ଏନ୍‌ଏମ୍‌ସି ବିଲ୍‌କୁ ଆଇଏମ୍‌ଏର ବିରୋଧ : ଦେଶବ୍ୟାପୀ ଡାକ୍ତର ଏବଂ ମେଡିକାଲ ଛାତ୍ରଙ୍କ ଆନ୍ଦୋଳନ

ହାଇଦ୍ରାବାଦ୍‌ : ଗତ ସୋମବାର ଦିନ ଲୋକସଭାରେ ଗୃହୀତ ହୋଇଥିବା ନ୍ୟାସନାଲ ମେଡିକାଲ କମିସନ୍‌କୁ (ଏନ୍‌ଏମ୍‌ସି) ବିଲ୍‌କୁ ଭାରତୀୟ ଚିକିତ୍ସକ ସଂଘ ପ୍ରତ୍ୟାଖ୍ୟାନ କରିଛି। ଏହି ବିଲ୍‌ ବିରୋଧ ଆଜି ଦେଶବ୍ୟାପୀ ଡାକ୍ତରମାନେ ୨୪ ଘଣ୍ଟିଆ ଧର୍ମଘଟ କରିଛନ୍ତି। ଅନେକ ଡାକ୍ତର ଏବଂ ମେଡିକାଲ ଛାତ୍ର ଦାବି କରିଛନ୍ତି ଯେ ଏହି ବିଲ୍‌ ସ୍ବେଚ୍ଛାଚାରୀ ଏବଂ ଅସାମ୍ବିଧାନିକ। ଯେଉଁମାନେ ଏହି ବିଲ୍‌ ପ୍ରସ୍ତୁତ କରିଛନ୍ତି ସେମାନେ ଡାକ୍ତର ନୁହନ୍ତି କି ମେଡିକାଲ ପୃଷ୍ଠଭୂମିର ମଧ୍ୟ ନୁହନ୍ତି। ଏହି ବିଲ୍ ଉଭୟ ଛାତ୍ର ଏବଂ ଗରିବ ବିରୋଧୀ ବୋଲି ଡାକ୍ତରମାନେ ଅଭିଯୋଗ କରିଛନ୍ତି। ଲୋକସଭାରେ ବିଲ୍‌ ଗୃହୀତ ହେବା ପରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ କହିଥିଲେ ଯେ ଏହା ମୋଦୀ ସରକାରଙ୍କ ଦ୍ବାରା ମେଡିକାଲ ଶିକ୍ଷା କ୍ଷେତ୍ରରେ ବହୁତ ବଡ଼ ସଂସ୍କାର। କିନ୍ତୁ ଏହି ବିଲ୍‌କୁ ଅସାମ୍ବ‌ିଧାନିକ ଦର୍ଶାଇ ଦେଶ୍ୟବାପୀ ଆଇଏମ୍‌ଏ (ଇଣ୍ଡିଆନ୍‌ ମେଡିକାଲ ଆସୋସିଏସନ) ଆହ୍ବାନରେ ଡାକ୍ତର ଏବଂ ମେଡିକାଲ ଛାତ୍ରମାନେ ଆନ୍ଦୋଳନ ଓ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ଏନ୍‌ଏମ୍‌ସି ବିଲ୍‌ କ’ଣ ?
ଏନ୍‌ଏମ୍‌ସି ବିଲ୍‌ ଆଇଏମ୍‌ସି (ଇଣ୍ଡିଆନ୍‌ ମେଡିକାଲ କାଉନସିଲ୍‌) ଆଇନ-୧୯୫୬କୁ ରଦ୍ଦ କରିଦେଇଛି। ଏହା ଏମ୍‌ସିଆଇ (ମେଡିକାଲ କାଉନସିଲ୍‌ ଅଫ୍‌ ଇଣ୍ଡିଆ) ଗଠନକୁ ସ୍ବୀକୃତି ଦେଇଥିଲା। ଏମ୍‌ସିଆଇ ମେଡିକାଲ ଶିକ୍ଷା, ମେଡିକାଲ କଲେଜ୍‌ ଆଡମିସନ୍‌, ସମ୍ପୂର୍ଣ୍ଣ କୋର୍ସ, ଆସନ ସଂଖ୍ୟା ଏବଂ ଡାକ୍ତରମାନଙ୍କ ପଂଜୀକରଣ ସଂକ୍ରାନ୍ତ ସମସ୍ତ ମାମଲା ପରିଚାଳନା କରିଥାଏ। ତେବେ ନୂଆ ବିଲ୍‌ ବଳରେ ଏମ୍‌ସିଆଇ ବଦଳରେ ଏନ୍‌ଏମସି (ନ୍ୟାସନାଲ ମେଡିକାଲ କମିସନ୍‌) ଗଠନ କରାଯିବ। କେନ୍ଦ୍ର ସରକାର ଦାବି କରିଛନ୍ତି ଯେ ଏନ୍‌ଏମସି ବିଲ୍‌ ଗରିବ ଏବଂ ଆର୍ଥିକ ସ୍ଥିତି ଦୁର୍ବଳ ଥିବା ଲୋକମାନଙ୍କ ପାଇଁ ସହାୟକ ହେବ। ନୂଆ ବିଲ୍‌ରେ ଏକ ସାଧାରଣ ଚୂଡ଼ାନ୍ତ ଏମ୍‌ବିବିଏସ୍‌ ପରୀକ୍ଷା ତଥା ନ୍ୟାସନାଲ ଏକ୍‌ଜିଟ୍‌ ଟେଷ୍ଟ୍‌ (ନେକ୍ସଟ୍‌) ପାଇଁ ପ୍ରସ୍ତାବ ରହିଛି। ଏହି ଟେଷ୍ଟ୍‌ ଦ୍ବାରା ପିଜି ମେଡିକାଲ କୋର୍ସ‌୍ଏରେ ନାମଲେଖା ଏବଂ ଡାକ୍ତରୀ ସେବା ପାଇଁ ଲାଇ‌ସେନ୍ସ ମିଳିପାରିବ।

