ଖୋଲୁଛି ପାକିସ୍ତାନୀଙ୍କ ମୁଖା: ବର୍ଷେ ତଳେ ଓଡ଼ିଶାରେ ଖସିପଡ଼ିଥିବା ଦୁର୍ଘଟଣାଗ୍ରସ୍ତ ବିମାନ ଫଟୋ ଦେଇ କହୁଛି, ଆମେ ଗୁଳି କରି ଖସେଇ ଦେଲୁ

ନୂଆଦିଲ୍ଳୀ: ପାକିସ୍ତାନର ଆତଙ୍କବାଦୀଙ୍କ ଉପରେ ଭାରତୀୟ ବାୟୁସେନା ମଙ୍ଗଳବାର ମଧ୍ୟ ରାତ୍ରରେ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ କରିବା ପରେ ଦୁଇ ଦେଶ ମଧ୍ୟରେ ଥିବା ତିକ୍ତତା ବୃଦ୍ଧି ପାଇଛି। ବୁଧବାର ପୂର୍ବାହ୍ନରେ ପାକିସ୍ତାନର ଲଢୁଆ ବିମାନ ଏଫ୍‌-୧୬ ସୀମା ପାର୍‌ କରିଥିବା ବେଳେ ଭାରତୀୟ ସେନା ତାହାକୁ ଗୁଳି ମାରି ଖସାଇ ଦେଇଥିବା ଜାଣିବାକୁ ମିଳିଛି। ଏ ପରିସ୍ଥିତିରେ ମୁହଁ ଟାଣ ଛାଡ଼ି ନାହିଁ ପାକିସ୍ତାନ। ଭାରତୀୟ ସେନାର ଏକ ବିମାନକୁ ଗୁଳି କରି ଖସାଇଥିବା ସହ ବାୟୁ ସେନାର ଓ୍ଵିଙ୍ଗ୍‌ କମାଣ୍ଡର୍‌ ଅଭିନନ୍ଦନଙ୍କୁ ବନ୍ଦୀ କରି ନେଇଥିବା ଦାବି କରିଛି।

ତେବେ, ସବୁଠାରୁ ମଜାଦାର କଥା ହେଉଛି ପାକିସ୍ତାନ ଟୁଇଟର୍‌ରେ ଯେଉଁ ଫଟୋ ଅପ୍‌ଲୋଡ୍‌ କରି ସେ ଗୁଳି କରି ଖସାଇଥିବା ବିମାନର ଫଟୋ ବୋଲି ଦାବି କରିଛି ତାହା ହେଉଛି ୨୦୧୮ ମସିହାର ଫଟୋ। ବାସ୍ତବରେ ଫଟୋଟି ହେଉଛି ୨୦୧୮ ମସିହାରେ ଓଡ଼ିଶାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଭାରତୀୟ ବାୟୁ ସେନାର ହକ୍‌ ଟ୍ରେନର୍‌ ଜେଟ୍‌ର।

କେବଳ ଏତିକି ନୁହେଁ, ୨୦୧୬ ମସିହାରେ ରାଜସ୍ଥାନରେ ହୋଇଥିବା ଏମ୍‌ଆଇଜି ଯୁଦ୍ଧ ବିମାନର ଦୁର୍ଘଟଣା ବେଳର ଏକ ଭିଡିଓକୁ ସେୟାର୍‌ କରି ପାକିସ୍ତାନ ମିଛ ବାହାଦୁରି ନେବାକୁ ଚେଷ୍ଟା କରିଥିଲେ ବି ସେ ସଫଳ ହୋଇପାରି ନାହିଁ। ତଦନ୍ତ ହେବା ପରେ ଭିଡିଓ ପଛର ସତ ପଦାକୁ ଆସିଛି।

କେବଳ ପାକିସ୍ତାନୀ ଗଣମାଧ୍ୟମ ନୁହଁନ୍ତି, ପାକିସ୍ତାନର ବହୁ ଟୁଇଟର୍‌ ବ୍ୟବହାରକାରୀ ମଧ୍ୟ ଏପରି ନକଲି ଫଟୋ ଓ ଭିଡିଓକୁ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ କରାଇବାରେ ଲାଗିଛନ୍ତି।

 

ସମ୍ବନ୍ଧିତ ଖବର