୬ ବର୍ଷିୟ ପିଲାର ହସ୍‌ପିଟାଲ୍‌ ବିଲ୍‌ ପୈଠ କରିବାକୁ ଡାକ୍ତରମାନେ ଯୋଗାଡ଼ କଲେ ୧୮ ଲକ୍ଷ ଟଙ୍କା

ଚେନ୍ନାଇ: ଜଣେ ୬ ବର୍ଷିୟ ବାଳକର ହସ୍‌ପିଟାଲ୍‌ ବିଲ୍‌ ପୈଠ କରିବାକୁ ‘କାଞ୍ଚି କମକୋଟି ଚାଇଲ୍‌ଡ୍‌ସ୍‌ ଟ୍ରଷ୍ଟ୍‍’ର ଡାକ୍ତରମାନେ ଇଣ୍ଟର୍‌ନେଟ୍‌ ଜରିଆରେ ୧୮ ଲକ୍ଷ ଟଙ୍କାର ଚାନ୍ଦା ଆଦାୟ କରିଛନ୍ତି। ପିଲାଟି ନିମୁନିଆ, ଡେଙ୍ଗୁ, ସଙ୍କ୍ରମଣ ଏବଂ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ହୋଇ ଦୁଇ ମାସ କାଳ ଡାକ୍ତରଖାନାରେ ପଡ଼ିଥିଲା। ସେଥିପାଇଁ ଡାକ୍ତରଖାନା ୩୪ ଲକ୍ଷ ଟଙ୍କାର ବିଲ୍‌ ଦେଇଛି। ସେ ପିଲାର ନାଁ ସରଣ। ବୁଧବାର ଦିନ ହସ୍‌ପିଟାଲ୍‌ରୁ ସେ ଘରକୁ ଫେରିଛି।

ସରଣ ପେଡିଅଟ୍ରିକ୍‌ ଆଇସିୟୁରେ ୫୭ ଦିନ ରହିଥିଲା। ତା’ ଫୁସ୍‌ଫୁସ୍‌କୁ ଚଳାଇ ଶରୀରକୁ ବିଶ୍ରାମ ଦେବ ପାଇଁ ତା’ ଦେହରେ ୩୩ ଦିନ ଧରି ଲାଗିଥିଲା ଗୋଟାଏ ‘ଇସିଏମ୍‌ଓ’ ଯନ୍ତ୍ର।

ଡାକ୍ତରମାନେ କହନ୍ତି: ଏଣେ ପିଲାଟି ଭଲ ହେଉ ନ ହେବାକୁ ତେଣେ ବିଲ୍‌ ବଢ଼ି ଚାଲିଥିଲା। ଆମେ ଦେଖିଲୁ ତା’ ବାପାମାଆ ଏତେ ଟଙ୍କା ଦେଇ ପାରିବେ ନାହିଁ। ତେଣୁ ଆମେ କ୍ରଉଡ୍‌ଫଣ୍ଡିଙ୍ଗ୍‌ ବା ଇଣ୍ଟର୍‌ନେଟ୍‌ ଜରିଆରେ ଚାନ୍ଦା ଆଦାୟ କରିବାକୁ ଠିକ୍‌ କଲୁ। ସେଥିପାଇଁ କେତେକ ଏଜେନ୍‌ସି ଆମକୁ ସାହାଯ୍ୟ କରିଥିଲେ।

ପିଲାଟିର ବାପା ଡି ଅଶୋକ କୁମାର ଏଥିରେ କୃତଜ୍ଞତା ପ୍ରକାଶ କରିଛନ୍ତି। ପୁଅର ଚିକିତ୍ସା ନିମନ୍ତେ ସେ ତାଙ୍କର ସବୁ ସଞ୍ଚିତ ଖର୍ଚ କରି ଦେଇଛନ୍ତି। ସେ କାମ କରୁଥିବା କୋରିଆର ଏକ କମ୍ପାନି ତାଙ୍କୁ ୮ ଲକ୍ଷ ଟଙ୍କା ସହାଯ୍ୟ ଦେଇଥିଲେ। ବନ୍ଧୁବାନ୍ଧବମାନେ ମଧ୍ୟ କିଛି ଆର୍ଥିକ ସାହାଯ୍ୟ ଦେଇଥିଲେ।

ଡାକ୍ତରଖାନା ମଧ୍ୟ ଡାକ୍ତରଙ୍କ ଫିଜ୍‌ରୁ ୬୦ ହଜାର ଟଙ୍କା ରିହାତି ଦେଇଥିଲା।

ଜରରେ ପଡ଼ି ସରଣ ସେପ୍ଟେମ୍ବର ୨୭ ତାରିଖ ଦିନ ଡାକ୍ତର ଖାନାକୁ ଆସିଥିଲା। ତାକୁ ନିମୁନିଆ ହୋଇଥିବା କଥା ପରୀକ୍ଷାରୁ ଜଣା ପଡ଼ିଥିଲା। ତା’ ଦେହରେ ଭେଣ୍ଟିଲେଟର୍‌ କାମ ନ ଦେବାରୁ ଜଣେ କାର୍ଡିଆକ୍‌ ସର୍ଜନ ତା’ ଦେହରେ ଇସିଏମ୍‌ଓ ଲଗାଇ ଥିଲେ। ପରେ ସେ ଡେଙ୍ଗୁ ଏବଂ ଅନ୍ୟାନ୍ୟ ସଙ୍କ୍ରମଣରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ସେତେବେଳକୁ ତା’ର ବଞ୍ଚିବାର ଆଶା ଥାଏ ମାତ୍ର ୩୦%।

ଦୀର୍ଘ ଦିନ ଚିକିତ୍ସାରେ ରଖା ଯିବା ପରେ ସ୍ୱାସ୍ଥ୍ୟରେ ଉନ୍ନତି ଦେଖା ଦେବାରୁ ବୁଧବାର ଦିନ ତାକୁ ଡାକ୍ତରମାନେ ଘରକୁ ଛାଡ଼ିଛନ୍ତି।

ସମ୍ବନ୍ଧିତ ଖବର