ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଗ୍ବାଲିୟର ଜିଲ୍ଲାରେ ଡାକ୍ତରଙ୍କ ଏକ ବଡ଼ ଅବହେଳାର ଘଟଣା ସାମ୍ନାକୁ ଆସିଛି। ମହିଳାଙ୍କ ଅସ୍ତ୍ରୋପଚାର କରାଯିବା ପରେ ଡାକ୍ତର ରୋଗୀଙ୍କ ପେଟ ଭିତରେ ଛୁରୀ ଛାଡ଼ି ଦେଇଥିବାର ଅଭିଯୋଗ ହୋଇଛି।
ପ୍ରକାଶିତ ରିପୋର୍ଟ ମୁତାବକ, ସୌନ୍ଧା ଗୋହଦରେ ବସବାସ କରୁଥିବା କମଲା ବାଇଙ୍କ ଗତ ଦୁଇବର୍ଷ ହେବ ପେଟରେ ଯନ୍ତ୍ରଣା ହେଉଥିଲା। ବାରମ୍ବାର ଚିକିତ୍ସା ଓ ଔଷଧ ଖାଇବା ପରେ ବି ତାଙ୍କୁ ଏହି ଯନ୍ତ୍ରଣାରୁ ଆରାମ ମିଳି ନଥିଲା। ଘଟଣାକୁ ଦୁଇବର୍ଷ ବିତିଯିବା ପରେ ମହିଳାଙ୍କ ଯନ୍ତ୍ରଣା ଅସହ୍ୟ ହୋଇଯାଇଥିଲା। ସେ ଭିଣ୍ଡ ଜିଲ୍ଲା ହସ୍ପିଟାଲରେ ପହଞ୍ଚି ସିଟି ସ୍କାନ କରାଯାଇଥିଲେ।
ସ୍କାନ କରୁଥିବା ଡାକ୍ତର ସତୀଶ ଶର୍ମା କମଲା ବାଇଙ୍କ ପେଟର ସ୍କାନ କରିବା ପରେ ସେଥିରେ ଏକ ବସ୍ତୁ ଥିବା ଦେଖିବାକୁ ପାଇଥିଲେ। ଏହି ବସ୍ତୁର ପରୀକ୍ଷା କରିବା ପରେ ଜଣାପଡ଼ିଥିଲା ଏହା ଏକ କଇଁଚି।
ଏହି ଘଟଣାକୁ ନେଇ କମଲା ବାଇ କହିଛନ୍ତି, ୨୦୨୨ ଫେବ୍ରୁଆରି ୨୦ ତାରିଖରେ ପେଟରେ କର୍କଟର ଅସ୍ତ୍ରୋପଚାର ହୋଇଥିଲା। ଏହି ସମୟରେ ଡାକ୍ତର ଅବହେଳା କରି ମୋ ପେଟ ଭିତରେ ଏକ କଇଁଚି ଛାଡ଼ି ଦେଇଥିଲେ। ଅସ୍ତ୍ରୋପଚାର ପରେ ପେଟରେ ଯନ୍ତ୍ରଣା ଲାଗି ରହିଥିଲା। କଇଁଚି ପେଟର ଏମିତି ଏକ ସ୍ଥାନରେ ଯାଇ ରହିଥିଲା ଡାକ୍ତରମାନେ ଯେତେ ପରୀକ୍ଷା ନୀରିକ୍ଷା କଲେ ମଧ୍ୟ ଅସୁବିଧା କେଉଁଠି ଅଛି ଜାଣି ପାରୁ ନଥିଲେ। ଶେଷରେ ଭଗବାନଙ୍କ ଦୟାରୁ ଡାକ୍ତର ସତୀଶ ଶର୍ମା ମୋ ପେଟ ଭିତରୁ ସୁରକ୍ଷିତ ଭାବ କଇଁଚିକୁ ବାହାର କରିିଥିଲେ।