ଭୁବନେଶ୍ୱର : ସିବିଆଇର ଦୁଇ ଶୀର୍ଷ ଅଧିକାରୀ ନିର୍ଦ୍ଦେଶକ ଆଲୋକ ବର୍ମା ଓ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କୁ ସରକାର ଛୁଟିରେ ପଠାଇ ଦେବା ପରେ କେନ୍ଦ୍ରୀୟ ଭିଜିଲାନ୍ସ କମିଶନ (ସିଭିସି) ଙ୍କ ସୁପାରିଶକ୍ରମେ ଓଡ଼ିଶା କ୍ୟାଡର ଆଇପିଏସ ଅଫିସର ଏମ.ନାଗେଶ୍ୱର ରାଓଙ୍କୁ ନୂଆ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରିଛନ୍ତି । ତେବେ ଆରମ୍ଭରୁ ହିଁ ନୂଆ ନିର୍ଦ୍ଦେଶକଙ୍କୁ ନେଇ ବିବାଦ ଦେଖାଦେଇଛି । ତାଙ୍କୁ ସିବିଆଇ ନିର୍ଦ୍ଦେଶକ କରିବାକୁ ନେଇ ଡିଏମକେ ଆପତ୍ତି ଉଠାଇଛି । ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନ କହିଛନ୍ତି ଯେ ନାଗେଶ୍ୱରଙ୍କ ପୂର୍ବ ରେକର୍ଡ ବେଶ ବିବାଦୀୟ ଥିଲା । ତାଙ୍କ ବିରୋଧରେ ଅନେକ ଥର ଅଭିଯୋଗ ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ନିକଟକୁ ଯାଇଥିଲା । ସେ ତାମିଲନାଡୁରେ ହୋଇଥିବା ଗୁଟଖା ଦୁର୍ନୀତିର ତଦନ୍ତ ଠିକ ଭାବେ କରିନଥିବା ଷ୍ଟାଲିନ ଅଭିଯୋଗ କରିଛନ୍ତି । ସେ ମଧ୍ୟ ନାଗେଶ୍ୱରଙ୍କ ବିରୋଧରେ ତଦନ୍ତ କରିବାକୁ ଚାହୁଁଥିଲେ ।

Advertisment

ସେହିପରି ଓଡ଼ିଶାରେ ଅଗ୍ନିଶମ ବିଭାଗର ମୁଖ୍ୟ ଥିବାବେଳେ ତାଙ୍କ ନାଁରେ ବିଭାଗର କର୍ମଚାରୀଙ୍କ ପାଇଁ ୟୁନିଫର୍ମ ଓ ଡଙ୍ଗରି କିଣାରେ କୋଟି କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ଉଠିଥିଲା । ଏହି ଦୁର୍ନୀତି ନେଇ ୨୦୧୬ରେ ପରବର୍ତ୍ତି ଅଗ୍ନିଶମ ବିଭାଗର ମୁଖ୍ୟ ବିନୟ ବେହେରା ରାଜ୍ୟ ଗୃହ ସଚିବଙ୍କୁ ଏକ ପତ୍ର ଲେଖିଥିଲେ ।