ତେଜୁଛି ଡିଏମ୍‌କେ କ୍ଷମତା କନ୍ଦଳ

ଚେନ୍ନାଇ: ଦ୍ରାବିଡ଼ ମୁନ୍ନେତ୍ର କାଝଗମ୍‌ (ଡିଏମ୍‌କେ) ସୁପ୍ରିମୋ ଏମ୍‌ କରୁଣାନିଧିଙ୍କ ପରଲୋକ ପରେ ତାଙ୍କ ପୁଅ ତଥା ଦଳର କାର୍ଯ୍ୟକାରୀ ସଭାପତି ଏମ୍‌ କେ ଷ୍ଟାଲିନ୍‌ ଏବଂ ଏମ୍‌ କେ ଆଜାଗିରି ଏକାଠି ହୋଇଥିଲେ। ଏହାକୁ ନେଇ ଦଳର ସମର୍ଥକ ଓ ଅନ୍ୟ ନେତୃବୃନ୍ଦ ଉତ୍ସାହିତ ହୋଇଥିଲେ। ଦଳ ଆଗକୁ ମଜଭୁତ ହେବ ବୋଲି ଆଶାପ୍ରକାଶ ପାଇଥିଲା। କିନ୍ତୁ କରୁଣାନିଧିଙ୍କ ଦେହାନ୍ତକୁ ସପ୍ତାହେ ନପୂରୁଣୁ ଭାଇ-ଭାଇ ମଧ୍ୟରେ ଫାଟ ସୃଷ୍ଟି ହୋଇଛି। ବିଶୃଙ୍ଖଳିତ ଆଚରଣ ପାଇଁ ୨୦୧୪ ଲୋକସଭା ନିର୍ବାଚନ ପୂର୍ବରୁ ଦଳରୁ ବିତାଡ଼ିତ ହୋଇଥିବା ଆଲାଗିରି ଏବେ ଭାଇ ଷ୍ଟାଲିନ୍‌ଙ୍କୁ ସମାଲୋଚନା ଆରମ୍ଭ କରିଛନ୍ତି। ଷ୍ଟାଲିନ୍‌ଙ୍କ ନିକଟରେ କୌଣସି ନେତୃତ୍ୱ ଗୁଣାବଳି ନାହିଁ। ତେଣୁ ତାଙ୍କ ନେତୃତ୍ୱରେ ଡିଏମ୍‌କେ ଡୁବିବ ବୋଲି ଆଜି ଏକ ସାକ୍ଷାତକାରରେ ସେ ସତର୍କ କରାଇଛନ୍ତି। କରୁଣାନିଧିଙ୍କ ମୃତ୍ୟୁ ପରେ ଆଜି ଡିଏମ୍‌କେର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଅବସରରେ ଷ୍ଟାଲିନ୍‌ କହିଛନ୍ତି, ସବୁବେଳେ ପିତାଙ୍କ ପଦାଙ୍କ ଅନୁସରଣ କରିବି। ଦଳ ବାଟରେ ଆସୁଥିବା ସମସ୍ତ ପ୍ରତିବନ୍ଧକକୁ ହଟାଇବାକୁ ଚେଷ୍ଟା କରିବି। ତେବେ ଥଲୈବାର୍‌ (କରୁଣାନିଧି)ଙ୍କ ବିନା ଦଳର କାର୍ଯ୍ୟକାରିଣୀ ବୈଠକ ଆୟୋଜନ କରିବା ଅବିଶ୍ୱସନୀୟ ମନେହେଉଛି। ମୁଁ ମୋ ପିତା ତଥା ପଥପ୍ରଦର୍ଶକଙ୍କୁ ହରାଇ ମର୍ମାହତ ବୋଲି ଷ୍ଟାଲିନ୍‌ କହିଛନ୍ତି। ତେବେ ଏକ ଷ୍ଟାଲିନ୍‌ଙ୍କ ପଛରେ ଡିଏମ୍‌କେ ନେତାମାନେ ଥିବା ନେଇ ଦଳର ଜଣେ ବରିଷ୍ଠ ନେତା ଆଜି ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଷ୍ଟାଲିନ୍‌ ହିଁ ଦଳର ମଙ୍ଗ ଧରିବେ ଏବଂ ସମସ୍ତ ସଦସ୍ୟ ଏହା ଚାହାନ୍ତି।

ସମ୍ବନ୍ଧିତ ଖବର