ଜମ୍ମୁ ଓ କଶ୍ମୀର ଏନ୍‌କାଉଣ୍ଟର୍‌: ଯେଉଁ ଡାକ୍ତରଙ୍କ ଚିକିତ୍ସା ଯୋଗୁଁ ବଞ୍ଚିଲେ ଅନେକ ଲୋକ; ମଲା କେବଳ ତାଙ୍କରି ପୁଅ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ପୁଲ୍‌ଓ୍ଵାମା ଜିଲ୍ଲାରେ ଏକ ଏନ୍‌କାଉଣ୍ଟର୍‌ ସମୟରେ ନିରାପତ୍ତା ବଳଙ୍କ ସହ ସଂଘର୍ଷ ଯୋଗୁଁ ଆହତ ହୋଇଥିବା ଲୋକଙ୍କର ଚିକିତ୍ସା କରି ବ୍ୟତିବ୍ୟସ୍ତର ଦିନଟିଏ କାଟିବା ପରେ ଚୁପ୍‌ଚାପ୍‌ ନିଜର ଆବାସିକ କ୍ୱାର୍ଟର୍ସକୁ ଫେରିଥିଲେ ଡାକ୍ତର ଅବ୍‌ଦୁଲ୍‌ ଗନି ଖାଁ।

ଘରେ ପହଞ୍ଚିଛନ୍ତି କି, ନାହିଁ ପୁଲ୍‌ଓ୍ଵାମା ଡାକ୍ତରଖାନାରେ ପହଞ୍ଚିବାକୁ ଏକ ଜରୁରୀ ଫୋନ୍‌ କଲ୍‌ ପାଇଲେ ଖାଁ।

କାହାର ଚିକିତ୍ସା କରିବାକୁ ଯାଉଛନ୍ତି, ତାଙ୍କୁ ଜଣା ନ ଥିଲା। ଦିନ ତମାମ ସେ ଢେର ରକ୍ତପାତ ଓ ଯନ୍ତ୍ରଣା ଦେଖି ଆସିଥିଲେ ବି ପରିସ୍ଥିତି ବୁଝିବା ତାଙ୍କ ପକ୍ଷେ ଅସମ୍ଭବ ମନେ ହେଉଥିଲା।

ଡାକ୍ତରଖାନାରେ ପହଞ୍ଚବା ପରେ ତାଙ୍କୁ କୁହାଗଲା ଯେ ସଂଘର୍ଷରେ ତାଙ୍କ ପୁଅର ମୃତ୍ୟୁ ହୋଇଛି। ତା’ର ଶବ ଡାକ୍ତରଖାନାକୁ ଅଣାଯାଇଛି।

ଶୁକ୍ରବାର ଦିନ ଥାମୁନା ଗାଁ’ରେ ପଥର ଫିଙ୍ଗାଳି, ନିରାପତ୍ତା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ସଂଘର୍ଷ ଘଟି ଆହତ ହୋଇଥିବା ଲୋକଙ୍କ ମଧ୍ୟରେ ଥିଲେ ଡାକ୍ତରବାବୁଙ୍କ ୧୬ ବର୍ଷିୟ ପୁଅ ଫୈୟାଜାନ୍‌ ଅହମଦ୍‌ ଖାଁ।

ସାଙ୍ଘାତିକ ଅବସ୍ଥାରେ ତାଙ୍କୁ ରାଜପୋରା ଡାକ୍ତରଖାନାକୁ ନିଆ ଯାଇଥିଲା। ସେ ବଞ୍ଚିବ ନାହିଁ ବୋଲି ଆଶଙ୍କା କରି ଡାକ୍ତରମାନେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଯେଉଁ ତାଙ୍କର ବାପା ଚିକିତ୍ସା କରନ୍ତି, ସେଠାକୁ ରେଫର୍‌ କରିଦେଲେ।

