କଶ୍ମୀର ରିପୋର୍ଟ ପଠାଇଲେ ଡୋଭାଲ

ସ୍ଥିତି ସ୍ବାଭାବିକ ଅଛି, ସ୍ଥାନୀୟ ଲୋକଙ୍କ ସ୍ବାଗତ

ନୂଆଦିଲ୍ଳୀ : ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସଏ) ଅଜିତ ଡୋଭାଲ୍‌ ଏବ‌େ କଶ୍ମୀରରେ ରହି ସ୍ଥିତି ସମୀକ୍ଷା କରୁଛନ୍ତି। କିଛି ବରି‌‌ଷ୍ଠ ଅଧିକାରୀଙ୍କ ସହ ଡୋଭାଲ୍‌ କଶ୍ମୀରରେ ପହଞ୍ଚି ସମୀକ୍ଷା ବୈଠକ କରିଛନ୍ତି । ତେବେ ଶ୍ରୀନଗରରେ ସୁରକ୍ଷା ସ୍ଥିତି ସମୀକ୍ଷା କରିଥିବା ଡୋଭାଲ୍‌ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଏ ସଂକ୍ରାନ୍ତ ରିପୋର୍ଟ ପଠାଇଛନ୍ତି ଏବଂ କଶ୍ମୀରରେ ସବୁକିଛି ସ୍ବାଭାବିକ ଥିବା କହିଛନ୍ତି। ସ୍ଥାନୀୟ ଲୋକମାନେ ଧାରା ୩୭୦ ଉଚ୍ଛେଦ ନେଇ ସରକାରଙ୍କ ନି‌ଷ୍ପତ୍ତିକୁ ସ୍ବାଗତ କରିଛନ୍ତି ଏବଂ ଜମ୍ମୁ କଶ୍ମୀରରେ ଏବେ ଶାନ୍ତି ଓ ସ୍ଥିରତା ବଜାୟ ରହିଛି ବୋଲି ଡୋଭାଲ୍‌ କହିଛନ୍ତି। ଜମ୍ମୁ କଶ୍ମୀର ପୁଲିସ ଡିଜି ଦିଲବାଗ୍‌ ସିଂହ ମଧ୍ୟ କହିଛନ୍ତି, ଜମ୍ମୁ କଶ୍ମୀରର ୩ ଅଞ୍ଚଳରେ ସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି। ଜମ୍ମୁ କଶ୍ମୀରରେ ଆଇନ ଶୃଙ୍ଖଳା ସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି ବୋଲି ସିଂହ କହିଛନ୍ତି। ଜମ୍ମୁ କଶ୍ମୀର ରାଜ୍ୟପାଳ ସତ୍ୟପାଲ୍‌ ମଲିକ ମଧ୍ୟ ଗତକାଲି ରାତିରୁ ବରିଷ୍ଠ ଅଧିକାରୀମାନଙ୍କ ସହ ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି। ସରକାରଙ୍କ ନିଷ୍ପତ୍ତି କାର୍ଯ୍ୟକାରୀ ହେଲେ ଜମ୍ମୁ କଶ୍ମୀରରେ ସାଧାରଣ ଲୋକ କିଛି ଅସୁବିଧାର ସମ୍ମୁଖୀନ ନହେବାପାଇଁ ଡୋଭାଲ୍‌ ଏବେ ଜମ୍ମୁ କଶ୍ମୀରରେ ଅବସ୍ଥାପିତ ହୋଇଛନ୍ତି। ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ କଶ୍ମୀରରେ ଅଶାନ୍ତ ପରିବେଶ ସୃଷ୍ଟି କରିବାପାଇଁ ପ୍ରୟାସ କରିପାରେ ସେଥିଲାଗି ସରକାର ଡୋଭାଲ୍‌ଙ୍କୁ କଶ୍ମୀର ପଠାଇଛନ୍ତି।

ସମ୍ବନ୍ଧିତ ଖବର