ହାଇଦ୍ରାବାଦ ଡାକ୍ତରାଣୀ ଗଣଦୁଷ୍କର୍ମ: ‘ଅନୁକମ୍ପା ନୁହେଁ, ନ୍ୟାୟ ଦରକାର’

କଲୋନି ଗେଟ୍‌ରେ ତାଲା ପକାଇଲେ ‌ଲୋକେ

ମୁହଁ ଖୋଲିଲେ କେସିଆର: ଫାଷ୍ଟଟ୍ରାକ୍‌ କୋର୍ଟରେ ବିଚାର ହେବ
ହାଇଦ୍ରାବାଦ: ହାଇଦ୍ରାବାଦର ମହିଳା ଡାକ୍ତରାଣୀ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦେଶବ୍ୟାପୀ ଅସନ୍ତୋଷର ନିଆଁ ଜଳୁଛି। ହାଇଦ୍ରାବାଦରେ ବିକ୍ଷୋଭ ଜାରି ରହୁଥିବା ବେଳେ ପୀଡ଼ିତ ପରିବାର ରହୁଥିବା ଅଂଚଳବାସିନ୍ଦା ଆଜି କଲୋନି ମୁଖ୍ୟ ଫାଟକରେ ତାଲା ପକାଇ ଦେଇଛନ୍ତି। କୌଣସି ଅନୁକମ୍ପା ଦରକାର ନାହିଁ, କେବଳ କାର୍ଯ୍ୟାନୁଷ୍ଠାନ ଏବଂ ନ୍ୟାୟ ଆବଶ୍ୟକ ବୋଲି ସେମାନେ କହିଛନ୍ତି। ବିଭିନ୍ନ ଆଡ଼ୁ ଚାପର ବଶବର୍ତ୍ତୀ ହେବା ପରେ ଶେଷରେ ୪ ଦିନ ପରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ରବିବାର ମୁହଁ ଖୋଲିଛନ୍ତି। ଏହି ମାମଲାର ବିଚାର ଫାଷ୍ଟ ଟ୍ରାକ୍ କୋର୍ଟରେ କରାଯାଇ ପୀଡ଼ିତାଙ୍କୁ ଶୀଘ୍ର ନ୍ୟାୟ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ଏହି ଘଟଣାର ଘୋର ନିନ୍ଦା କରିଛନ୍ତି। ପୀଡ଼ିତାଙ୍କ ପରିବାରକୁ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି କେସିଆର କହିଛନ୍ତି। ସେହିଭଳି ମୁଖ୍ୟମନ୍ତ୍ରୀଙ୍କ ପୁଅ ତଥା ମନ୍ତ୍ରୀ କେ ଟି ରାମାରାଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଇନରେ ସଂଶୋଧନ ଆଣିବା ଲାଗି ଅନୁରୋଧ କରିଛନ୍ତି। ଦୁଷ୍କର୍ମକାରୀଙ୍କୁ ଯେଭଳି ଅବି‌ଳମ୍ବେ ମୃତ୍ୟୁଦଣ୍ଡ ମିଳିବ ତାହାକୁ ନିଶ୍ଚିତ କରିବା ଲାଗି କହିଛନ୍ତି।

ନ୍ୟାୟ ଦାବିକଲା ସିନେଜଗତ
ମୁମ୍ବାଇ: ହାଇଦ୍ରାବାଦ ଗଣଦୁଷ୍କର୍ମ ଘଟଣାରେ ବଲିଉଡ଼ କଳାକାର ସ୍ବର ଉଠାଇଛନ୍ତି। ସଲମାନ୍‌ ଖାନ୍‌ଙ୍କ ଠାରୁ ଆରମ୍ଭ କରି ଶାବନା ଆଜ୍‌ମୀ, ଫାରା ଅଖତର ପ୍ରମୁଖ ସେମାନଙ୍କ କ୍ରୋଧ ଓ କ୍ଷୋଭକୁ ଟ୍ବିଟରରେ ବ୍ୟକ୍ତ କରିଛନ୍ତି। ସଲମାନ କହିଛନ୍ତି, ବେଟି ବଚାଓ କେବଳ ‌ସ୍ଲୋଗାନରେ ରହିଯିବା ଉଚିତ ନୁହେଁ। ସେହିଭଳି ଅଭିନେତା ବରୁଣ ଧାୱନ ଏବଂ ଅଭିନେତ୍ରୀ ହୁମା କ୍ୟୁରେସି ପ୍ରମୁଖ ସେମାନଙ୍କ କ୍ଷୋଭ ପ୍ରକାଶ କରିଛନ୍ତି।

