ନୂଆଦିଲ୍ଲୀ: ଏନ୍ଡିଏ ସରକାରଙ୍କ ବିମୁଦ୍ରାକରଣକୁ ଆଜି ବର୍ଷେ ପୂର୍ତ୍ତି ହୋଇଛି। ଏହି ଅବସରରେ କ୍ଷମତାସୀନ ବିଜେପି ଏବଂ କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ଦଳ ମୁହାଁମୁହିଁ ହୋଇଛନ୍ତି। ବିଜେପି ଆଜି ଦେଶବ୍ୟାପୀ କଳାଧନ ବିରୋଧୀ ଦିବସ ପାଳନ କରିଥିବା ବେଳେ ବିରୋଧୀ ଦଳଗୁଡ଼ିକ କଳାଦିବସ ପାଳିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିମୁଦ୍ରାକରଣର ଉପଲବ୍ଧି ନେଇ ଭିଡିଓ ଜାରି କରିବା ସହ ଟ୍ଵିଟ୍ କରି କହିଛନ୍ତି ଯେ କଳାଧନ ଏବଂ ଭ୍ରଷ୍ଟାଚାରକୁ ଶେଷ କରିବା ପାଇଁ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପକୁ ଜୋରଦାର ସମର୍ଥନ କରିଥିବାରୁ ମୁଁ ଦେଶବାସୀଙ୍କୁ ପ୍ରଣାମ କରୁଛି। ଅନ୍ୟପକ୍ଷରେ ବିମୁଦ୍ରାକରଣ ଏକ ସାଂଘାତିକ ଭୁଲ ପଦକ୍ଷେପ ଥିଲା ଏବଂ ଏହା ଦେଶର ଅପୂରଣୀୟ କ୍ଷତି ଘଟାଇଛି ବୋଲି କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ ନେତାମାନେ କହିଛନ୍ତି। କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ ଆଜି ଦିଲ୍ଲୀରେ ରିଜର୍ଭ ବ୍ୟାଙ୍କ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ବିମୁଦ୍ରାକରଣକୁ ଏକ ବଡ଼ ବିପର୍ଯ୍ୟୟ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ଅନୁଚିତ ପଦକ୍ଷେପ ଯୋଗୁଁ ଯେଉଁମାନଙ୍କ ଜୀବନ ଓ ଜୀବିକା ଏଥିରେ ଯାଇଛି ଆମେ ସେମାନଙ୍କ ସହିତ ରହିଛୁ ବୋଲି ରାହୁଲ କହିଛନ୍ତି। ରାହୁଲ ଆଜି ସୁରଟ୍ ଗସ୍ତରେ ଯାଇ ବ୍ୟବସାୟୀ ଏବଂ କାରିଗରମାନଙ୍କ ସହ ସେମାନଙ୍କ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ। ବିମୁଦ୍ରାକରଣକୁ ରାହୁଲ କଡ଼ା ସମାଲୋଚନା କରିବା ସହ ଲୋକେ ଏହାର ଜବାବ ଦେବାକୁ ହେବ ବୋଲି ସେ ଆହ୍ଵାନ ଦେଇଥିଲେ।
ଆଜି ବିରୋଧୀ ଦଳଗୁଡ଼ିକ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ବିଜେପି କର୍ମୀମାନେ କଳାଧନ ବିରୋଧୀ ଦିବସ ପାଳନ ପାଇଁ ବିପୁଳ ଉତ୍ସାହରେ ରାସ୍ତାକୁ ଓହ୍ଲାଇଥିଲେ। ବିମୁଦ୍ରାକରଣ ଯୋଗୁଁ ମିଳିଥିବା ସୁଫଳ ସଂପର୍କରେ ବିଜେପି ନେତା ଓ କର୍ମୀମାନେ ଲୋକଙ୍କୁ ଅବଗତ କରାଉଛନ୍ତି। ଉତ୍ତର ପ୍ରଦେଶରେ ବିଜେପି କାର୍ଯ୍ୟକର୍ତ୍ତମାନେ ବିଭିନ୍ନ ସ୍ଥାନରେ ୫୦୦ ଏବଂ ୨୦୦୦ ଟଙ୍କା ଆକୃତିର କେକ୍ କାଟି କଳାଧନ ବିରୋଧୀ ଦିବସ ପାଳିଛନ୍ତି। କଂଗ୍ରେସ କଳାଧନକୁ ସମର୍ଥନ କରୁଥିବାରୁ ବିମୁଦ୍ରାକରଣକୁ ବିରୋଧ କରିଚାଲିଛି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ତାମିଲନାଡ଼ୁ ବିଜେପି ଯୁବମୋର୍ଚ୍ଚା ଦ୍ୱାରା ଆୟୋଜିତ ଦସ୍ତଖତ ଅଭିଯାନରେ ସାମିଲ ହେବା ସହ କଳାଧନ ବିରୋଧୀ ଦିବସର ନେତୃତ୍ୱ ନେଇଥିଲେ। କଶ୍ମୀରରେ ଆତଙ୍କବାଦ, ବିଭିନ୍ନ ରାଜ୍ୟରେ ମାଓ ହିଂସା, କଳା କାରବାର, ନକଲି ନୋଟ୍କୁ ରୋକିବା କ୍ଷେତ୍ରରେ ବିମୁଦ୍ରାକରଣ ଏକ ସଫଳ ଅସ୍ତ୍ର ସାବ୍ୟସ୍ତ ହୋଇଛି ବୋଲି ସୀତାରମଣ କହିଛନ୍ତି। ଡିଏମ୍କେ ତାମିଲନାଡ଼ୁରେ ୮ଟି ଜିଲ୍ଲାକୁ ବାଦଦେଇ ଅନ୍ୟ ଜିଲ୍ଲାମାନଙ୍କରେ କଳାଦିବସ ପାଳନ କରିଥିଲା । ଡିଏମ୍କେ ନେତା ଷ୍ଟାଲିନ ଚେନ୍ନାଇରେ କଳାଦିବସ ପାଳନର ନେତୃତ୍ୱ ନେଇଥିଲେ।
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଗୁଜରାଟରେ କଳାଧନ ବିରୋଧୀ ଦିବସରେ ଆୟୋଜିତ ଦସ୍ତଖତ ଅଭିଯାନରେ ଭାଗ ନେଇଥିଲେ। କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ଅହମଦାବାଦରେ କଳାଧନ ବିରୋଧୀ ଦିବସର ନେତୃତ୍ୱ ନେଇଥିଲେ। ଦେଶବାସୀ ବିମୁଦ୍ରାକରଣର ସୁଫଳ ଉପଲବ୍ଧ କରିଛନ୍ତି ଏବଂ କଂଗ୍ରେସର ବିଭ୍ରାନ୍ତି କାମ ଦେଉନାହିଁ ବୋଲି ଗୋଏଲ କହିଛନ୍ତି।