ଜିଲ୍ଲା ଚିକିତ୍ସାଳୟର ସୁପରିଣ୍ଟେଣ୍ଡେଣ୍ଟ୍‌ ଡାକ୍ତର ରଶିଦ ପରା କହନ୍ତି: ରାଜପୋରା ଡାକ୍ତରଖାନାର ଡାକ୍ତରମାନେ ଆମକୁ ସୂଚନା ଦେଲେ କି, ସେମାନେ ଫୈଜାନ୍‌କୁ ଚିହ୍ନି ପାରିଛନ୍ତି। ଜିଲ୍ଲା ଚିକିତ୍ସାଳୟରେ ସେ ପହଞ୍ଚି ପାରିବ ନାହିଁ ବୋଲି ମଧ୍ୟ ସେମାନେ ଆଶଙ୍କା କରିଥିଲେ।

ଜିଲ୍ଲା ଚିକିତ୍ସାଳୟକୁ ଅଣାଯିବା ପରେ ତାଙ୍କୁ ବଞ୍ଚାଇବା ପାଇଁ ଆମେ ସାଧ୍ୟମତେ ଉଦ୍ୟମ କଲୁ କିନ୍ତୁ, ଦୁଃଖର ବିଷୟ ତାଙ୍କ ଶରୀରରେ ଜୀବନର ଚିହ୍ନ ନ ଥିଲା।
ସେତେବେଳେ ଯାଇ ପରା ଏବଂ ଡାକ୍ତରଖାନାର ଅନ୍ୟ କର୍ମଚାରୀମାନେ ରେସିଡେନ୍‌ସିଆଲ୍‌ କ୍ୱାର୍ଟର୍ସରୁ ଡାକ୍ତର ଖାଁଙ୍କୁ ଡାକିବାକୁ ସ୍ଥିର କଲେ।

ଫୈଜାନ୍‌ ଏଇ ଡାକ୍ତରଖାନାରେ ଜନ୍ମିଥିଲା ଏବଂ ଏଇ ଡାକ୍ତରଖାନା ପରିସରେ ତା’ର ବାଲ୍ୟକାଳ କଟାଇଥିଲା। ତାଙ୍କ ପୁଅ ବିଷୟରେ ନ କହି ଆମେ ଖାଁଙ୍କୁ ଡକାଇଲୁ। ତାଙ୍କୁ ଗୋଟାଏ କୋଠରିରେ ବସାଇ ଫୈଜାନ୍‌ର ଶବକୁ କପଡ଼ାରେ ଗୁଡ଼ାଇଲୁ।

ସହକର୍ମୀମାନଙ୍କ ବେଷ୍ଟନରେ ରଖି ଆମେ ଖାଁଙ୍କୁ ତାଙ୍କ ପୁଅର ମୃତ୍ୟୁ ଖବର କହିଲୁ। ଆମେ ଖାଁଙ୍କୁ ସାନ୍ତ୍ୱନା ଦେଲୁ କିନ୍ତୁ, ଏହା ତାଙ୍କୁ କଷ୍ଟ ଲାଘବ କରି ପାରି ନ ଥିଲା।
ପୁଅକୁ ଦେଖିବାକୁ ସେ ଆଶୁଚିକିତ୍ସା ଓ୍ଵାର୍ଡକୁ ଯାଇ ସଙ୍ଗେ ସଙ୍ଗେ କାନ୍ଦି ପକାଇଲେ। ଆମ ସମସ୍ତଙ୍କ ଆଖିରେ ଥିଲା ଲୁହ…।

ଯେଉଁ ଡାକ୍ତରଖାନରେ ଫୈଜାନ୍‌ ଜନ୍ମିଥିଲା, ସେଇଠି ମୃତ ଘୋଷିତ ହେବାକୁ ଭାଗ୍ୟ ତାକୁ ଆଣିଥିଲା।

ଶେଷକୃତ୍ୟ ପାଇଁ ଫୈଜାନ୍‌ର ଶବକୁ ପରେ ତାଙ୍କ ପୈତୃକ ଘର ଲାଡୁ ଗାଁ’କୁ ନିଆଯାଇଥିଲା।

ସମ୍ବନ୍ଧିତ ଖବର