ଡାକ୍ତରଙ୍କ ମୁଣ୍ଡରେ ଖସିପଡିଲା ଫ୍ୟାନ, ହେଲମେଟ ପିନ୍ଧି ଚିକିତ୍ସା କଲେ ମେଡିକାଲର ସମସ୍ତ ଡାକ୍ତର

ହାଇଦ୍ରାବାଦ: ଚିକିତ୍ସା କରୁଥିବା ସମୟରେ ମହିଳା ଡାକ୍ତରଙ୍କ ମୁଣ୍ଡ ଉପରେ ଖସିପଡିଲା ଫ୍ୟାନ | ମହିଳା ଡାକ୍ତରଙ୍କର ମୁଣ୍ଡରେ ଆଘାତ ଲାଗିଥିବାବେଳେ ଏହାକୁ ବିରୋଧ କରି ଏବେ ଆନ୍ଦୋଳନ କରିବାକୁ ଓହ୍ଲାଇଛନ୍ତି ମେଡିକାଲର ଅନ୍ୟ ସବୁ ଡାକ୍ତର | ତେବେ ଆନ୍ଦୋଳନ କଲେ କଲେ ରୋଗୀ ସେବା ବାଧାପ୍ରାପ୍ତ ହେବ, ସେଥିପାଇଁ ହେଲମେଟ ପିନ୍ଧି ଏବେ ଚିକିତ୍ସା କରୁଛନ୍ତି ଡାକ୍ତର | ହାଇଦ୍ରାବାଦର ଏକ ମେଡିକାଲରୁ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି | ହାଇଦ୍ରାବାଦର ଓସମାନିଆ ଜେନେରାଲ ହସ୍ପିଟାଲ (ଓଜିଏଚ) ର ଡାକ୍ତରମାନଙ୍କ ଅଭିନବ ପ୍ରତିବାଦ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଓସମାନିଆ ଜେନେରାଲ ହସ୍ପିଟାଲର ଜୁନିଅର ଡାକ୍ତରମାନେ ହେଲମେଟ ପିନ୍ଧି ପ୍ରତିବାଦ କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି | ବାସ୍ତବରେ ଗତକାଲି ଡାକ୍ତରଖାନାର ଚର୍ମ ବିଭାଗରେ କାର୍ଯ୍ୟ କରୁଥିବା ଜଣେ ମହିଳା ଡାକ୍ତରଙ୍କ ମୁଣ୍ଡ ଉପରେ ଏକ ଫ୍ୟାନ ଖସିପଡିଥିଲା । ଏହି ଦୁର୍ଘଟଣାରେ ମହିଳା ଡାକ୍ତରଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ଏହି ଅଘଟଣ ପରେ ଜୁନିଅର ଡାକ୍ତରମାନେ ହେଲମେଟ ପିନ୍ଧି ବିକ୍ଷୋଭ ପ୍ରଦର୍ଶନ କରି ଅଧୀକ୍ଷକଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

ତେଲେଙ୍ଗାନା ଜୁନିଅର ଡାକ୍ତର ସଂଘର ସଭାପତି କହିଛନ୍ତି ଏଭଳି ଘଟଣା ଡାକ୍ତରଙ୍କ କାର୍ଯ୍ୟଶୈଳୀ ଏବଂ ମନୋବଳ ଉପରେ ପ୍ରଭାବ ପକାଉଛି। ଆମେ ଭୟଭୀତ ହୋଇ କାମ କରିପାରିବୁ ନାହିଁ | ରୋଗୀମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଏହି ଘଟଣାକୁ ନେଇ ତେଲେଙ୍ଗାନା ଜୁନିଅର ଡାକ୍ତର ସଂଘ ପକ୍ଷରୁ ଓସମାନିଆ ଜେନେରାଲ୍ ହସ୍ପିଟାଲର ଅଧୀକ୍ଷକଙ୍କୁ ଚିଠି ଲେଖି କୁହାଯାଇଛି ଯେ ଡାକ୍ତରଖାନାରେ ଦିନକୁ ଦିନ ଏଭଳି ଗୋଟିଏ ପରେ ଗୋଟିଏ ଘଟଣା ଘଟୁଛି। ଆମେ ଚାହୁଁନାହୁଁ ଯେ କୌଣସି ବଡ଼ ଘଟଣା ଘଟୁ, ଦୟାକରି ପ୍ରଥମେ ଏହି ସମସ୍ୟା ପ୍ରତି ନଜର ଦିଅନ୍ତୁ |

ସମ୍ବନ୍ଧିତ ଖବର