ନିମ୍ନମାନର ପିପିଇ କିଟ୍‌ ବିରୋଧରେ ଡାକ୍ତରଙ୍କ ପ୍ରତିବାଦ

ନୂଆଦିଲ୍ଲୀ: ଦିଲ୍ଲୀର ହିନ୍ଦୁ ରାଓ ହସ୍ପିଟାଲକୁ କୋଭିଡ-୧୯ ହସ୍ପିଟାଲରେ ପରିଣତ କରାଯିବା ପରେ ଏହାର ଡାକ୍ତରମାନେ ସେମାନଙ୍କୁ ନିମ୍ନମାନର କିଟ୍ ଯୋଗାଣ କରାଯାଉଥିବା ଅଭିଯୋଗ ଆଣି ପ୍ରତିବାଦ କରିଛନ୍ତି। ଶନିବାର ଦ୍ବିତୀୟ ଦିନ ପାଇଁ ମଧ୍ୟ ସେମାନେ ପ୍ରତିବାଦ କରିଛନ୍ତି। ହିନ୍ଦୁ ରାଓ ହସ୍ପିଟାଲର ରେସିଡେଣ୍ଟ ଡକ୍ଟର୍ସ ଆସୋସିଏସନର ସଭାପତି ଡାକ୍ତର ଅଭିମନ୍ୟୁ ସାର୍ଦନା କହିଛନ୍ତି, ସେମାନଙ୍କୁ ଯୋଗାଇ ଦିଆଯାଉଥିବା ପିପିଇ କିଟ୍ ନିମ୍ନମାନର। ଏହି ପୋଷାକର ମୋଟେଇ ୯୦ ଜିଏସଏମ୍‌ ରହିବାର ଆବଶ୍ୟକତା ଥିବାବେଳେ ପ୍ରକୃତରେ ଏହା ୭୦ରୁ ୮୦ ଏମଏମ ଭିତରେ ରହୁଛି। ଏତଦବ୍ୟତୀତ ଡାକ୍ତରମାନେ ଅନ୍ୟାନ୍ୟ କେତେକ ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି। ଉକ୍ତ ଡାକ୍ତରଖାନାକୁ କୋଭିଡ ହସ୍ପିଟାଲରେ ପରିଣତ କରିବା ବେଳେ ମନଇଚ୍ଛା ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିସହିତ ସେମାନଙ୍କୁ ‌ଦରମା ପ୍ରଦାନ ବିଳମ୍ବ ହେଉଥିବା ଅଭିଯୋଗ ମଧ୍ୟ ସେମାନେ ଆଣିଛନ୍ତି।

ଡାକ୍ତରଖାନାରେ ଏସି, ସାନିଟାଇଜେସନ, କୋଭିଡ ରୋଗୀଙ୍କ ଚିକିତ୍ସାରେ ରହୁଥିବା ଡାକ୍ତରଙ୍କ ରହିବା ପାଇଁ ସର୍ବନିମ୍ନ ସୁବିଧା ମଧ୍ୟ ଉପଲବ୍ଧ କରାଯାଇନାହିଁ। ଜୀବନକୁ ବିପଦରେ ପକାଇ ଆ‌ୋମ କୋଭିଡ-୧୯ ରୋଗୀଙ୍କୁ ଚିକିତ୍ସା କରୁଛୁ ବୋଲି ଡାକ୍ତର ସାର୍ଦନା ଅଭିଯୋଗ କରିଛନ୍ତି। ଜୁନ ୧୪ ତାରିଖରେ ଦିଲ୍ଲୀ ସରକାରଙ୍କ ନିର୍ଦ୍ଦେଶ ପରେ ଏହି ଡାକ୍ତରଖାନାକୁ କୋଭିଡ ହସ୍ପିଟାଲରେ ପରିଣତ କରାଯାଇଛି। ଶନିବାର ଏଠାରେ ଦୁଇ ଜଣ କରୋନା ରୋଗୀ ଭର୍ତ୍ତି ହୋଇଛନ୍ତି। ତେବେ ଉତ୍ତର ଦିଲ୍ଲୀ ମହାନଗର ନିଗମ କର୍ତ୍ତୃପକ୍ଷ ଉକ୍ତ ଡାକ୍ତରଖାନାର ସମସ୍ୟା ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର