ଆଇସୋଲେସନରେ ଥିବା ସତ୍ତ୍ୱେ ନିଜ କ୍ଲିନିକରେ ରୋଗୀ ଦେଖିଲେ ଡାକ୍ତର

ଚଣ୍ଡୀଗଡ଼:କୋଭିଡ ପଜିଟିଭ ଚିହ୍ନଟ ପରେ ଡାକ୍ତରଙ୍କୁ ହୋମ ଆଇସୋଲେସନରେ ପଠାଗଲା, ତେବେ ପଞ୍ଜାବର ଜଣେ ଡାକ୍ତର ସଙ୍ଗରୋଧରେ ଥିବାବେଳେ ନିୟମ ନ ମାନି ନିଜ କ୍ଲିନିକ ଚଳାଉଥିଲେ | ଫେସବୁକ୍ ଏବଂ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ଡାକ୍ତର ଯିଏ କୋଭିଡ୍ ପଜିଟିଭ୍ ସତ୍ତ୍ୱେ ତାଙ୍କ ଘରୋଇ କ୍ଲିନିକରେ ରୋଗୀଙ୍କ ଯାଞ୍ଚ କରୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି ।

ଆଉ ଏହା ପରେ ସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛି | କୋଭିଡ ପଜିଟିଭ ଡାକ୍ତରଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ହୋମ ଆଇସୋଲେସନରେ ପଠାଯାଏ ଯାହା ଦ୍ୱାରା ଏହି ସଂକ୍ରମଣ ଅନ୍ୟମାନଙ୍କୁ ବ୍ୟାପି ନଥାଏ | କିନ୍ତୁ ସ୍ୱାସ୍ଥ୍ୟ ବିଭାଗର ଏହି ଡାକ୍ତର ନିୟମ ନ ମାନି ଘରୋଇ କ୍ଲିନିକରେ ରୋଗୀଙ୍କୁ ଚେକଅପ୍ କରୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି |

ସୂଚନା ମୁତାବକ ଏହି ଡାକ୍ତର ଏକ ସରକାରୀ ଡାକ୍ତରଖାନାରେ ସର୍ଜରୀ ବିଭାଗରେ କାମ କରୁଥିବାବେଳେ ଏପ୍ରିଲ ୧୮ରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ | ପରେ ତାଙ୍କୁ ଆଇସୋଲେସନରେ ରଖାଯାଇଥିଲା। ତେବେ ଭିଡିଓ ଭାଇରାଲ ହେବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ ଏହି ଘଟଣାର ତଦନ୍ତ ଜାରି ରହିଛି ଓ ଘଟଣା ସତ ହୋଇଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ |

ସମ୍ବନ୍ଧିତ ଖବର