳି ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ, ତ୍ରିପୁରାର ଅଗରତାଲାରେ ପ୍ରଶାସନର ରାତ୍ରିକାଳୀନ କର୍ଫ୍ୟୁ କଟକଣାକୁ ଫୁ କରି ବିବାହ କାର୍ଯ୍ୟକ୍ରମ ଚାଲିଥିଲା |

photo-aajtak

ଶତାଧିକ ଲୋକଙ୍କ ସମାଗମ ହୋଇଥିବାବେଳେ କେହି ମାସ୍କ ପିନ୍ଧିନଥିଲେ | ଆଉ ଏନେଇ ଜିଲ୍ଲାପାଳ ଶୈଳେଶ ଯାଦବଙ୍କ ପାଖରେ ଖବର ପହଞ୍ଚିଥିଲା | ତୁରନ୍ତ ଜିଲ୍ଲାପାଳ ବିବାହ ମଣ୍ଡପରେ ପହଁଚିଯାଇଥିଲେ | ତେବେ ବିବାହ ମଣ୍ଡପରେ କିଛି ପୁଲିସ କର୍ମୀ ମଧ୍ୟ ସାମିଲ ହୋଇଥିବାର ଜିଲ୍ଲାପାଳଙ୍କ ନଜରକୁ ଆସିଥିଲା | ଆଉ ଏହା ପରେ ଜିଲ୍ଲାପାଳ ପୁଲିସ କର୍ମୀଙ୍କୁ ତାଗିଦ କରିଥିବାବେଳେ ବରଙ୍କୁ ଥାନାରେ ଅଟକ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ | ତେବେ ବିବାହ ଚାଲିଥିବାବେଳେ ଜିଲ୍ଲାପାଳ ଉତକ୍ଷିପ୍ତ ହୋଇ ପଣ୍ଡିତଙ୍କୁ ଚାପୁଡ଼ା ମଧ୍ୟ ମାରିଥିଲେ |

ଏହା ସହ କନ୍ୟା ଓ ବର ପକ୍ଷ ଅନୁମତି ପତ୍ର ଦେଖାଇଥିବାବେଳେ ଜିଲ୍ଲାପାଳ ଏହାକୁ ଚିରି ଫୋପାଡ଼ି ଦେଇଥିଲେ | ଜିଲ୍ଲାପାଳ ଏହା ପରେ ମଣ୍ଡପକୁ ସିଲ କରିଥିଲେ | ଅବଶ୍ୟ ପରେ ନିଜର ଏଭଳି ବ୍ୟବହାର ପାଇଁ ସେ କ୍ଷମା ମଧ୍ୟ ମାଗିଛନ୍ତି | ତେବେ ଏହାକୁ ନେଇ ରାଜନୀତି ଜୋର ଧରିଛି | ଏହି ଘଟଣା ପରେ ରାଜ୍ୟ ବିଜେପିର କିଛି ବିଧାୟକ କହିଛନ୍ତି ଯେ ଜିଲ୍ଲାପାଳ ଜଣେ ବୃଦ୍ଧ ପଣ୍ଡିତଙ୍କୁ ମାଡ ମାରିବା ଠିକ ହୋଇନାହିଁ | ବର-କନ୍ୟା ଓ ତାଙ୍କ ସମ୍ପର୍କୀୟଙ୍କୁ ଖରାପ ବ୍ୟବହାର ଜଣେ ଜିଲ୍ଲାପାଳଙ୍କୁ ଶୋଭା ଦିଏ ନାହିଁ ବୋଲି ସେମାନେ ଦାବି କରିଛନ୍ତି |

ସମ୍ବନ୍ଧିତ ଖବର