ଡାକ୍ତରମାନେ ବିଲ୍‌କୁ କାହିଁକି ବିରୋଧ କରୁଛନ୍ତି
ଏନ୍‌ଏମ୍‌ସି ବିଲ୍‌ ମେଡିକାଲ୍‌ ଶିକ୍ଷା କ୍ଷେତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ ଆ‌ଣିବ ବୋଲି କେନ୍ଦ୍ର ସରକାର କହୁଥିଲେ ମଧ୍ୟ ଡାକ୍ତର ଏବଂ ମେଡିକାଲ ଛାତ୍ରଙ୍କ ସମେତ ମେଡିକାଲ ପୃଷ୍ଠଭୂମିର ଅନେକ ସଦସ୍ୟ ଏହାର ବିରୋଧ କରୁଛନ୍ତି। ଡାକ୍ତରମାନେ ଦାବି କରୁଛନ୍ତି ଯେ ଏହି ବିଲ୍‌ରେ ଥିବା ପ୍ରସ୍ତାବ ଅନୁଯାୟୀ ଗ୍ରାମୀଣ ଅଞ୍ଚଳରେ କ୍ବାକ୍‌ ମାନଙ୍କ ସଂଖ୍ୟା ବୃଦ୍ଧି ପା‌ଇବ। ଏନ୍‌ଏମ୍‌ସି ବିଲ୍‌ର ଧାରା ୩୨ ଅଧୀନରେ ପ୍ରାୟ ୩.୫ ଲକ୍ଷ ଗୋଷ୍ଠୀ ସ୍ବାସ୍ଥ୍ୟ ସେବା ପ୍ରଦାନକାରୀ ମେଡିସିନ୍‌ ପ୍ରେସକ୍ରାଇବ୍‌ କରିବାପାଇଁ ଆଇନଗତ ଅନୁମତି ପାଇପାରିବେ। ଯୋଗ୍ୟତା ନଥିବା ଅଣ ମେଡିକାଲ ସଦସ୍ୟମାନେ ମଧ୍ୟ ମଡର୍ନ ମେଡିସିନ୍‌ ଅଭ୍ୟାସ କରିବା ସୁଯୋଗ ପାଇପାରିବେ ଏବଂ ଏହାଦ୍ବାରା ବିନା ଯୋଗ୍ୟତାରେ ସ୍ବାଧୀନ ଭାବେ ମେଡିସିନ୍‌ ପ୍ରେସକ୍ରାଇବ୍‌ କରିପାରିବେ। ଏହାଦ୍ବାରା କ୍ବାକ୍‌ ସଂଖ୍ୟା ବୃଦ୍ଧି ପାଇବ। ଡାକ୍ତରମାନେ ଏହି ବିଲ୍‌କୁ ଗରିବ ଏବଂ ଜନ ବିରୋଧୀ ବୋଲି କହିଛନ୍ତି। ଏହ ସହିତ ଘରୋଇ ମେଡିକାଲ କଲେଜରେ ପ୍ରାୟ ୫୦ ପ୍ରତିଶତ ଆସନ ପାଇଁ ଫି ନିର୍ଦ୍ଧାରଣ ନିଷ୍ପତ୍ତି ସଂପୂର୍ଣ୍ଣ ଭାବେ ଉକ୍ତ କଲେଜ କର୍ତ୍ତୃପକ୍ଷଙ୍କ ହାତରେ ଛାଡ଼ି ଦିଆଯାଇଥିବାରୁ ଏହାକୁ ମଧ୍ୟ ଆଇଏମ୍‌ଏ ବିରୋଧ କରିଛି।

ସମ୍ବନ୍ଧିତ ଖବର