ଅଫିସକୁ ଜିନ୍ସ ଓ ଟିସାର୍ଟ ପିନ୍ଧି ନ ଆସିବାକୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

ଲକ୍ଷ୍ନୌ : ଅଫିସକୁ ଜିନ୍ସ ଓ ଟିସାର୍ଟ ପିନ୍ଧି ନ ଆସିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ଜିଲ୍ଲାପାଳ | ନିର୍ଦ୍ଦେଶକୁ ଅବମାନନା କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି | ଉତ୍ତରପ୍ରଦେଶର ସମ୍ବଲ ଜିଲ୍ଲାରୁ ଏହି ଖବର ଆସିଥିବାବେଳେ ଜିଲ୍ଲାପାଳ ସଞ୍ଜୀବ ରଂଜନ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ଏହି ଆଦେଶ ଅନୁଯାୟୀ, ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ଅଧିକାରୀମାନେ ଜିନ୍ସ ଏବଂ ଟି-ସାର୍ଟ ପିନ୍ଧି ଅଫିସକୁ ଆସିପାରିବେ ନାହିଁ। କେବଳ ଏତିକି ନୁହେଁ, ଏଭଳି କରିବା ଦ୍ୱାରା କର୍ମଚାରୀଙ୍କ ମଧ୍ୟରେ କାମ ପ୍ରତି ଅଧିକ ନିଷ୍ଠା ଆଣିବାରେ ସାହାଯ୍ୟ କରିବ |

ସୂଚନା ଥାଉ ଯେ ଜିଲ୍ଲାପାଳ ତାଙ୍କ ଆଦେଶରେ କହିଛନ୍ତି ଯେ ଯିଏ ଏହି ନିୟମ ଉଲ୍ଲଂଘନ କରିବେ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସଞ୍ଜୀବ ରଂଜନଙ୍କୁ ଗତ ମାସରେ ଗୋରଖପୁର ବିକାଶ ପ୍ରାଧିକରଣର ସିଇଓ ଭାବରେ ନିଯୁକ୍ତି ଦିଆଯାଇଥିଲା | ଆଉ ନିକଟରେ ତାଙ୍କୁ ସମ୍ୱଲର ଜିଲ୍ଲାପାଳ ଭାବରେ ବଦଳି କରାଯାଇଥିଲା। ସମ୍ୱଲ ଜିଲ୍ଲାର ଦାୟିତ୍ୱ ଗ୍ରହଣ କରିବା ପରେ ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି |

ଜିଲ୍ଲାପାଳଙ୍କ କହିବା ମୁତାବକ କେବଳ କିଛି ଲୋକ ହିଁ ନିୟମ ମାନିଥାନ୍ତି | ଅଧିକାଂଶ କର୍ମଚାରୀ ଟି-ସାର୍ଟ ଏବଂ ଜିନ୍ସ ପିନ୍ଧି ଆସୁଛନ୍ତି | ଯାହାଦ୍ୱାରା ସରକାରୀ କର୍ମଚାରୀଙ୍କ ଆଚରଣ ସଂହିତା ଉଲ୍ଲଂଘନ ହେଉଛି | ତେଣୁ ଜିଲ୍ଲାର ସମସ୍ତ ସରକାରୀ ବିଭାଗର ଅଧିକାରୀ ଏବଂ କର୍ମଚାରୀଙ୍କ ପାଇଁ ଏଭଳି ପୋଷାକ ନ ପିନ୍ଧିବା ପାଇଁ ନିୟମ ଲାଗୁ କରାଯାଇଛି |

ସମ୍ବନ୍ଧିତ ଖବର