ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପାଖରେ ମାଂସପ୍ଲେଟ୍‌ ରଖାଯାଇଥିବା ଭାଇରାଲ୍‌ ଫଟୋର ରହସ୍ୟ ଖୋଲିଲା

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଣ୍ଠୁମାଡ଼ି ବସିଥିବା ବେଳେ ତାଙ୍କ ଡାହାଣ ପାଖରେ ମାଂସ ପ୍ଲେଟ୍‌ଟିଏ ରଖାଯାଇଥିବାର ଫଟୋ ଫେସ୍‌ବୁକ୍‌ରେ ଭାଇରାଲ୍‌ ହେବା ପରେ ତାହା ନକଲି ବୋଲି ଜଣାପଡ଼ିଛି। ଯୋଗୀ ମାଂସ ଖାଆନ୍ତି ବୋଲି ଗୁଜବ ସୃଷ୍ଟି କରିବାକୁ ମୂଳ ଫଟୋଟିକୁ ଡିଜିଟାଲି ପରିବର୍ତ୍ତନ କରାଯାଇ ନକଲି ଫଟୋଟି ତିଆରି କରାଯାଇଛି।

ଯୋଗୀଙ୍କୁ ବଦନାମ କରିବା ଲକ୍ଷ୍ୟରେ ‘ଜାମିଆ ଫତେମା ଆର୍ଲିଲ୍‌ବନତ’ ନାମରେ ଜଣେ ଫେସ୍‌ବୁକ୍‌ ବ୍ୟବହାରକାରୀ ଏହି ଫଟୋଟିକୁ ପୋଷ୍ଟ୍‌ କରିଛନ୍ତି। ପୋଷ୍ଟ୍‌ ହୋଇଥିବା ଫଟୋଟି  ଏ ଯାବତ୍ ୨୫୦୦ ସେୟାର୍ ହୋଇ ସାରିଛି।

Image Courtesy of Twitter

କିନ୍ତୁ, ମୂଳ ଫଟୋରେ ଯୋଗୀଙ୍କ ପାର୍ଶ୍ବରେ ରଖାଯାଇଥିବା ମାଂସ ପ୍ଲେଟ୍‌ ସ୍ଥାନରେ କିଛି ପୂଜା ସାମଗ୍ରୀ ରହିଛି। ରିଭର୍ସ ଇମେଜ୍ ସର୍ଚ ବ୍ୟବହାର କରି ମୂଳ ଫଟୋଟି ବାହାର କରାଯାଇଛି। ୨୦୧୮ ମସିହା ଜୁଲାଇ ୨୭ ତାରିଖ ଦିନ ସାମ୍ବାଦିକା ବିଜୟିତା ସିଂହ ମୂଳ ଫଟୋଟିକୁ ଟୁଇଟ୍‌ କରିଥିଲେ।

୨୦୧୮ ମସିହା ଗୁରୁ ପୂର୍ଣ୍ଣିମା ଦିନ ଗୋରଖନାଥ ମନ୍ଦିରରେ ଯୋଗୀଙ୍କ ପାଦତଳେ ୟୁନିଫର୍ମ ପିନ୍ଧା ଜଣେ ପୁଲିସ ଅଧିକାରୀ ଆଣ୍ଠୁମାଡ଼ି ବସିଥିବା ବେଳେ ଏହି ଫଟୋଟି ଉଠାଯାଇଥିଲା। ଏହି ଫଟୋଟି ମଧ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଥିଲା। ସମ୍ପୃକ୍ତ ପୁଲିସ ଅଧିକାରୀ ମଧ୍ୟ କହିଥିଲେ ଯେ, ଏହା ହେଉଛି ମହନ୍ତ ଯୋଗୀ ଆଦିତ୍ୟନାଥଙ୍କ ପ୍ରତି ମୋର ଭକ୍ତି, ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ପ୍ରତି ନୁହେଁ । ପୀଠାଧିଶ୍ବର ମହନ୍ତ ଯୋଗୀ ଆଦିତ୍ୟନାଥଙ୍କ ଆଶୀର୍ବାଦ ପାଇବାକୁ ସେ ଏ ଭଳି କରିଛନ୍ତି।

ଏଠାରେ ସୂଚନାଯୋଗ୍ୟ କି, ନିରୋଳା ନିରାମିଶାଷୀ ବୋଲି ୨୦୧୭ରେ ଯୋଗୀ ଦାବି କରିଥିଲେ।

ସମ୍ବନ୍ଧିତ ଖବର