ବାବା ରାମଦେବଙ୍କ ପାଇଁ ବଢୁଛି ଅଡୁଆ: ଜୁନ୍ ପହିଲାରେ ସାରା ଦେଶରେ ଡାକ୍ତରମାନେ ପାଳିବେ କଳା ଦିବସ

ନୂଆଦିଲ୍ଲୀ: ଏଲୋପାଥି ଔଷଧ ଓ ଚିକିତ୍ସାକୁ ନେଇ ବାବା ରାମଦେବଙ୍କ ବିବାଦୀୟ ବୟାନ ଏବେ ତାଙ୍କ ପାଇଁ ଅଡୁଆ ସୃଷ୍ଟି କରିଛି । ଏନେଇ ରେଜିମେଣ୍ଟ ଡାକ୍ତର ସଂଘ ସାରା ଦେଶରେ ଜୁନ୍ ପହିଲା ଦିନ ବାବା ରାମଦେବଙ୍କ ବିରୋଧରେ କଳା ଦିବସ ପାଳନ କରିବ ବୋଲି ନିଷ୍ପତ୍ତି ନେଇଛି । ଏହାସହ ସଂଘ ତରଫରୁ କୁହାଯାଇଛି କି, ବାବା ରାମଦେବ ବିନା ସର୍ତ୍ତରେ କ୍ଷମା ପ୍ରଥନା କରନ୍ତୁ ।

ଉଲ୍ଲେଖଯୋଗ୍ୟ, କରୋନା ସଂକ୍ରମିତଙ୍କ ଠାରେ ବ୍ୟବହାର କରାଯାଉଥିବା କିଛି ଔଷଧକୁ ନେଇ ବାବା ରାମଦେବ ପ୍ରଶ୍ନ ଉଠାଇଥିଲେ । ଏହାପରେ ଏହାକୁ ନେଇ ବିବାଦ ଦେଖା ଦେଇଥିଲା । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ବାବା ରାମଦେବ ଏଲୋପାଥି ମେଡିସିନକୁ ନିର୍ବୋଧ ଓ ଦେବାଳିଆ ବିଜ୍ଞାନ ବୋଲି କହୁଥିବାର ଦେଖିବାକୁ ମିଳିଛି । ଏହାସହ ଏହି ଭିଡିଓରେ ବାବା ରାମଦେବ କହୁଥିଲେ ଯେ, ଏଲୋପାଥି ମେଡିସିନ୍ ବ୍ୟବହାର ଦ୍ୱାରା କରୋନା ସଂକ୍ରମିତଙ୍କର ମୃତ୍ୟୁ ହେଉଛି ।

Ramdev`s remarks: Federation of resident doctors` associations to hold  nationwide protest on Jun 1
Mid-Day

ରାମଦେବଙ୍କର ଏଭଳି ବୟାନକୁ ବିଭିନ୍ନ ସ୍ତରରୁ କଡା ବିରୋଧ କରାଯାଇଛି । ଏହାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ.ହର୍ଷ ବର୍ଦ୍ଧନ ଏଭଳି ଦୁର୍ଭାଗ୍ୟପୂର୍ଣ୍ଣ ବୟାନକୁ ପ୍ରତ୍ୟାହାର କରିନେବାକୁ କହିଥିଲେ । ଏହାପରେ ମେ ୨୩ ତାରିଖରେ ବାବା ରାମଦେବ ଗଣମାଧ୍ୟମ ଆଗରେ ଏଭଳି ବୟାନକୁ ପ୍ରତ୍ୟାହାର କରିନେଇଥିଲେ । ହେଲେ ୨୪ ତାରିଖ ଦିନ ସେ ଭାରତୀୟ ଚିକିତ୍ସା ସଂଘ (ଆଇଏମଏ) କୁ ଏକ ଖୋଲା ଚିଠି ଲେଖି ୨୫ ଟି ପ୍ରଶ୍ନ ପଚାରିଥିଲେ । ସେ କହିଥିଲେ କି ଏଲୋପାଥି ଚିକିତ୍ସା ଦ୍ୱାରା ରୋଗର ସ୍ଥାୟୀ ପ୍ରତିକାର ହୋଇପାରୁଛି କି ?

ଅନ୍ୟପଟେ ପଶ୍ଚିମବଙ୍ଗରେ ଆଇଏମଏ ପକ୍ଷରୁ ବାବା ରାମଦେବଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇଛି । ସଂଗଠନ ତରଫରୁ କୋଲକତାର ସିନ୍ଥୀ ଥାନାରେ ୨୮ ତାରିଖ ଦିନ ଅଭିଯୋଗ ହୋଇଛି । କରୋନା ମହାମାରୀ ସମୟରେ ବାବା ରାମଦେବ ଯେଭଳି ଲୋକଙ୍କୁ ଭ୍ରମିତ କରିବା ସହ ମିଛ ସୂଚନା ଦେଉଛନ୍ତି ସେନେଇ ତାଙ୍କ ଉପରେ ରାଜଦ୍ରୋହ ମାମଲା ରୁଜୁ କରିବାକୁ ଦାବି ହୋଇଛି ।

ସମ୍ବନ୍ଧିତ ଖବର