ତିରୁବନନ୍ତପୁରମ: ଆଜିକାର ସମୟରେ ସୋସିଆଲ ମିଡିଆ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇପାରିଛି | ସୋସିଆଲ ମିଡିଆ ଲୋକଙ୍କୁ ପରସ୍ପରର ନିକଟତର କରିବା ପାଇଁ ଏକ ମାଧ୍ୟମ ପାଲଟିଛି | କିନ୍ତୁ ସୋସିଆଲ ମିଡିଆ ବେଳେବେଳେ କେତେ ବିପଜ୍ଜନକ ହୋଇପାରେ, ତାହା କେରଳର କୋଲାମ ଜିଲ୍ଲାରେ ଘଟିଥିବା ଏକ ଘଟଣାରୁ ପ୍ରମାଣିତ ହୋଇଛି | ବାସ୍ତବରେ ସୋସିଆଲ ମିଡିଆରେ ଜଣେ ଡାକ୍ତରଙ୍କୁ ସମାଲୋଚନା କରାଯିବାରୁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ମୁତାବକ ୩୫ ବର୍ଷୀୟ ଅର୍ଥୋପେଡିକ୍ ସର୍ଜନ ଡକ୍ଟର ଅନୁପ କୃଷ୍ଣ କିଛି ଦିନ ପୂର୍ବରୁ ଜଣେ ସାତ ବର୍ଷର ଝିଅର ଅପରେସନ୍ କରିଥିଲେ | ଅସ୍ତ୍ରୋପଚାର ସମୟରେ ଶିଶୁଟିର ମୃତ୍ୟୁ ହୋଇଥିଲା।
ସେବେଠାରୁ ସୋସିଆଲ ମିଡିଆରେ ଡାକ୍ତରଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦିଆଯାଉଥିଲା ଏବଂ ତାଙ୍କୁ ଟାର୍ଗେଟ କରାଯାଉଥିଲା | ଡାକ୍ତରଙ୍କ ଅବହେଳା ଯୋଗୁଁ ଶିଶୁର ମୃତ୍ୟୁ ହୋଇଥିବାର ପୋଷ୍ଟ କରିବା ପରେ ଏହାର ପୁଙ୍ଖାନୁପୁଙ୍ଖ ସତ୍ୟତା ନ ଜାଣି ଲୋକମାନେ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ | ଯାହା ଫଳରେ ଡାକ୍ତର ଜଣକ ହତାଶ ହୋଇ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା କରିବା ପୂର୍ବରୁ ଡାକ୍ତର ବାଥରୁମ କାନ୍ଥରେ 'ସରି' ବା ଦୁଃଖିତ ବୋଲି ଲେଖିଥିଲେ।
ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ ଡାକ୍ତରଙ୍କ ମୃତ୍ୟୁକୁ ଅପରେସନ ଘଟଣା ସହ ଯୋଡିବା ଠିକ ନୁହେଁ | ପୁଲିସ ବର୍ତ୍ତମାନ ଏହି ଘଟଣାର ତଦନ୍ତ କରୁଛି ଏବଂ ଏହା ମଧ୍ୟ ଅନୁଧ୍ୟାନ କରାଯିବ ଯେ ଡାକ୍ତରଙ୍କୁ କେହି ଧମକ ଦେଇଥିଲେ କି ? ଖବର ଅନୁଯାୟୀ ସେପ୍ଟେମ୍ବର ୨୩ ରେ ଜଣେ ସାତ ବର୍ଷର ଝିଅର ଆଣ୍ଠୁ ଅସ୍ତ୍ରୋପଚାର ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ଅନୁପକୃଷ୍ଣ ଓ ତାଙ୍କ ଟିମ ଝିଅଟିର ଅସ୍ତ୍ରୋପଚାର କରୁଥିବାବେଳେ ହୃଦ୍ଘାତରେ ମୃତ୍ୟୁ ଘଟିଥିଲା। ନାବାଳିକାଙ୍କ ପରିବାର ସଦସ୍ୟ ଡାକ୍ତରଙ୍କ ବିରୋଧରେ ଚିକିତ୍ସା ଅବହେଳା ମାମଲା ଦାୟର କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/operation-ndoctor03_Thumb.jpg)