ଡିଏମ୍‌କେର ବିପୁଳ ବିଜୟ : ବିଧାନସଭା ଉପନିର୍ବାଚନରେ ଏଆଇଏଡିଏମ୍‌କେକୁ ସଫଳତା

ଚେନ୍ନାଇ: ତାମିଲନାଡ଼ୁର ୩୮ଟି ଲୋକସଭା ଆସନରୁ ୩୧ଟିରେ ଡିଏମକେ-କଂଗ୍ରେସ ମେଣ୍ଟ ବିଜୟୀ ହୋଇଛି। ଏଆଇଏଡିଏମ୍‌କେକୁ ମାତ୍ର ଗୋଟିଏ ଆସନ ମିଳିଥିବା ବେଳେ ଅନ୍ୟମାନେ ୬ଟି ଆସନରେ ଜିତିଛନ୍ତି। ତେବେ ରାଜ୍ୟରେ ଏଆଇଏଡିଏମ୍‌କେ ସରକାରର ପତନ ପାଇଁ ଡିଏମ୍‌କେର ପ୍ରୟାସ ବିଫଳ ହୋଇଛି। ୨୨ଟି ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ଏଆଇଏଡିଏମ୍‌କେ ୧୦ଟି ଆସନରେ ବିଜୟୀ ହୋଇଛି। ୨୦୧୪ ନିର୍ବାଚନରେ କଂଗ୍ରେସ ଏବଂ ଡିଏମ୍‌କେ ଗୋଟିଏ ବି ଆସନ ପାଇନଥିବା ବେଳେ ଏଆଇଏଡିଏମ୍‌କେ ୩୭ଟି ଆସନରେ ବିଜୟୀ ହୋଇଥିଲା। ଏଥର ଡିଏମ୍‌କେର ବିପୁଳ ବିଜୟ ରାଜ୍ୟ ସ୍ବାର୍ଥରେ ବିଶେଷ କାମରେ ଲାଗିବ ନାହିଁ ବୋଲି କୁହାଯାଇଛି । ଜାତୀୟ ରାଜନୀତିରେ ଦଳ କ୍ଷତିର ସମ୍ମୁଖୀନ ହେବ। କେନ୍ଦ୍ରରେ ଏନ୍‌ଡିଏ ପୁଣି ସରକାର ଗଠନ କରିବାକୁ ଯାଉଥିବା ବେଳେ ୟୁପିଏ ମେଣ୍ଟରେ ଥିବା ଡିଏମ୍‌କେ ପାଇଁ ଏହା ଅଡ଼ୁଆ ସୃଷ୍ଟି କରିବ। ମନମୋହନ ସିଂହଙ୍କ ନେତୃତ୍ବରେ କେନ୍ଦ୍ରରେ ୟୁପିଏ ସରକାର ସମୟରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ତାମିଲନାଡ଼ୁର ୧୧ ଜଣ ମନ୍ତ୍ରୀ ସାମିଲ ହୋଇଥିଲେ। ସେମାନଙ୍କ ମଧ୍ୟରେ ୬ ଜଣ କ୍ୟାବିନେଟ୍‌ ପାହ୍ୟା ମନ୍ତ୍ରୀ ଥିଲେ। ଏପରିକି ୟୁପିଏ ସରକାରଙ୍କ ଦ୍ବିତୀୟ ପାଳିରେ ବି ତାମିଲନାଡ଼ୁର ୮ ଜଣ ମନ୍ତ୍ରୀ ଥିଲେ। ସେମାନଙ୍କ ମଧ୍ୟରେ ୨ ଜଣ କ୍ୟାବିନେଟ୍‌ ପାହ୍ୟ ମନ୍ତ୍ରୀ ଥିଲେ। ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଯଦିଓ ଜଣେ ତାମିଲ, ସେ କିନ୍ତୁ କର୍ଣ୍ଣାଟକରୁ ରାଜ୍ୟସଭାକୁ ପ୍ରତିନିଧିତ୍ବ କରୁଛନ୍ତି। କେନ୍ଦ୍ରରେ ମୋଦୀ ସରକାର ଗଢ଼ିଲେ ଯଦି ଏଆଇଡିଏମ୍‌କେ ରାଜ୍ୟ ସଭା ସାଂସଦଙ୍କୁ ତାଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ନକରନ୍ତି ଦଳପାଇଁ ଏହା ଭବିଷ୍ୟତରେ ବିପଦ ସୃଷ୍ଟି କରିବ ବୋଲି ସୂଚନା ଦେଇଛନ୍ତି ରାଜନୈତିକ ବିଶେଷଜ୍ଞ ଏମ୍‌ କାଶୀନାଥନ୍‌।

ସମ୍ବନ୍ଧିତ ଖବର