ନବୀନ କରିଥିଲା ଚକା ପଙ୍କ୍‌ଚର
ହାଇଦ୍ରାବାଦ: ହାଇଦ୍ରାବାଦର ଡାକ୍ତରାଣୀ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାର ତଦନ୍ତରୁ ଅନେକ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ମୁଖ୍ୟ ଅଭିଯୁକ୍ତ ମହମ୍ମଦ ଆରିଫ୍ ବୁଧବାର ସଂଧ୍ୟାରେ ମଦ କିଣିଥିଲା। ସାମସାବାଦ ଟୋଲ ପ୍ଲାଜା ନିକଟରେ ଟ୍ରକ୍‌ କେବିନ ଭିତରେ ‌ବସି ୪ ଜଣ ଯାକ ଅଭିଯୁକ୍ତ ସାଢ଼େ ୫ଟା ବେଳକୁ ମଦ ପଇଥିଲେ। ସଂଧ୍ୟା ୬ଟା ବେଳକୁ ସେମାନଙ୍କର ଟ୍ରକ ନିକଟରେ ରଖାଯାଇଥିବା ସ୍କୁଟି ଉପରେ ନଜର ପଡ଼ିଥିଲା। ଏହାପରେ ଅଭିଯୁକ୍ତମାନେ ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ କରିବାକୁ ଷଡ଼ଯନ୍ତ୍ର ରଚିଥିଲେ। ଏହାପରେ ଅଭିଯୁକ୍ତ ନବୀନ ଡାକ୍ତରାଣୀଙ୍କ ସ୍କୁଟିର ପଛ ଚକା ପଙ୍କ୍‌ଚର କରିଥିଲା। ରାତି ୯ଟା ୧୮ରେ ପୀଡ଼ିତା ଯେତେବେଳେ ସ୍କୁଟି ନେବାକୁ ଆସିଲେ, ଜାଣିବାକୁ ପାଇଥିଲେ ଗୋଟିଏ ଚକା ପଙ୍କଚର ହୋଇଯାଇଛି। ରାତି ୯ଟା ୩୦ରେ ଶିବା ପୀଡ଼ିତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲା ଚକା ପଂକ୍‌ଚରକୁ ଠିକ୍ କରିବା ବାହାନାରେ ପୀଡ଼ିତାଙ୍କଠାରୁ ସ୍କୁଟି ନେଇଥିଲା। କିଛି ସମୟ ପରେ ସେ ଫେରି ଆସିଥିଲା ଏବଂ ପୀଡ଼ିତାଙ୍କୁ କହିଥିଲା ସବୁ ମରାମତି ଦୋକାନ ବନ୍ଦ ଅଛି। ଏହାପରେ ପୀଡ଼ିତାଙ୍କୁ ସେମାନେ କାବୁ କରିନେଇ ଟ୍ରକ ନିକଟସ୍ଥ ଏକ ନିଛାଟିଆ ସ୍ଥାନକୁ ନେଇଥିଲେ ଏବଂ ସେଠାରେ ବଳପୂର୍ବକ ମଦ ପିଆଇ ଗଣଦୁଷ୍କର୍ମ ପରେ ହତ୍ୟା କରିଥିଲେ।

ସମ୍ବନ୍ଧିତ ଖବର