ସର୍ତ୍ତ ରଖିଲେ ଡାକ୍ତର, ଗଣମାଧ୍ୟମ ଉପସ୍ଥିତିରେ ହିଁ ଆଲୋଚନା ହେବ କେନ୍ଦ୍ରର ରିପୋର୍ଟ ତଲବକୁ ମମତାଙ୍କ ବିରୋଧ

କୋଲାକାତା: ପଶ୍ଚିମବଂଗରେ ଧର୍ମଘଟ ଚଳାଇଥିବା ଡାକ୍ତରମାନେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ ଆଲୋଚନା କରିବାକୁ ରାଜି ହୋଇଛନ୍ତି। କନିଷ୍ଠ ଡାକ୍ତରଙ୍କ ମିଳିତ ଫୋରମ୍‌ ପକ୍ଷରୁ କୁହାଯାଇଛି ଯେ ଏହି ଆଲୋଚନା କୌଣସି ରୁଦ୍ଧ କୋଠରୀ ଭିତରେ ହେବନାହିଁ ଏବଂ ଗଣମାଧ୍ୟମ ସମ୍ମୁଖରେ ହିଁ କରାଯିବ। ରୁଦ୍ଧଦ୍ବାର ଆଲୋଚନା ପାଇଁ ଆମେ ପ୍ରସ୍ତୁତ ନୋହୁଁ, କିନ୍ତୁ ଗଣମାଧ୍ୟମ ଉପସ୍ଥିତିରେ ଖୋଲା ଆଲୋଚନା ପାଇଁ ଆମେ ତୟାର ରହିଛୁ ବୋଲି ଡାକ୍ତର ସଂଘ ପକ୍ଷରୁ କୁହାଯାଇଛି। ତେବେ ଡାକ୍ତରଙ୍କ ଏହି ସର୍ତ୍ତ ନେଇ ପଶ୍ଚିମବଂଗ ସରକାର କୌଣସି ନିଷ୍ପତ୍ତି ଜଣାଇନାହାନ୍ତି। ଗତକାଲି ସଚିବାଳୟରେ ଆଲୋଚନା ପାଇଁ ମମତାଙ୍କ ପ୍ରସ୍ତାବକୁ ଡାକ୍ତରମାନେ ପ୍ରତ୍ୟଖ୍ୟାନ କରିଥିଲେ ଏବଂ ଦାବି ପୂରଣ ପାଇଁ ମମତା ଦେଇଥିବା ପ୍ରତିଶ୍ରୃତିକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶୃତି ପଛରେ ଆଦୌ ନିଷ୍ଠା ନଥିବା ଆମେ ଅନୁଭବ କରୁଛୁ ବୋଲି ଡାକ୍ତରମାନେ କହିଥିଲେ। ଏନ୍‌ଆର୍‌ଏସ୍‌ ମେଡିକାଲ କଲେଜକୁ ଆସି ଡାକ୍ତରଙ୍କ ସହ ଆଲୋଚନାକୁ ମୁଖ୍ୟମନ୍ତ୍ରୀ ପ୍ରତ୍ୟାଖ୍ୟାନ କରିଥିବାରୁ ଡାକ୍ତରମାନେ ମଧ୍ୟ ସଚିବାଳୟ ଯାଇ ଆଲୋଚନା କରିବାକୁ ମନା କରିଦେଇଥିଲେ। ତେବେ ଗଣମାଧ୍ୟମ ଉପସ୍ଥିତିରେ ଏ ବାବଦ ଆଲୋଚନା ହୋଇପାରିବ ବୋଲି ଡାକ୍ତର ସଂଘ ଆଜି ସର୍ତ୍ତ ରଖିଛି।

ଡାକ୍ତର ଧର୍ମଘଟ ଯୋଗୁଁ ରାଜ୍ୟର ସ୍ବାସ୍ଥ୍ୟସେବା ଗୁରୁତର ସଙ୍କଟ ଦେଇ ଗତି କରୁଛି। ଏହି ମାମଲାରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ରାଜ୍ୟରେ ଚାଲିଥିବା ଡାକ୍ତର ଆନ୍ଦୋଳନ ଏବଂ ଏଥିଯୋଗୁଁ ଉପୁଜିଥିବା ସମସ୍ୟାର ସମାଧାନ ପାଇଁ କାହିଁକି ଫଳପ୍ରଦ ପ୍ରୟାସ ହୋଇନାହିଁ ବୋଲି ଗୃହମନ୍ତ୍ରାଳୟ ପ୍ରଶ୍ନ କରିଛି ଏବଂ ଏ କ୍ଷେତ୍ରରେ କି କି ପଦକ୍ଷେପ ଗ୍ରହଣ କରାଯାଇଛି ସେ ବାବଦରେ ରିପୋର୍ଟ ଦାଖଲ କରିବାକୁ କହିଛି। ତେବେ ଏହି ରିପୋର୍ଟ ତଲବକୁ ଆଜି ମମତା ତୀବ୍ର ସମାଲୋଚନା କରିଛନ୍ତି। କେନ୍ଦ୍ର ସରକାର ଉତ୍ତର ପ୍ରଦେଶ ଏବଂ ଗୁଜରାଟ ସରକାରଙ୍କୁ ଏଭଳି ରିପୋର୍ଟ ତଲବ କରିବା ଉଚିତ ଏବଂ ସେଠାରେ ଅନେକ ଅନର୍ଥ ଓ ହତ୍ୟା ହେଉଛି ବୋଲି ମମତା କହିଛନ୍ତି। ଡାକ୍ତରଙ୍କ ସୁରକ୍ଷା ଦାବି ପ୍ରସଙ୍ଗରେ ସରକାର ଏ ପର୍ଯ୍ୟନ୍ତ କୌଣସି ଆଖିଦୃଶିଆ ପଦକ୍ଷେପ ନେଇନଥିବାରୁ ରାଜ୍ୟ ବିଜେପି ଆଜି ମମତାଙ୍କୁ ଘେରିଛି ଏବଂ ଆବଶ୍ୟକସ୍ଥଳେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି।

ସମ୍ବନ୍ଧିତ ଖବର