ନେପିଦା: ମ୍ୟାମାରରେ ୭.୭ ତୀବ୍ରତାର ଭୂମିକମ୍ପ ଯୋଗୁଁ ପ୍ରଳୟଙ୍କରୀ ସ୍ଥିତି ଦେଖିବାକୁ ମିଳିଛି। ବିଶେଷଜ୍ଞଙ୍କ ମତରେ ଭୂମିକମ୍ପ ଦ୍ୱାରା ନିର୍ଗତ ଶକ୍ତି ୩୦୦ରୁ ଅଧିକ ପରମାଣୁ ବୋମା ବିସ୍ଫୋରଣ ସହ ସମାନ ଥିଲା।
ମ୍ୟାମାରରେ ହୋଇଥିବା ଭୂମିକମ୍ପର ଝଟକା ପଡୋଶୀ ଦେଶ ଥାଇଲ୍ୟାଣ୍ଡରେ ବି ଅନୁଭୂତ ହୋଇଥିଲା। ଭୟଙ୍କର ଭୂମିକମ୍ପ ଯୋଗୁଁ ବ୍ୟାଙ୍କକରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବିରାଟବିରାଟ କୋଠା ଭାଙ୍ଗି ଆଖିପିଛୁଳାକେ ମାଟିରେ ମିଶି ଯାଇଛି।
ବ୍ୟାଙ୍କକରେ ଭୂମିକମ୍ପ ଯୋଗୁଁ ହୋଇଥିବା କ୍ଷୟକ୍ଷତି ପରିସ୍ଥିତି ମଧ୍ୟରେ ଡାକ୍ତରଙ୍କ ଏକ ଦଳ ରାସ୍ତା ମଝିରେ ପ୍ରସବ କରାଇଥିବା ଘଟଣା ଚର୍ଚ୍ଚାରେ ରହିଛି। ଗତ ଶୁକ୍ରବାର (୨୮ ମାର୍ଚ୍ଚ) ଦିନ ପୁଲିସ ଜେନେରାଲ ହସ୍ପିଟାଲରେ ଜଣେ ମହିଳାଙ୍କ ଅସ୍ତ୍ରୋପଚାର ଚାଲିଥିଲା। ଏହି ସମୟରେ ଭୂମିକମ୍ପର ପ୍ରବଳ ଝଟକା ଅନୁଭୂତ ହୋଇଥିଲା, ଯାହା ପରେ ସମସ୍ତ ଡାକ୍ତର ଏବଂ ରୋଗୀଙ୍କୁ ହସ୍ପିଟାଲରୁ ବାହାରକୁ ଅଣାଯାଇଥିଲା।
Footage during the earthquake in #Bangkok a baby was born in the park 😭 Waht a story to tell ‘’ I was born during the earthquake ‘’ #แผ่นดินไหว#earthquake#myanmarearthquake#bangkokearthquake#ตึกถล่มpic.twitter.com/7E0FdzfPEf
— Miia 🩵 (@i30199) March 28, 2025
ଭୂମିକମ୍ପ ମଧ୍ୟରେ ହସ୍ପିଟାଲର ସ୍ୱାସ୍ଥ୍ୟ କର୍ମୀ ଏବଂ ଡାକ୍ତରୀ ଦଳ ଅସ୍ତ୍ରୋପଚାର ଚାଲିଥିବା ମହିଳାଙ୍କୁ ହସ୍ପିଟାଲରୁ ବାହାର କରି ରାସ୍ତାକୁ ଆଣିଥିଲେ। ରାସ୍ତାରେ ଡାକ୍ତରମାନେ ମହିଳାଙ୍କ ସଫଳ ଅସ୍ତ୍ରୋପଚାର କରିଥିଲେ। ଏହି ଅସ୍ତ୍ରୋପଚାରରୁ ମହିଳା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିବା ନେଇ ହସ୍ପିଟାଲର ମୁଖପାତ୍ର ପୁଲିସ କର୍ଣ୍ଣେଲ ସିରିକୁଲ ଶ୍ରୀସଙ୍ଗା ସୂଚନା ଦେଇ କହିଛନ୍ତି।
ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।