ଚିକିତ୍ସା ପାଇଁ ଆସିଥିବା ରୋଗୀଙ୍କୁ ଚାପୁଡ଼ା ପରେ ଚାପୁଡ଼ା ମାରି ଚାଲିଲେ ଡ଼ାକ୍ତର, ଭିଡିଓରେ ଦେଖନ୍ତୁ ସେ ସମୟର ଦୃଶ୍ୟ

ଜୟପୁର : ଅନେକ ସମୟରେ ଚିକିତ୍ସା ଠିକ୍‌ ଭାବରେ ହୋଇ ନ ଥିବାରୁ ରୋଗୀଙ୍କ ପରିବାର ଲୋକେ ଡ଼ାକ୍ତରଙ୍କୁ ମାଡ଼ ମାରିବା ବା ଡ଼ାକ୍ତରଖାନା ଘେରାଉ କରିବା ଭଳି ଦୃଶ୍ୟ ଦେଖା ଯାଇଥାଏ । କିନ୍ତୁ ରାଜସ୍ଥାନର ଜୟପୁରରେ ଜଣେ ଡ଼ାକ୍ତର ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଚାପୁଡ଼ା ଉପରେ ଚାପୁଡ଼ା ମାରିବାର ଭିଡିଓ ଏବେ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି ।

ସୂଚନା ମୁତାବକ, ଜୁନ୍‌ ୧ରେ ଜୟପୁରରେ ଚନ୍ଦପୋଲେ ଅଞ୍ଚଳରେ ରହୁଥିବା ମୁବାରିକ୍‌ଙ୍କୁ ଫୁଡ୍‌ ପଏଜନିଂ ସମସ୍ୟା ପାଇଁ ସଓ୍ଵାଇ ମନ ସିଂହ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ କୌଣସି କାରଣରୁ ଡ଼ାକ୍ତରଙ୍କ ସହ ମୁବାରିକ୍‌ଙ୍କ ବଚସା ହେବାରୁ ଡ଼ାକ୍ତରଜଣକ ରାଗରେ ମୁବାରିକ୍‌ଙ୍କୁ ଚାପୁଡ଼ା ପରେ ଚାପୁଡ଼ା ମାରିଥିଲେ । ପରେ ସେ ପାଖରେ ଥିବା ଚେୟାର ଉପରେ ଚଢ଼ି ମୁବାରିକ୍‌ଙ୍କୁ ଚାପୁଡ଼ା ମାରିଥିଲେ । ଏହି ସମୟରେ ସେଠାରେ ଅନେକ ଲୋକ ଉପସ୍ଥିତ ଥିଲେ ମଧ୍ୟ କେହି ଡ଼ାକ୍ତରଙ୍କୁ ଅଟକାଇ ନଥିଲେ । ଶେଷର ଅନ୍ୟ ଦୁଇ ଡ଼ାକ୍ତର ଆସିବା ସହ ମାଡ଼ ମାରୁଥିବା ଡ଼ାକ୍ତରଙ୍କୁ ଅଟାକାଇଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି । ତେବେ ଏହି ଭିଡିଓ ସାମ୍ନାକୁ ଆସିବା ପରେ ରାଜସ୍ଥାନ ମାନବାଧିକାର ଆୟୋଗ ଡ଼ାକ୍ତରଖାନାକୁ ଏ ନେଇ ରିପୋର୍ଟ ମାଗିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର