ରାମଦେବଙ୍କ ଏଲୋପାଥି ବିରୋଧୀ ବୟାନ, ଦେଶବ୍ୟାପୀ ଡାକ୍ତର ପାଳିଲେ କଳା ଦିବସ

ନୂଆଦିଲ୍ଲୀ: ଯୋଗଗୁରୁ ବାବା ରାମଦେବଙ୍କ ‌ଏଲୋପାଥି ଏବଂ ଆଧୁନିକ ଔଷଧ ବିରୋଧୀ ମନ୍ତବ୍ୟକୁ ଆଜି ଦେଶବ୍ୟାପୀ ଡାକ୍ତରମାନେ ବିରୋଧ କରିଛନ୍ତି। ପ୍ରତିବାଦରେ ସେମାନେ ଆଜିର ଦିନଟିକୁ କଳାଦିବସ ଭାବେ ପାଳନ କରିଛନ୍ତି। ଦେଶର ବିଭିନ୍ନ ସ୍ଥାନରେ ଡାକ୍ତରଖାନାଗୁଡ଼ିକରେ ଡାକ୍ତରମାନେ ଧାରଣା ଦେବା ସହିତ ହାତରେ ପ୍ଲାକାର୍ଡ ଧରି ବିଭିନ୍ନ ସ୍ଳୋଗାନ ଦେଇଥିଲେ। ସର୍ବସାଧାରଣରେ ରାମଦେବ ତାଙ୍କ ମନ୍ତବ୍ୟ ପାଇଁ ନିଃସର୍ତ୍ତ କ୍ଷମା ମାଗନ୍ତୁ ବୋଲି ଚିକିତ୍ସକ ସଂଘ ଦାବି କରିଛନ୍ତି। ତେବେ ଗତ ୨୯ ତାରିଖରେ ଫେଡେରେସନ୍ ଅଫ୍ ରେସିଡେଣ୍ଟ୍ ଡକ୍ଟର୍ସ ଆସୋସିଏସନ (ଏଫ୍‌ଓଆର୍‌ଡିଏ) ଆନ୍ଦୋଳନ ଡାକରା ଦେଇଥିଲେ ମଧ୍ୟ ଚିକିତ୍ସା ସେବା ବ୍ୟାହତ ହେବନାହିଁ ବୋଲି କହିଥିଲେ। କିଛି ଡାକ୍ତର ଦାୟିତ୍ବରେ ଥାଇ ମଧ୍ୟ ପ୍ରତିବାଦ ଜଣାଇଥିଲେ। ସେମାନଙ୍କ ପିପିଇ କିଟ୍‌ରେ ରାମଦେବ ବିରୋଧୀ ବାର୍ତ୍ତା ଲେଖା ହୋଇଥିଲା।

ଅନ୍ୟପକ୍ଷରେ ଏକ ଟିଭି ଚାନେଲକୁ ସାକ୍ଷାତକାର ଦେଇ ରାମଦେବ କହିଛନ୍ତି, ମୁଁ ମୋ ମନ୍ତବ୍ୟକୁ ଫେରାଇ ନେବା ସହିତ କ୍ଷମା ମଧ୍ୟ ମାଗିସାରିଛି। ମହାମାରୀରେ ଯେଉଁ କରୋନା ଯୋଦ୍ଧାମାନେ ପ୍ରାଣ ହରାଇଛନ୍ତି ସମସ୍ତଙ୍କୁ ମୁଁ ମୋର ସମ୍ମାନ ଜଣାଉଛି। ଆଇଏମଏର ଖରାପ ମନୋଭାବ ଯୋଗୁ ଏହି ପ୍ରସଙ୍ଗ ଅତିରଂଜିତ ହୋଇଛି। ଏପରିକି ବିଶିଷ୍ଟ ଡାକ୍ତରମାନେ ୯୦ ପ୍ରତିଶତ କରୋନା ରୋଗୀ ଘରେ ରହି ପୁଷ୍ଟିକର ଖାଦ୍ୟ ଖାଇବା ଏବଂ ଯୋଗ କରିବା ଦ୍ବାରା ଭଲ ହୋଇପାରୁଛନ୍ତି ବୋଲି ମତ ଦେଉଥି‌ବା ବେଳେ ଆୟୁର୍ବେଦକୁ ଛଦ୍ମବିଜ୍ଞାନ କୁହାଯାଉଛି। ଯୋଗକୁ କାହିଁକି ଅପମାନିତ କରାଯାଉଛି ବୋଲି ସେ କ୍ଷୋଭର ସହ କହିଛନ୍ତି। ଏହା ଏଲୋପାଥି ବନାମ ଆୟୁର୍ବେଦ ନୁହେଁ। ମୁଁ ଡ୍ରଗ ମାଫିଆଙ୍କ ବିରୋଧରେ କହିଛି। ମୁ ଏଲୋପାଥିକୁ ଏକ ବିଜ୍ଞାନଭାବେ ଗ୍ରହଣ କରେ ବୋଲି ରାମଦେବ କହିଛନ୍ତି।

ସମ୍ବନ୍ଧିତ ଖବର